Prakash-Mishra

ଭୁବନେଶ୍ୱର: ସବୁ ଓପିନିଅନ୍ ପୋଲର ସର୍ଭେ ରିପୋର୍ଟ କହୁଛି, ଓଡ଼ିଶାରେ ବିଜେପିର ଗ୍ରୋଥ ହେଉଛି। ସେଥିପାଇଁ ୨୦୧୯ ନିର୍ବାଚନ ପାଇଁ ଆସନ୍ତା ମାସରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାରୁ ପ୍ରଚାର ଆରମ୍ଭ କରିପାରନ୍ତି। ହେଲେ ଉପକୂଳ ଓଡ଼ିଶାରେ ବିଜେପିରେ ପପୁଲାର ଚେହେରାର ଅଭାବ ରହିଛି। ଯେଉଁଥିପାଇଁ ମୋଦି, ଅମିତ ଶାହ ଏବଂ ରାଜନାଥ ସିଂହ ମାଷ୍ଟର ଷ୍ଟ୍ରୋକ୍ ଖେଳିବାକୁ ଯାଉଛନ୍ତି। ସ୍ଥଳସେନାର ପୂର୍ବତନ ଅଧ୍ୟକ୍ଷ ଜେନେରାଲ ଭି.କେ. ସିଂହ ଏବଂ ମୁମ୍ବାଇର ପୂର୍ବତନ କମିଶନର ସତ୍ୟପାଲ ସିଂହଙ୍କ ପରି ଦୃଢ ତଥା ପପୁଲାର ପ୍ରଶାସକଙ୍କ ସନ୍ଧାନରେ ଥିଲା ବିଜେପି। ଓଡ଼ିଶା ପ୍ରଶାସନରେ ନିଜର ପରାକାଷ୍ଠା ଦେଖାଇଥିବା ସେଭଳି ପ୍ରଶାସକଙ୍କୁ ୨୦୧୯ ନିର୍ବାଚନରେ ଫିଟ୍ କରିବାକୁ ଯାଉଛନ୍ତି ମୋଦି ଆଣ୍ଡ କମ୍ପାନୀ। ଚାକିରୀରୁ ସେଚ୍ଛାକୃତ ଅବସର ନେଇଥିବା IAS ଅଫିସର ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ସମସ୍ତଙ୍କ ନଜର ଥିବାବେଳେ, ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ବିଜେପିରୁ ପ୍ରାର୍ଥୀ ହୋଇପାରନ୍ତି!RAJNATH & PRAKASH MISHRA (ରାଜନାଥଙ୍କ ସହ ପ୍ରକାଶ ମିଶ୍ର)
ରିପିଟ୍ ହେବ ବାଗପତ୍ ଫର୍ମୁଲା
ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଜାଟ୍ ରାଜନୀତିକୁ ୟୁପିରେ ଶେଷ କରିବାକୁ ୨୦୧୪ରେ ବିଜେପି ଯେଉଁ ଫର୍ମୁଲା ଆପଣାଇ ଥିଲା, ଏବେ ସେହି ଫର୍ମୁଲାକୁ ଓଡ଼ିଶାରେ ପ୍ରୟୋଗ କରିବାକୁ ଯାଉଛନ୍ତି ଅମିତ ଶାହ।ବାଗପତ୍ ଲୋକସଭା ଆସନରେ ୧୯୭୭ରୁ ଦବଦବା ଥିଲା ଚୌଧୁରୀ ଚରଣ ସିଂହଙ୍କ ପରିବାରର। କିନ୍ତୁ ୨୦୧୪ରେ ଚରଣ ସିଂହଙ୍କ ପୁଅ ତଥା ଆରଏଲଡି ନେତା ଅଜିତ ସିଂହଙ୍କୁ ହରାଇଲେ ବିଜେପି ପ୍ରାର୍ଥୀ ତଥା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ସତ୍ୟପାଲ ସିଂହ। ଠିକ୍ ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପୁଅ ତଥା ବିଜେଡି ସାଂସଦ ଭର୍ତ୍ତୃହରିଙ୍କୁ ଚେକମେଟ୍ ଦେବାକୁ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ବିଜେପି ଫିଟ୍ କରୁଛି। ଆଗାମୀ ନିର୍ବାଚନରେ ପ୍ରକାଶ ମିଶ୍ର ବିଜେପି ଟିକେଟରୁ କଟକ ଲୋକସଭା ଆସନ ପ୍ରାର୍ଥୀ ହୋଇ, ଲଗାତର ୫ଥର ଜିତୁଥିବା ଭର୍ତ୍ତୁହରିଙ୍କୁ ଟକ୍କର ଦେବେ ବୋଲି ଖବର ମିଳୁଛି।
ହାତରୁ ଖସୁଛି କଟକ
୧୯୭୭ ବ୍ୟାଚର ଓଡିଶା କ୍ୟାଡର ଆଇଏଏସ୍ ଅଫିସର ପ୍ରକାଶ ମିଶ୍ର,୨୦୧୬ଫେବ୍ରୁଆରି ୨୯ରେ ସିଆରପିଏଫ୍ ଡିଜି ଭାବେ ଅବସର ନେଇଛନ୍ତି। ହେଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅତି ବିଶ୍ୱସ୍ଥ ପ୍ରକାଶ, ଅବସର ପରେ ପ୍ରଥମେ ଉତ୍ତରାଖଣ୍ଡ ରାଜ୍ୟପାଳ କେ.କେ ପଲଙ୍କ ପରାମର୍ଶଦାତା ଏବଂ ପରେ କେନ୍ଦ୍ର ଅଗ୍ନିଶମ ସେବା, ଗୃହରକ୍ଷୀ ଓ ସିଭିଲ ଡିଫେନସ୍ ବିଭାଗର ଡିଜି ଭାବେ କାର୍ଯ୍ୟ କଲେ। ଦକ୍ଷ ଓ ସଚ୍ଚୋଟ ପ୍ରଶାସକ ଭାବେ ପ୍ରକାଶଙ୍କ ସୁନାମ ଥିବାବେଳେ ସେ କଟକ କିମ୍ବା ନିଜ ଜିଲ୍ଲା ପୁରୀରେ ଉପଯୁକ୍ତ ପ୍ରାର୍ଥୀ ହେବେ ବୋଲି ବିଜେପି ସର୍କଲରେ ଆଲୋଚନା। ଏମିତି ବି ଆଗାମୀ ନିର୍ବାଚନରେ କଟକ ଲୋକସଭା ଆସନରେ ସଂଘର୍ଷପୂର୍ଣ୍ଣ ମୁକାବିଲା ହେବ ବୋଲି ନବୀନ ପଟ୍ଟନାୟକଙ୍କୁ ମିଳିଛି ରିପୋର୍ଟ।କଟକ ଲୋକସଭା ଆସନ ଅଧୀନରେ ରହିଛି କଟକ-ବାରବାଟୀ, କଟକ-ଚୌଦ୍ୱାର, କଟକ-ସଦର, ଆଠଗଡ଼,ବଡମ୍ବା-ନରସିଂହପୁର, ବାଙ୍କୀ ଓ ଖଣ୍ଡପଡ଼ା। କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପାରିବାରିକ ବିବାଦ, ହାଇକୋର୍ଟ ଓକିଲ ସଂଘ ଏବଂ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ମଧ୍ୟରେ ଲଢ଼େଇ ଶାସକ ଦଳ ପାଇଁ କାଳ ହୋଇଛି। ସେହିପରି ଚିଟଫଣ୍ଡ କଳଙ୍କ ମୁଣ୍ଡେଇ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଓ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ଜେଲ ଯାଇଛନ୍ତି। ବଡମ୍ବାବାସୀ ଯେ ବିଜେଡି ଉପରେ କେତେ ଯେ କ୍ଷୁବ୍ଧ, ତାହା ପ୍ରମାଣିତ କରିଛି ପଞ୍ଚାୟତ ନିର୍ବାଚନ ଫଳାଫଳ। ସାଲେପୁରର ମୂଳବାସୀନ୍ଦା ତଥା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କୁ କଟକ ସଦରରେ ଶରଣାର୍ଥୀ ଭାବେ ଦେଖୁଛନ୍ତି ଭୋଟର। ଖଣ୍ଡପଡ଼ା ଓ ଆଠଗଡ଼ରେ ବି ଜାରି ରହିଛି ବିଜେଡିରେ ଅସ୍ଥିରତା।
ଷଡଯନ୍ତ୍ରର ବଦଲା ନେବେ
ସେପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ପ୍ରକାଶ ମିଶ୍ରଙ୍କ ବ୍ୟକ୍ତିଗତ ବିବାଦ ବି ପୁରୁଣା। ୨୦୧୪ ନିର୍ବାଚନ ସମୟରେ ଜଣେ ବିଜେଡି ନେତାଙ୍କ ପୁତୁରା ଆମ୍ବୁଲାନସରେ ଟଙ୍କା ନେଇ ଯାଉଥିବା ବେଳେ କଠୋର ମନୋଭାବ ଦେଖାଇଥିଲେ ତତ୍କାଳୀନ ପୋଲିସ ଡିଜି । ଫଳରେ ପୋଲିସ ଡିଜି ପଦରୁ ତଡ଼ା ଖାଇଥିଲେ ପ୍ରକାଶ। ଆଉ ଗୃହ ନିର୍ମାଣ ନିଗମର ପୂର୍ବତନ ଅଧ୍ୟକ୍ଷ ହିସାବରେ ପ୍ରକାଶଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ମାମଲା ରୁଜୁ କଲା ଭିଜିଲାନସ ବିଭାଗ। ଅବଶ୍ୟ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଣ୍ଣୟ ଗଲା ପ୍ରକାଶଙ୍କ ସପକ୍ଷରେ ଏବଂ ଭତ୍ସିତ ହୋଇଥିଲେ ଓଡ଼ିଶା ସରକାର। କିନ୍ତୁ ଏହି ଦୁର୍ନୀତି ମାମଲା ଚଳାଇ ପ୍ରକାଶଙ୍କୁ ସିବିଆଇ ନିର୍ଦ୍ଦେଶକ କରାଇ ନଦେବାରେ ସଫଳ ହୋଇଥିଲେ ବିଜୁ ଜନତା ଦଳ।
ଜମିବ IPS ଲଢ଼େଇ
ଅନ୍ୟପକ୍ଷରେ ଶୁଣିବାକୁ ମିଳିଛି,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଲୋକସଭା ଆସନ ପାଇଁ ପ୍ରକାଶଙ୍କୁ ଫିଟ୍ କରିବାକୁ ଚାହୁଁଛନ୍ତି। ଯଦିଓ ପୁରୀ ଲୋକସଭା ଆସନ ପାଇଁ ମୋଦିଙ୍କ ନାଁ ଶୁଣାଯାଉଛି, କିନ୍ତୁ ଦିଲ୍ଲୀର କ୍ଷମତା ପାଇଁ ୟୁପି(ବାରଣାସୀ)ଜରୁରୀ ବୋଲି ଧର୍ମେନ୍ଦ୍ର ଜାଣନ୍ତି। ସେଥିପାଇଁ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ଯୋଜନାରେ ଅଛନ୍ତି ଧର୍ମେନ୍ଦ୍ର। ପୁରୀ ଜିଲ୍ଲାର ମୂଳନିବାସୀ ପ୍ରକାଶ ମିଶ୍ର ପ୍ରାର୍ଥୀ ହେଲେ, ବିଜେପିର ବିଜୟ ସମ୍ଭାବନା ଅଧିକ ରହିବ। ଦ୍ୱିତୀୟରେ ବିଜେପିରେ ମିଶିବାର କଥା ଦେଇ ବିଜେଡିରେ ଯୋଗ ଦେଇଥିବା ଅରୁପ ପଟ୍ଟନାୟକଙ୍କୁ ପ୍ରକାଶ ଜରିଆରେ ଜବାବ ଦେଇପାରିବେ ଧର୍ମେନ୍ଦ୍ରArup-Patnaik (ଲଞ୍ଚରେ ଅରୁପ-ଧର୍ମେନ୍ଦ୍ର)
ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୁପ ପଟ୍ଟନାୟକ ବିଜେପିରେ ମିଶୁଛନ୍ତି ବୋଲି ପ୍ରଥମେ ଖବର ପ୍ରଚାର ହୋଇଥିଲା।ଏପରିକି ଅରୁପଙ୍କ ପୁରୀ ଜିଲ୍ଲାର ଡେଲାଙ୍ଗସ୍ଥିତ ବାସଭବନରେ ଧର୍ମେନ୍ଦ୍ରଙ୍କ ମଧ୍ୟାହ୍ନ ଭୋଜନର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ହେଲେ ପର ମୁହୁର୍ତ୍ତରେ ବିଜେଡିରେ ମିଶି, ବିଜୁ ଯୁବ ବାହିନୀକୁ ସମ୍ଭାଳୁଛନ୍ତି ଅରୁପ ପଟ୍ଟନାୟକ। ଆଉ ଆଗାମୀ ନିର୍ବାଚନରେ ସାଂସଦ ପିନାକୀ ମିଶ୍ରଙ୍କୁ ହଟାଇ,ପୁରୀ ଲୋକସଭା ଆସନରୁ ଅରୁପଙ୍କୁ ବିଜେଡି ପ୍ରାର୍ଥୀ ମଧ୍ୟ କରିପାରେ! ସେଥିପାଇଁ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୁପଙ୍କୁ ହରାଇବା ଲାଗି ଓଡ଼ିଶାର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ହିଁ ଉପଯୁକ୍ତ ପ୍ରାର୍ଥୀ ବୋଲି ବିଜେପିର ହିସାବ କହୁଛି। ଅବଶ୍ୟ ଗତ ନିର୍ବାଚନରେ ମଧ୍ୟ ବିଜେପି ପକ୍ଷରୁ ଅବସରପ୍ରାପ୍ତ IPS ଅଧିକାରୀ ଅଶୋକ ସାହୁ ପୁରୀ ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିଲେ।
ଏଥିସହ ପଢ଼ନ୍ତୁ-ଇଂଲଣ୍ଡ-ଅଷ୍ଟ୍ରେଲିଆକୁ ହରାଉଥିବା ଜିମ୍ବୋଓ୍ୱେ ପରି ୫ଟି ଦଳର ପ୍ରଦର୍ଶନ, ୨୦୧୯ ବିଶ୍ୱକପରେ ଦେଖିବାକୁ ମିଳିବନି