ବଡ଼ ସହର ନୁହେଁ, ଗାଁରେ ବଢୁଛି UPI କାରବାର

UPI କାରବାରକୁ ନେଇ ଅନେକଙ୍କର ଭୁଲ୍ ଧାରଣା ଅଛି । ଅନେକ ଜଣ ଏକଥା ଭାବନ୍ତି କି  UPIର ବୃଦ୍ଧି ପାଉଥିବା କାରବାର କେବଳ ବଡ଼ ସହରର ଗ୍ରାହକ ମାନଙ୍କ ଦ୍ୱାରା କରାଯାଉଥିବା ବଡ଼ ପେମେଣ୍ଟ ଯୋଗୁଁ ହେଉଛି କିନ୍ତୁ ଅସଲରେ ତାହା ନୁହେଁ । ପ୍ରକୃତରେ ଏହି ଅଭିବୃଦ୍ଧିର ସବୁଠାରୁ ବଡ଼ କାରଣ ହେଉଛନ୍ତି ଛୋଟ ସହର ଏବଂ UPI ସହ ଯୋଡ଼ି ହେଉଥିବା ନୂଆ ବ୍ୟବହାରକାରୀ,ଯେଉଁମାନେ କମ ଟଙ୍କାର କାରବାର ତ କରନ୍ତି କିନ୍ତୁ ଅଧିକ ଥର କରୁଛନ୍ତି ଏପରି ଅନେକ ଦୈନନ୍ଦିନ ଖର୍ଚ୍ଚ, ଯାହା ପୂର୍ବରୁ ନଗଦ ଆକାରରେ ହେଉଥିଲା, ତାହା ଏବେ UPI ମାଧ୍ୟମରେ କରାଯାଉଛିଜୁଲାଇକୁ ଭାରତରେ ଡିଜିଟାଲ୍ ପେମେଣ୍ଟ ପାଇଁ ସବୁଠାରୁ ଦୁର୍ବଳ ମାସ ଭାବେ ଗ୍ରହଣ କରାଯାଉଥିବା ସତ୍ତ୍ୱେ UPI ଏକ ନୂଆ ରେକର୍ଡ ସୃଷ୍ଟି କରିଛି

ଜୁଲାଇରେ UPIର ମହାରେକର୍ଡ
ଜୁଲାଇରେ UPI ମାଧ୍ୟମରେ ୨୩.୬୬ ବିଲିୟନ୍ କାରବାର କରାଯାଇଛି। ଯାହାର ମୂଲ୍ୟ ୨୯.୮୮ ଲକ୍ଷ କୋଟି ଟଙ୍କା । ଜୁନ୍ ମାସର ୨୨.୭୨ ବିଲିୟନ୍ କାରବାର ତୁଳନାରେ ଜୁଲାଇରେ ୪% ମାସିକ ଅଭିବୃଦ୍ଧି ରେକର୍ଡ ହୋଇଛି। କାରବାରର ମୋଟ ମୂଲ୍ୟରେ ୩.୩% ମାସିକ ବୃଦ୍ଧି ହୋଇଛି। ଏଥି ସହିତ କ୍ରମାଗତ ଭାବେ UPIର ଗତି ମଜଭୁତ ରହିଛି ।2025 ଅକ୍ଟୋବର ମାସରୁ ପ୍ରତି ମାସରେ UPI କାରବାର ୨୦ ବିଲିୟନ୍‌ରୁ ଅଧିକ ରହିଆସିଛି।  ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ବ୍ୟବସାୟୀ ମାନଙ୍କ ଦ୍ୱାରା UPI ବ୍ୟାପକ ଭାବରେ ବ୍ୟବହାର ହେଉଛି । କିଣାବିକାରେ ଅଧିକାଂଶ ଲୋକ ଅନଲାଇନ୍ ପେମେଣ୍ଟ କରୁଛନ୍ତି । ସ୍ମାର୍ଟଫୋନ୍‌ର ସୁବିଧା ଦ୍ୱାରା ଅଧିକରୁ ଅଧିକ ଲୋକ ଡିଜିଟାଲ୍ ପେମେଣ୍ଟ ସହ ଯୋଡ଼ି ହେଉଛନ୍ତି। ଗ୍ରାହକ ମାନଙ୍କ ମଧ୍ୟରେ ଡିଜିଟାଲ୍ ପେମେଣ୍ଟ ପ୍ରତି ବୃଦ୍ଧି ପାଉଥିବା ବିଶ୍ୱାସ ଏବଂ ବ୍ୟବହାର UPI ପେମେଣ୍ଟକୁ ଅଧିକ ମଜଭୁତ କରିଛି ।  ଯାହା ଫଳରେ ନଗଦ ଟଙ୍କା ବଦଳରେ UPIର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି।
UPIର ସଫଳତା ଏବେ କେବଳ ମହାନଗର ଗୁଡ଼ିକରେ ସୀମିତ ହୋଇ ରହିନାହିଁ । ଭାରତର ଛୋଟ ସହର, ଗାଁ-ଗଣ୍ଡା ଏବଂ ନୂଆ ଡିଜିଟାଲ୍ ଗ୍ରାହକ ଏହାର ସବୁଠାରୁ ବଡ଼ ଶକ୍ତି ପାଲଟିଛନ୍ତି। ଛୋଟ ଛୋଟ କିନ୍ତୁ ବାରମ୍ବାର ହେଉଥିବା କାରବାର ହିଁ ଆଜି UPIର ରେକର୍ଡ ଅଭିବୃଦ୍ଧିକୁ ନୂଆ ହାଇଟକୁ ନେଇଯାଉଛି। UPI ର ପେମେଣ୍ଟ ଏତେ ବଢିଛି ଯେ ATM ବନ୍ଦ ହେବାରେ ଲାଗିଛି । ଭାରତରେ ପାଖାପାଖି ୨୪୦୦ ATM ବନ୍ଦ ହୋଇଥିଲା ବେଳେ ଓଡ଼ିଶାରୁ ବର୍ଷେ ମଧ୍ୟରେ ୭୧୬ଟି ଏଟିଏମ୍ ବନ୍ଦ ହୋଇଛି । 

ଓଡ଼ିଶାରୁ କମୁଛି ATM

ୟୁପିଆଇ ଯୁଗରେ ATMର ବ୍ୟବହାର କମୁଛି । ଅନଲାଇନ୍ ପେମେଣ୍ଟ ଯୋଗୁଁ ଲୋକ ATMକୁ ଗୁରୁତ୍ୱ ଦେଉନାହାନ୍ତି । ନଗଦ ବଦଳରେ ଡିଜିଟାଲ ପେମେଣ୍ଟକୁ ବେଶି ଗୁରୁତ୍ୱ ଦେବାରୁ ବ୍ୟାଙ୍କଗୁଡ଼ିକ ମଧ୍ୟ ଗୋଟିଏ ପରେ ଗୋଟିଏ ATM ବନ୍ଦ କରୁଛନ୍ତି। ବର୍ଷେ ମଧ୍ୟରେ ଓଡ଼ିଶାରେ ବନ୍ଦ ହୋଇଛି ୭୧୬ଟି ATM ।୨୦୨୫ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟରେ ୬ ହଜାର ୨୫ଟିATM ଥିବାବେଳେ, ୨୦୨୬ ମାର୍ଚ୍ଚ ଶେଷ ସୁଦ୍ଧା ଏହି ସଂଖ୍ୟା କମି ୫ ହଜାର ୩୦୯କୁ ଖସିଆସିଛି। ବର୍ଷକ ମଧ୍ୟରେ ଓଡ଼ିଶାରେ ୭୧୬ଟି ATM ବନ୍ଦ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥାଟି ହେଉଛି ରୁରାଲ ଏରିଆ ଅପେକ୍ଷା ଅର୍ବାନ୍ ଏରିଆରେ ATM ବେଶୀ ବନ୍ଦ ହେଉଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୬୩ଟି ଏଟିଏମ୍ ବର୍ଷକ ଭିତରେ ବନ୍ଦ ହୋଇଛି। କ୍ୟାପିଟାଲ ଭୁବନେଶ୍ୱରର ଆକାଉଣ୍ଟ ହୋଲ୍ଡର ବି ଏ ଚିଠାରେ ଆସୁଛନ୍ତି । ରାଜଧାନୀରେ ବି କମୁଛି ATMର ବ୍ୟବହାର । ସେହିପରି ଓଡ଼ିଶାର  ପ୍ରମୁଖ ସହର କଟକରେ ବି ସମାନ ଅବସ୍ଥା । ବର୍ଷକରେ କଟକରେ ୫୮ ଟି ATM ବନ୍ଦ କରିଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ATMର ଆଦୌ ବ୍ୟବହାର ହେଉ ନଥିବାରୁ ବ୍ୟାଙ୍କକୁ ଏମିତି ନିଷ୍ପତ୍ତି ନେବାକୁ ପଡ଼ିଛି । ସୁନ୍ଦରଗଡ଼ରେ ୪୯, ବାଲେଶ୍ଵରରେ ୪୧, ଗଞ୍ଜାମରେ ୩୧, କେନ୍ଦୁଝରରେ ୩୦, ପୁରୀରେ ୨୩, ଅନୁଗୁଳରେ ୧୯ ଓ ବଲାଙ୍ଗୀରରେ ୧୬ଟି ATM ବନ୍ଦ ହୋଇଛି। ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ କେବଳ ବୌଦ୍ଧକୁ ଛାଡ଼ି ଅନ୍ୟ ସବୁ ଜିଲ୍ଲାରେ ATM ସଂଖ୍ୟା କମିଛି। ଯାହାର ସର୍ବାଧିକ ପ୍ରଭାବ ପଡ଼ିଛି ଖୋର୍ଦ୍ଧା ଓ କଟକରେ।

ଡିଜିଟାଲ ପେମେଣ୍ଟ ବଢ଼ୁଥିଲେ ମଧ୍ୟ ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳର ଅନେକ ଲୋକ ଏବେ ବି ନଗଦ ଟଙ୍କା ପାଇଁ ଏଟିଏମ୍ ଉପରେ ନିର୍ଭରଶୀଳ। ଆନୁପାତିକ ଭାବରେ ଦେଖିବାକୁ ଗଲେ ରୁରାଲ ଏରିଆ ବା ଗ୍ରାମାଞ୍ଚଳରେ ଏବେ ବି ନଗଦ ଟଙ୍କା ପାଇଁ ATM ଉପରେ ଲୋକ ନିର୍ଭର କରୁଛନ୍ତି । ଗ୍ରାମାଞ୍ଚଳରେ ଏଟିଏମ ବ୍ୟବହାର ଉପରେ ଏତେଟା ପ୍ରଭାବ ପଡ଼ୁନାହିଁ ।  ତଥାପି ଓଡ଼ିଶାରେ ଦ୍ରୁତ ଗତିରେ ଏଟିଏମ୍ ସଂଖ୍ୟା ହ୍ରାସ ପାଉଛି । ତେବେ ପ୍ରଶ୍ନ ଉଠୁଛି  କାହିଁକି ଏଟିଏମ୍ ବନ୍ଦ କରୁଛନ୍ତି ବ୍ୟାଙ୍କ । ଏକ୍ସପର୍ଟଙ୍କ ମତରେ , ୟୁପିଆଇ ଓ ଡିଜିଟାଲ ପେମେଣ୍ଟର ବଢ଼ୁଥିବା ବ୍ୟବହାର, ଏଟିଏମ୍‌ର କମ୍ ବ୍ୟବହାର ଏବଂ ପରିଚାଳନା ଖର୍ଚ୍ଚ ବଢ଼ିବା ହିଁ ଏହାର ପ୍ରମୁଖ କାରଣ। ଗୋଟାଏ ପଟେATM ସଂଖ୍ୟା କମୁଥିବା ବେଳେ, ଅନ୍ୟପଟେ ବ୍ୟାଙ୍କ  ବ୍ରାଞ୍ଚ ବଢ଼ୁଛି।  ୨୦୨୫ରେ  ଓଡ଼ିଶାରେ ୫ ହଜାର ୮୦୭ଟି ବ୍ୟାଙ୍କ ଶାଖା ଥିବାବେଳେ, ବର୍ଷକ ମଧ୍ୟରେ ୧୭୬ଟି ନୂଆ ଶାଖା ଯୋଡ଼ି ଏହା ୫ ହଜାର ୯୮୩କୁ ପହଞ୍ଚିଛି। ଏଭଳି ସମୟରେ ବର୍ଷକ ମଧ୍ୟରେ ୭୧୬ଟି ଏଟିଏମ୍ ବନ୍ଦ ହେବା ବ୍ୟାଙ୍କିଙ୍ଗ ସେବାର ଉପଲବ୍ଧତା ଉପରେ ପ୍ରଶ୍ନ ସୃଷ୍ଟି କରିଛି।

BJDରେ ସୁଜାତା, ମାଷ୍ଟରଷ୍ଟ୍ରୋକ୍ ନା ରିସ୍କ

ଭି କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନ ବିଦ୍ଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଜଣେ ସାଧାରଣ ସଦସ୍ୟ ବୋଲି କ୍ଲିୟର କରିବା ସହିତ ଆଗାମୀ ନିର୍ବାଚନରେ ନିଜେ ଲିଡ୍ ନେବେ ବୋଲି କହିଛନ୍ତି । ତେବେ ସୁଜାତାଙ୍କ ଏଣ୍ଟ୍ରି ଯେତିକି ରୋଚକ ତା ଠୁ ଅଧିକ ରୋଚକ ହେଉଛି ନବୀନଙ୍କ ମନ୍ତବ୍ୟ । ବିଜେଡିରେ ଲିଡରସିପ ସଙ୍କଟକୁ ଭୋଟର ଅଗ୍ରାହ୍ୟ କରିଥିବା ବୁଝି ପାରିଛନ୍ତି ନବୀନ । 

  • ୨୦୦୦ ବ୍ୟାଚ୍‌ର IAS ଅଫିସର ହେଉଛନ୍ତି ସୁଜାତା ଆର୍. କାର୍ତ୍ତିକେୟନ ପାଣ୍ଡିଆନ
  • କେନ୍ଦ୍ରାପଡ଼ାର ମୂଳନିବାସୀ ସୁଜାତା ରାଉତ ଅଣଓଡ଼ିଆ IAS ଅଫିସର ଭି. କେ ପାଣ୍ଡିଆନଙ୍କ ସ୍ତ୍ରୀ
  • ଜଣେ IAS ଅଫିସର ଭାବରେ ସାଇକେଲ ବଣ୍ଟନ, ମଧ୍ୟାହ୍ନଭୋଜନରେ ଅଣ୍ଡା ବଣ୍ଟନ, ମମତା ଟଙ୍କା ବଣ୍ଟନ କ୍ଷେତ୍ରରେ ପ୍ରମୁଖ ଭୂମିକା ଲିଭେଇଛନ୍ତି ସୁଜାତା
  • ୨୦୨୧ ଜୁନ୍ ୧ରେ ସ୍ୱତନ୍ତ୍ର ମିଶନ ଶକ୍ତି ବିଭାଗ ଗଠନ ହେବା ପରେ କମିଶନର-କମ୍-ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ସୁଜାତା ।
  • ମେ ୨୦୨୪ରେ ନିର୍ବାଚନ ଆୟୋଗ, ସରକାରୀ କାର୍ଯ୍ୟାଳୟର ଅପବ୍ୟବହାର ଅଭିଯୋଗ ଦର୍ଶାଇ ତାଙ୍କୁ ମିଶନ ଶକ୍ତିର କମିଶନର-କମ୍-ସଚିବ ପଦରୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ତାଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ମିଳିଥିଲା
  • ବିଜୁ ଜନତା ଦଳର ପରାଜୟ ପରେ ପ୍ରଶାସନୀକ ଅଧିକାରୀ ଭାବେ କାମ କରୁଥିବା ମିସେସ ପାଣ୍ଡିଆନ
    ମାର୍ଚ୍ଚ ୧୩, ୨୦୨୫ରେ voluntary retirement ନେଇ ଏବେ ପଲିଟିକ୍ସରେ ଏଣ୍ଟ୍ରି କରିଛନ୍ତି ।
  • ପୂର୍ବରୁ ସୁଜାତାଙ୍କ ସ୍ୱାମୀ ଭି. କେ ପାଣ୍ଡିଆନ ମଧ୍ୟ ଚାକିରୀରୁ ଭି ଆର ଏସ ନେଇ ବିଜେଡିର ନେତୃତ୍ୱ ନେଇଥିଲେ ।
  • ବିଜେଡିର ପରାଜୟ ପରେ ଅଣଓଡ଼ିଆ ଫ୍ୟାକ୍ଟରକୁ ବୁଝିପାରି ସ୍ତ୍ରୀ ସୁଜାତାଙ୍କୁ ଆଗକୁ ଛାଡ଼ି ଥାଇ ପାରନ୍ତି ପାଣ୍ଡିଆନ ।
  • ତେବେ ଏବେ ଦେଖିବା ବାକି ରହିଲା ବିଜେଡି ପାଇଁ ଆସେଟ୍ ନା ବୁମେରାଂ ହେବେ ମିସେସ ପାଣ୍ଡିଆନ ?

କିଏ ସୁଧାରିବ ବହିର ଭୁଲ୍

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛପାଯାଇଥିବା ନୂଆ ବହିରେ ୧୬୭୮ ଭୁଲ୍ ରହିଛି । ନୂଆ ବହି ଛାପିବା ପରିବର୍ତ୍ତେ ବହିରେ ହେଇଥିବା ଭୁଲକୁ ସୁଧାରି ପାଠ ପଢେଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯାହା ପରେ ବିବାଦ ଆହୁରି ବଢ଼ିଛି । ସରକାରୀ ତଥ୍ୟ ଅନୁସାରେ ୧୦୮୯ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ମାତ୍ର ଜଣେ ଶିକ୍ଷକ ରହିଥିବାବେଳେ, ୧୯୦୦ଟି ସ୍କୁଲରେ କେବଳ ଗୋଟିଏ ଶ୍ରେଣୀଗୃହ ରହିଛି। ଅନ୍ୟପଟେ ଦେଢ଼ ଲକ୍ଷ ଶିକ୍ଷକ ପଦବି ମଧ୍ୟରୁ ୫୦ ହଜାରରୁ ଅଧିକ ପଦ ଖାଲି ପଡ଼ିଛି। ଅର୍ଥାତ ଏକ ତୃତୀୟାଂଶ ଶିକ୍ଷକ ନାହାନ୍ତି । ଏପରି ସ୍ଥିତିରେ ବହିରେ ଥିବା ଭୁଲ୍ ସଂଶୋଧନ କରି ଶିକ୍ଷକମାନେ ପଢ଼ାଇବାକୁ ଗଣଶିକ୍ଷା ବିଭାଗ କହୁଛି । ଯାହା କି ବାସ୍ତବରେ ସମ୍ଭବ ନୁହେଁ, ପ୍ରଶ୍ନ ଉଠୁଛି ଏତେ କମ୍ ଶିକ୍ଷକ ଥିବା ଶିକ୍ଷାନୁଷ୍ଠାନରେ ଏସବୁ ଭୁଲ୍ ସୁଧାରିବ କିଏ?

ଶିକ୍ଷାଦାନ ଅପେକ୍ଷା ଅଣଶିକ୍ଷା କାର୍ଯ୍ୟରେ ଅଧିକ ମାତ୍ରାରେ ଲିପ୍ତ ରଖୁଛନ୍ତି । ପାଠପଢ଼ା ସହ ଏସ୍ଆଇଆର୍, ବିଏଲ୍ଓ, ଜନଗଣନା, ଭଳି ଅନେକ କାମ ପ୍ରାଥମିକ ଶିକ୍ଷକଙ୍କ ମୁଣ୍ଡରେ ଲଦି ଦିଆଯାଉଛି । ଉଲ୍ଲାସ, ଟିଏଲ୍ଏମ୍, କୃମି ବଟିକା ବାଣ୍ଟିବାଠୁ ଆରମ୍ଭ କରି  ଆସ ସ୍କୁଲ ଯିବା କାର୍ଯ୍ୟକ୍ରମରେ ଘରକୁ ଘର ବୁଲି ସର୍ଭେ କରୁଛନ୍ତି ଶିକ୍ଷକ । ମଧ୍ୟାହ୍ନଭୋଜନର ହିସାବ, ଛାତ୍ରଛାତ୍ରୀଙ୍କ ଆଧାରକାର୍ଡ କରାଇବା, ଜାତି ପ୍ରମାଣପତ୍ର କରାଇବା କାମ ବି ଶିକ୍ଷକଙ୍କୁ କରିବାକୁ ପଡ଼ୁଛି ଏସବୁ କାମରେ ଅବହେଳା ହେଲେ ଟିଚରଙ୍କୁ ପନିସମେଣ୍ଟ ବି ମିଳୁଛି । ୧୬୭୮ ଭୁଲରୁ ଅଷ୍ଟମ ଶ୍ରେଣୀର ବହିରେ ୭୦୫ଟି ଭୁଲ୍ ଥିବା ଚିହ୍ନଟ କରାଯାଇଛି । ପ୍ରଥମ ଶ୍ରେଣୀରେ ୭ଟି ,ଦ୍ୱିତୀୟ ଶ୍ରେଣୀରେ ୧୨ଟି ଓ ଭୁଲ୍ ତୃତୀୟ ଶ୍ରେଣୀ ବହିରେ ୭୫ଟି, ଚତୁର୍ଥ ଶ୍ରେଣୀରେ ୧୩୧, ପଞ୍ଚମ ଶ୍ରେଣୀରେ ୭୫, ଷଷ୍ଠ ଶ୍ରେଣୀ ବହିରେ ୨୮୯, ସପ୍ତମଶ୍ରେଣୀ ବହିରେ ୩୮୭ ଭୁଲ୍ ରହିଛି  । ଏହାକୁ ଛାଡ଼ି ଆଉ ଅଧିକ ଭୁଲ୍ ବି ବାହାରି ପାରେ । ହେଭି ୱାର୍କଲୋଡରେ ଥିବା ଶିକ୍ଷକ ପାଠ୍ୟପୁସ୍ତକ ସଂଶୋଧନ କରି ପଢ଼ାଇବା କଣ ସମ୍ଭବ? ତା ଛଡ଼ା ଶିକ୍ଷକ ମାନେ ତ୍ରୁଟି ସଂଶୋଧନ କରୁଛନ୍ତି କି ନାହିଁ ତାକୁ କିଏ ଅନୁଧ୍ୟାନ କରୁଛି? ଏ ଦିଗକୁ ସରକାର ଚିନ୍ତା ନ କଲେ ପ୍ରାଥମିକ ଶିକ୍ଷାର ବିଫଳତା ତାଙ୍କୁ ଭାରି ପଡ଼ିପାରେ  । ପିଲାଙ୍କୁ କ୍ୱାଲିଟି ଏଜୁକେସନ ଦେବାରେ ଫେଲ୍ ହେବେ ବିଜେପି ସରକାର

ଭିକ ମାଗୁଛନ୍ତି ଭତ୍ତା ହିତାଧିକାରୀ !

ବୟସ ପାଖାପାଖି ୭୦। ନା ଆଖିକୁ ଭଲରେ ଦିଶୁଛି ନା ଚଲାବୁଲା କରିବା ପାଇଁ ସାମର୍ଥ୍ୟ ଅଛି । ଯେଉଁ ବୟସରେ ଘରେ ବସି ଆରାମ କରିବା କଥା ସେଇ ବୟସରେ ଭିକ ମାଗୁଛନ୍ତି ବୃଦ୍ଧ ଦମ୍ପତ୍ତି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାନିଗାଁ ପଞ୍ଚାୟତର ମୂଷାପାଲାର ଦୈତାରି ଭତ୍ରା ଓ ତାଙ୍କ ସ୍ତ୍ରୀ ବାଲ ଭତ୍ରା ବାଧ୍ୟ ହୋଇ ଭିକ ମାଗୁଛନ୍ତି । ଘରେ ରୋଜଗାର କରିବାକୁ କେହି ନାହାନ୍ତି । ୨ ପିଲା ମାନସିକ ରୋଗରେ ପୀଡ଼ିତ ହେଉଥିବାରୁ ପରିବାର ଭତ୍ତା ଉପରେ ନିର୍ଭରଶୀଳ । ତିନି ମାସ ହେବ ଭତ୍ତା ମିଳୁନି । ଖର୍ଚ୍ଚ କରିବା ତ ଦୂରର କଥା,ଖାଇବା ଗଣ୍ଡେ ଯୋଗାଡ଼ କରିବାକୁ ହାତ ପତେଇବାକୁ ପଡ଼ୁଛି। ଆଖିକୁ ଭଲ ନ ଦିଶିଲେ ବି ଜୀବନ ପାଇଁ ଚାଲିବାକୁ ପଡ଼ୁଛି ଅନେକ ବାଟ । ମୁଣ୍ଡଫଟା ଖରାରେ ଗାଁ ଗାଁ ବୁଲି ଜୀବନ ପାଇଁ କରୁଛନ୍ତି ସଙ୍ଘର୍ଷ। ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ମାନ ଦେବେ କଣ ଓଲଟା ଭିକାରୀ ସଜେଇ ସାରିଲେଣି ସରକାର । ସରକାରଙ୍କ ଅବହେଳା ପାଇଁ ଭିକ ମାଗିବା ହିଁ ପାଲଟିଛି ଶେଷ ଆଶା  । ଜୀବନ ପାଇଁ ଘରଘର ବୁଲି ଭିକ ମାଗିବା ସହ ମୂଷାପାଲାରୁ ଲକ୍ଷ୍ମୀ ବସରେ ମୈଦଲପୁର ଆସି ଯାତ୍ରୀଙ୍କୁ ଭିକ ମାଗିବାକୁ ପଡ଼ୁଛି ।

ସଙ୍କଳ୍ପ ନାଁ ରେ ଧୋକ୍କା
ନିର୍ବାଚନ ପୂର୍ବରୁ ବିଜେପି ସଙ୍କଳ୍ପପତ୍ରରେ ଭତ୍ତା ହିତାଧିକାରୀଙ୍କୁ ମିଛ ସ୍ୱପ୍ନ ଦେଖାଇଥିଲା । ୨୦୨୪ ମସିହା ମେ ୫ ତାରିଖରେ
BJPର ଘୋଷଣା ପତ୍ରର ୧୮ତମ ସଂକଳ୍ପ ଥିଲା- ଆମେ ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା” ମାଧ୍ୟମରେ ବୟସ୍କ, ଦିବ୍ୟାଙ୍ଗ, ବିଧବା ଓ ନିରାଶ୍ରୟ ମାନଙ୍କୁ ୩୦୦୦ ଟଙ୍କାର ମାସିକ ପେନସନ୍ ପ୍ରଦାନ କରିବୁ । ୮୦% ଅକ୍ଷମତା ଥିବା ଦିବ୍ୟାଙ୍ଗଙ୍କୁ ଏବଂ ୮୦ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ୩୫୦୦ ଟଙ୍କାର ପେନସନ୍ ଦେବୁ । କିନ୍ତୁ ଜାନୁଆରୀ ୨୦୨୫ରୁ ୮୦ଅକ୍ଷମତା ଥିବା ଦିବ୍ୟାଙ୍ଗ ଏବଂ ୮୦ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଛାଡ଼ିଦେଲେ କାହାରିକୁ ବି ୩୦୦୦ ଟଙ୍କାର ଭତ୍ତା ଦେଇନାହାନ୍ତି ସରକାର । ୩୦୦୦ ତ ଦୂରର କଥା ମାସିକ ୧୦୦୦ ଟଙ୍କାର ଭତ୍ତା ହିତାଧିକାରୀଙ୍କୁ ବି ଠିକ୍ ସମୟରେ ଭତ୍ତା ମିଳୁନି ।

୫୧,୪୫,୨୯୪ ଲୋକଙ୍କୁ ଠକିଦେଲେ
ନିଜ ସଂକଳ୍ପତ୍ରରେ ବୃଦ୍ଧ, ବୟସ୍କ, ବିଧବା ଓ ଦିବ୍ୟାଙ୍ଗଙ୍କୁ ଭତ୍ତା ବୃଦ୍ଧିର ଲିଖିତ ପ୍ରତିଶ୍ରୁତି ଦେଇଥିଲା ବିଜେପି । ରାଜ୍ୟରେ ପେନସନ୍ ପାଉଥ‌ିବା ମୋଟ ବ୍ୟକ୍ତିଙ୍କ ସଂଖ୍ୟା ୫୬,୩୦,୩୯୯   ଏମାନଙ୍କ ମଧ୍ୟରୁ ,୮୫,୧୦୫ ଜଣ ହିତାଧିକାରୀ ୩୫୦୦ ଟଙ୍କାର ପେନସନ୍ ପାଉଛନ୍ତି । ବଳକା ୫୧,୪୫,୨୯୪ ବ୍ୟକ୍ତିଙ୍କୁ ମାସିକ ଭତ୍ତା ୩୦୦୦ ଟଙ୍କା ମିଳୁ ନାହିଁ । ମିଛ ପ୍ରଲୋଭନ ଦେଖାଇ  ଭୋଟ୍ ନେଲାପରେ ୫୧,୪୫,୨୯୪ ଭତ୍ତା ହିତାଧିକାରୀଙ୍କୁ ବିଜେପି ସରକାର ଠକିଦେଇଛି । ଆଉ ଏବେ  ମାସ ହେଇଯିବ ରାଜ୍ୟବ୍ୟାପୀ ହିତାଧିକାରୀଙ୍କୁ ଭତ୍ତା ଦେଇ ନଥିବା ଅଭିଯୋଗ ଆସୁଛି । ରାଜ୍ୟର ଅଧିକାଂଶ ଭତ୍ତା ହିତାଧିକାରୀଙ୍କର ଭତ୍ତା ଟଙ୍କା ହିଁ ବଞ୍ଚିବାର ଏକମାତ୍ର ମାଧ୍ୟମ । ଟଙ୍କା ଦେବାର ଅନିୟମିତତା ହିତାଧିକାରୀଙ୍କୁ ସମସ୍ୟାରେ ପକାଉଛି ।ପରିସ୍ଥିତି ଏତେ ଶୋଚନୀୟ ଯେ ନବରଙ୍ଗପୁର ପରି ରାଜ୍ୟର ବିଭିନ୍ନ ହିତାଧିକାରୀ ଭିକ୍ଷାବୃତ୍ତି ଭରସାରେ ।