ଭୁବନେଶ୍ୱର: ବାପା ବିଜୁ ପଟ୍ଟନାୟକଙ୍କ ବାଟରେ ନବୀନ। ଶାସନ ବ୍ୟବସ୍ଥାରେ ମହିଳାଙ୍କୁ ଆଗ୍ରାଧିକାର ଦେବା ଲାଗି ବିଜୁ ପଟ୍ଟନାୟକ ସଂରକ୍ଷଣ ବ୍ୟବସ୍ଥାରେ ସଂଶୋଧନ କରିଥିଲେ। ୧୯୯୧ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ଲାଗି ୩୩% ସଂରକ୍ଷଣ ନିୟମ ଲାଗୁ କରିଥିଲେ। ଯାହାକି ଭାରତ ବର୍ଷରେ ଥିଲା ପ୍ରଥମ, ଆଉ ଏବେ ନବୀନ ପଟ୍ଟନାୟକ ବିଧାନସଭା ଓ ଲୋକସଭାରେ ମହିଳାଙ୍କ ଲାଗି ୩୩% ସ୍ଥାନ ସଂରକ୍ଷଣ ଲାଗୁ କରିବା ପାଇଁ ଆଗଭର ହୋଇଛନ୍ତି। ତେବେ ବିଜୁ ହୁଅନ୍ତୁ କି ନବୀନ, ନିର୍ବାଚନ ପୂର୍ବରୁ ମହିଳା ସଂରକ୍ଷଣ ନୀତିକୁ ଲାଗୁ କରିଥାନ୍ତି। ୧୯୯୨ପଞ୍ଚାୟତ ନିର୍ବାଚନ ଆଗରୁ ଅର୍ଥାତ ୧୯୯୧ରେ ମହିଳାଙ୍କ ଲାଗି ୩୩% ସଂରକ୍ଷଣ ନିୟମ ଲାଗୁ କରିଥିଲେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ। ଠିକ୍ ସେହିପରି ୨୦୧୨ପଞ୍ଚାୟତ ନିର୍ବାଚନ ଆଗରୁ ଏପ୍ରିଲ ୨୦୧୧ରେ ୩୩% ମହିଳା ସଂରକ୍ଷଣକୁ ବୃଦ୍ଧି କରି ୫୦% କରିଦେଲେ ନବୀନ। ଆଉ ୨୦ନଭେମ୍ବର ୨୦୧୮ରେ ମାଷ୍ଟର ଷ୍ଟ୍ରୋକ୍ ଖେଳି ବିଧାନସଭା ଓ ଲୋକସଭାରେ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଉଦ୍ୟମରେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ। ନଜରରେ ହାଣ୍ଡିଶାଳ
ଅପରପକ୍ଷରେ ନିର୍ବାଚନ କମିଶନ ଆକଳନ କରୁଛନ୍ତି ୨୦୧୯ନିର୍ବାଚନରେ ଓଡ଼ିଶାରେ ପ୍ରାୟ ୧କୋଟି ୫୧ଲକ୍ଷ ୩୬ହଜାର ୩୬ଜଣ ମହିଳା ଭୋଟର ହେବେ, ଯାହାକି ସମୁଦାୟ ଭୋଟରଙ୍କ ପ୍ରାୟ ଅଧା। ସେହି ମହିଳା ଭୋଟରଙ୍କ ମନ ଜିଣିବା ଲାଗି ନବୀନ, ମହିଳା ସଂରକ୍ଷଣ ଫର୍ମୁଲାକୁ ରିପିଟ୍ କରିବାକୁ ଯାଉଛନ୍ତି କି? ଅବଶ୍ୟ ତ୍ରିସ୍ତରୀୟ ପଞ୍ଚାୟତ ପରି ବିଧାନସଭା ଓ ଲୋକସଭା ନିର୍ବାଚନରେ ମହିଳା ସଂରକ୍ଷଣ ନୀତି ଲାଗୁ କରିବା ଏତେ ସହଜ ନୁହେଁ। ଏଥିପାଇଁ ସଂସଦର ମୋହର ଲାଗିବା ଜରୁରୀ। ଯାହା ୨୦୧୯ ନିର୍ବାଚନ ପୂର୍ବରୁ ଆଦୌ ସମ୍ଭବ ନୁହେଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଜଣା। କିନ୍ତୁ ନବୀନ ଜାଣନ୍ତି ଯେ ମହିଳା ସଂରକ୍ଷଣ କାର୍ଡ ନ ଖେଳିଲେ, ପ୍ରଧାନମନ୍ତ୍ରୀ ଉଜ୍ଜଲା ଯୋଜନାରୁ ବିଜେପି ଫାଇଦା ନେଇଯିବ। ସେଥିପାଇଁ ଉଜ୍ୱଲା ଯୋଜନାକୁ ଆରମ୍ଭରୁ ବିରୋଧ କରିଛି ବିଜେଡି ସରକାର। ୨୦ଜୁନ୍ ୨୦୧୬ର ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ ଓ ପ୍ରଭାସ ସିଂ। ହେଲେ ୨୦୧୭ ଫେବ୍ରୁଆରୀ ପଞ୍ଚାୟତ ନିର୍ବାଚନରେ ଉଜ୍ୱଳା ଯୋଜନାର ସୁଫଳ ବିଜେପିକୁ ମିଳିଥିଲା। ଏହା ମଧ୍ୟରେ ଓଡ଼ିଶାର ୩୦ଲକ୍ଷରୁ ଉର୍ଦ୍ଧ ଗରିବ ମହିଳାଙ୍କୁ ଶସ୍ତାରେ ଗ୍ୟାସ ଯୋଗାଇ ଦେଇଛି କେନ୍ଦ୍ର ପେଟ୍ରୋଲିୟମ ବିଭାଗ। ଏହି ସଂଖ୍ୟା ୨୦୧୯ ନିର୍ବାଚନ ବେଳକୁ ସେହି ସଂଖ୍ୟା ୩୫ଲକ୍ଷକୁ ଛୁଇଁ ସାରିଥିବ। ତେଣୁ ଗ୍ୟାସ ଯୋଗାଇ ହାଣ୍ଡିଶାଳରେ ପଶି ସାରିଥିବା ବିଜେପିକୁ ଅଟକାଇବା ଲାଗି ନବୀନ ଖେଳିଲେ ମହିଳା ସଂରକ୍ଷଣ କାର୍ଡ ବୋଲି ଅନୁମାନ କରାଯାଉଛି।
ଲୋକାୟୁକ୍ତ ବିଲ୍ ପାରିତରେ ବି ଥିଲେ ପ୍ରଥମ
ଅନ୍ୟପଟେ ଆର୍ଥିକ ଅନଗ୍ରସର ଭୋଟରଙ୍କୁ ସାଙ୍ଗରେ ରଖିବା ଲାଗି କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନାକୁ ମନା କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଛନ୍ତି ନବୀନ ସରକାର। ଆଉ ଏବେ ଉଜ୍ୱଳା ଯୋଜନାକୁ କାଉଣ୍ଟର କରିବ ମହିଳା ସଂରକ୍ଷଣ କାର୍ଡ। ତେବେ ମହିଳା ସଂରକ୍ଷଣର ନୀତି ଲାଗୁ କରିବାରେ ପ୍ରଥମ ହେବା ପାଇଁ ଉଦ୍ୟମ କରୁଥିବା ନବୀନ ପଟ୍ଟନାୟକ, ଲୋକାୟୁକ୍ତଙ୍କ ନିଯୁକ୍ତି କେବେ କରିବେ? ଦୁର୍ନୀତି ବିରୋଧିର ଇମେଜ୍ ସୃଷ୍ଟି କରି ୨୦୧୪ ଫେବ୍ରୁଆରୀରେ ଲୋକାୟୁକ୍ତ ବିଲ୍ ପାସ୍ କରିବାରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ।ହେଲେ ସେହି ବିଲକୁ ୨୦୧୫ଫେବ୍ରୁଆରୀରୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିଲେ ମଧ୍ୟ ଓଡ଼ିଶାରେ ଏଯାଏଁ ନିଯୁକ୍ତ ହୋଇପାରିଲେ ନାହିଁ ଲୋକାୟୁକ୍ତ। ଆଉ ଏବେ ମହିଳା ସଂରକ୍ଷଣ କାର୍ଡ….
ଏଥିସହ ପଢ଼ନ୍ତୁ
ଅରବିନ୍ଦ ଢାଲି ଫେରିବେ ଜୟଦେବ! ନିଆଳିରୁ ଲଢ଼ିବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା!
ବିଜେପି ସାଂସଦ ବରୁଣ ଗାନ୍ଧିଙ୍କୁ PMOରୁ ତାଗିଦ, ‘କାହିଁକି ସମସ୍ୟା ବଢ଼ାଉଛ’?