ଅପରାଜିତାଙ୍କ ସହ ବିଜେପିରେ ମିଶିବେ ୩ ବ୍ୟୁରୋକ୍ରାଟ୍: ହାରିନଥିବା ପାଟ୍ଟଶାଣୀଙ୍କ ସହ ଲଢ଼ିବାକୁ କଣ ରିସ୍କ ନେବେ ପୂର୍ବତନ BMC କମିଶନର?

ଭୁବନେଶ୍ୱର:IAS ଅପରାଜିତା ଷଢ଼ଙ୍ଗୀ ବିଜେପିରେ ମିଶିବା ସ୍ପଷ୍ଟ ହେଲା। ଆସନ୍ତା ୨୭ତାରିଖ(ମଙ୍ଗଳବାର)ରେ ଦିଲ୍ଲୀରେ ବିଜେପିର ସଦସ୍ୟତା ଗ୍ରହଣ କରିବେ ଅପରାଜିତା। ତାଙ୍କ ସହ ଅନ୍ୟ ୩ଜଣ ପୂର୍ବତନ ପ୍ରଶାସକ ସେହି ଦିନ ବିଜେପିରେ ମିଶିବେ। କିନ୍ତୁ ଦିଲ୍ଲୀର ୧୧, ଅଶୋକ ରୋଡର ବିଜେପି ଅଫିସରେ ହେବାକୁ ଥିବା ସେହି ମିଶ୍ରଣ ପର୍ବରେ ବିଜେପି ସଭାପତି ଅମିତ ଶାହ ଉପସ୍ଥିତ ରହିବେ ନାହିଁ।ଓଡ଼ିଶା ବିଜେପି ଫେସ୍ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂଙ୍କ ଉପସ୍ଥିତିରେ ଅପରାଜିତା ଦଳରେ ମିଶିବେ ବୋଲି ଖବର ରହିଛି। ବିଜେପିରେ ମିଶିବା ପରେ ଅପରାଜିତା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ତା’ପର ଦିନ ଅର୍ଥାତ ନଭେମ୍ବର ୨୮ରେ ଭୁବନେଶ୍ୱର ଫେରିବେ ଅପରାଜିତା ଷଢ଼ଙ୍ଗୀ।
ବ୍ୟୁରୋକ୍ରାଟଙ୍କ ରାଜ୍
୧୯୯୪ମସିହା ଓଡ଼ିଶା କ୍ୟାଡର IAS ଅପରାଜିତା ଷଢ଼ଙ୍ଗୀ ଚାକିରିରୁ ସେଚ୍ଛାକୃତ ଅବସର ନେଇ ରାଜନୀତିରେ ଯୋଗ ଦେବାକୁ ଯାଉଛନ୍ତି। ବିହାରର ଝିଅ ଅପରାଜିତା ତାଙ୍କ ବ୍ୟାଚମେଣ୍ଟ ସନ୍ତୋଷ ଷଢ଼ଙ୍ଗୀଙ୍କୁ ବିବାହ କରି ଓଡ଼ିଆ ବୋହୂ ହୋଇଗଲେ। ତେବେ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର କମିଶନର ଭାବେ ଖୁବ ନାଁ କମାଇଥିଲେ ଅପାରାଜିତା। ସେହିଭଳି ସ୍କୁଲ ପରିଚାଳନା ଏବଂ ଶିକ୍ଷୟତ୍ରୀମାନେ ନିର୍ଦ୍ଧିଷ୍ଟ ରଙ୍ଗର ଶାଢୀ ପରିଧାନ କରିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପୂର୍ବତନ ସଚିବ ଅପରାଜିତାଙ୍କୁ ସମସ୍ତେ ମନେ ରଖିଛନ୍ତିତେବେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୁପ ପଟ୍ଟନାୟକ, ପ୍ରିନସପାଲ ଆକାଉଣ୍ଟାଟ୍ ଜେନରାଲ ଅମର ପଟ୍ଟନାୟକ ବିଜେଡିରେ ଯୋଗ ଦେବା ପରେ, IAS ଅପରାଜିତାଙ୍କୁ ଦଳରେ ମିଶାଇବା ଲାଗି ବିଜେପି ପକ୍ଷରୁ ଉଦ୍ୟମ ହୋଇଥିଲା। ୭ଅଗଷ୍ଟ ୨୦୧୩ରୁ କେନ୍ଦ୍ରୀୟ ଡେପୁଟେସନରେ ଥିବା ଅପରାଜିତାଙ୍କ ସହ ମୋଦି ସରକାରଙ୍କ ଘନିଷ୍ଠତା ବଢ଼ିଥିଲା। ଫଳରେ ଅଗଷ୍ଟ ୨୦୧୮ରେ କେନ୍ଦ୍ରୀୟ ଡେପୁଟେସନ୍ ସରିବା ପରେ ଅପରାଜିତା ଚାକିରିରୁ ସେଚ୍ଛାକୃତ ଅବସର ନେବା ପାଇଁ ଆବେଦନ କରି ରାଜନୀତିରେ ଏଣ୍ଟ୍ରି ମାରିବା ପାଇଁ ପଥ ସୁଗମ କଲେ। ଆଉ ଚଳିତ ମାସ ୧୪ ତାରିଖରେ ଅପରାଜିତାଙ୍କ ଆବେଦନ ଗୃହୀତ ହୋଇଥିଲା।
ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ନାହିଁ ମହିଳା ପ୍ରତିନିଧିତ୍ୱ
ବିଏମସି କମିଶନର ଭାବେ ଖୁବ୍ ନାଁ କମାଇଥିବା ଅପରାଜିତାଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କରିବ ବୋଲି ଖବର ରହିଛି। କିନ୍ତୁ ୨୦୦୬ରୁ ୨୦୦୯ ଯାଏଁ ଅପରାଜିତା ବିଏମସି କମିଶନର ଥିଲାବେଳେ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ସରକାର ଥିଲା। ଆଉ ଏହା ମଧ୍ୟରେ ସୀମା ପୁନଃ ନିର୍ଦ୍ଧାରଣ ଯୋଗୁ ଭୁବନେଶ୍ୱର ଲୋକସଭା ଭୌଗଳିକ ଚିତ୍ର ମଧ୍ୟ ବଦଳି ଯାଇଛି। ଗୁରୁତ୍ୱପୂର୍ଣ କଥା ହେଲା ପ୍ରଥମ ଲୋକସଭା ନିର୍ବାଚନ ୧୯୫୨ରୁ ଆଜିଯାଏଁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଦେଖିଲାଣି ୧୬ଟି ନିର୍ବାଚନ। କିନ୍ତୁ ଭୁବନେଶ୍ୱର ଲୋକସଭା ଆସନକୁ ଏ ପର୍ୟ୍ୟନ୍ତ କୌଣସି ମହିଳା ପ୍ରତିନିଧିତ୍ୱ କରିନାହାଁନ୍ତି। ଲିଙ୍ଗରାଜ ମିଶ୍ର, ନୃସିଂହ ଚରଣ ସାମନ୍ତସିଂହାର,ରାଜା ପିସି ଦେଓ ଭଞ୍ଜ, ଚିନ୍ତମଣି ପାଣିଗ୍ରାହୀ, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପରି ନେତା କଂଗ୍ରେସ ଟିକେଟରେ ୮ଥର ବିଜୟୀ ହୋଇଛନ୍ତି। ସେହିପରି ସିପିଏମର ଭେଟରାନ୍ ଶିବାଜୀ ପଟ୍ଟନାୟକ ୩ଥର ଭୁବନେଶ୍ୱର ସାଂସଦ ହୋଇଛନ୍ତି। ଆଉ ବାକି ୫ଥର ବିଜେଡି ଟିକେଟରେ ପ୍ରସନ୍ନ ପାଟ୍ଟଶାଣୀ ବିଜୟୀ ହୋଇଛନ୍ତି।ଅପରାଜୟ ପାଟ୍ଟଶାଣୀ
୧୯୯୮ରୁ ଲଗାତର ୫ଥର ଜିତୁଥିବା ବିଜେଡି ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ବିଜୟ ବ୍ୟବଧାନ ପ୍ରତି ନିର୍ବାଚନରେ ବୃଦ୍ଧି ପାଇଛି। ୨୦୧୪ ନିର୍ବାଚନରେ ପ୍ରସନ୍ନ ପାଟ୍ଟଶାଣୀ ବିଜେପିର ପୃଥୀରାଜ ହରିଚନ୍ଦନଙ୍କୁ ୧ଲକ୍ଷ ୮୯ହଜାର ୪୭୭ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ।ଏକ ଭିନ୍ନ ବ୍ୟକ୍ତିତ୍ୱ ରଖି ବାବା ନାଁରେ ଜଣାଶୁଣା ପ୍ରସନ୍ନ ପାଟ୍ଟଶାଣୀ, ୧୯୮୦ରୁ ଲଗାତର ୪ଥର ବିଧାୟକ ହେବା ପରେ ୫ଥର ସାଂସଦ ହୋଇ ପରାଜୟ କଣ ଜାଣନ୍ତି ନାହିଁ। ଏପରିକି ୧୯୮୫ର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି କଂଗ୍ରେସ ପ୍ରାର୍ଥୀଙ୍କୁ ପରାଜିତ କରି ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲେ ପାଟ୍ଟଶାଣୀ। ତେଣୁ ସେଭଳି ପୋଖତ ରାଜନେତା ପାଟ୍ଟଶାଣୀଙ୍କୁ ସାମନା କରିବାକୁ ଅପରାଜିତାଙ୍କୁ କଣ ବିଜେପି ଆଗକୁ ଛାଡ଼ିବ? ନା ଭୁବନେଶ୍ୱର ଲୋକସଭା ବଦଳରେ କୌଣସି ସୁରକ୍ଷିତ ଆସନରୁ ଲଢ଼ାଇ, ଅପରାଜିତାଙ୍କୁ ବିଜୟୀ ଜନପ୍ରତିନିଧିର ମୁକୁଟ ପିନ୍ଧାଇବାକୁ ପ୍ଲାନ କରିଛି ?
ଏଥିସହ ପଢ଼ନ୍ତୁ
ନବୀନଙ୍କ ହକିମନ୍ତ୍ର : ଏଲଇଡିରେ ମ୍ୟାଚ ଦେଖନ୍ତୁ, ଶଙ୍ଖରେ ଭୋଟ୍ ଦିଅନ୍ତୁ
କ୍ରିକେଟ ମୈଦାନରୁ ପଲିଟିକାଲ୍ ପିଚ୍: ପଟୌଦୀ କ୍ଲିନ୍ ବୋଲ୍ଡ, ଇମ୍ରାନଙ୍କ ବଲେ୍ ବଲେ୍
Connect With Us