ଛୋଟ ମୋର ଗାଆଁଟି,ଭୂଗୋଳ ପୋଥି ପତରେ ପଛେ ନ ଥାଉ ତା’ର ନାଆଁଟି ସମାଜ ଜେତେ ବି ସହର ମୁହାଁ ହେଉ ନା କାହିଁକି ପରିଚୟର ମୂଳଦୂଆ କିନ୍ତୁ ଗାଆଁରେ ହିଁ ତିଆରି। ଗୋଟାଏ ନିର୍ଦ୍ଧିଷ୍ଟ କ୍ଷେତ୍ରରେ ସେ ଗାଁ ମାଟିର ଅନେକ ଲୋକଙ୍କ ପ୍ରତିଷ୍ଠା ତାକୁ ସେଇ ନାଁ ରେ ନାମିତ କରେ। ଏଇ ଯେମିତି ସୁନ୍ଦରଗଡ଼କୁ ହକି ଗଡ଼ ଏବଂ ଓଡ଼ିଶାକୁ ହକି ହବ୍। ଓଡ଼ିଶାରେ ଏଭଳି ଏକ ଗାଁ ଅଛି ଯାହାକୁ ହକି ଗାଁ କହିଲେ ବୋଧହୁଏ କିଛି ଭୁଲ୍ ହେବନି। ହକି କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ସେହି ସୁନାମୁଣ୍ଡାର ଗାଁ ହେଉଛି ସଉନାମରା।ଯେଉଁଠି ତିଆରି ହୋଇଛି ଜାତୀୟ ଏବଂ ଆନ୍ତର୍ଜାତୀୟ ହକି ଖେଳାଳୀଙ୍କ ପରିଚୟ। ସେଇଠି ହିଁ ବସିଛି ହକିର ଭାତହାଣ୍ଡି।
ସେ ଗାଁ ପଡ଼ିଆ ଛାତିରେ ସେମାନେ ଶିଖିଛନ୍ତି ବାଡ଼ିରେ ବଲକୁ ବୋଲ ମନେଇବାର କଳା। ଜାତୀୟ ଏବଂ ଆନ୍ତର୍ଜାତୀୟ ଫିଲ୍ଡରେ ହକି ଷ୍ଟିକର କରାମତି ଦେଖାଇବା ପୂର୍ବରୁ ଏ ଗାଁର ବଙ୍କା କେନ୍ଦୁ ବାଡି ଏବଂ ବାଉଁଶ ବାଡି ହିଁ ଶିଖେଇଛି ଗୋଲ୍ କରିବାର କୌଶଳ। ଗୋବର ଲିପା ଅଗଣାରେ ବି ଆରମ୍ଭ ହୋଇଛି ହକି ଶିକ୍ଷା। କିନ୍ତୁ ଅଗଣାରେ ଅଟକି ଯାଇନି ହକି। ବରଂ ସେ ଗାଁର ପିଲା ଅଲମ୍ପିକରେ ପଦକ ହାତେଇବା ସହ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଭାରତକୁ ଦେଇଛନ୍ତି ଗୌରବ। ସୁନାମ ସାଉଁଟିଥିବା ପ୍ରତିଟି ଖେଳାଳୀଙ୍କ ଜୀବନ ଗରୀବିରେ କଟିଥିଲେ ବି କେହି ହାର ମାନି ନାହାନ୍ତି। ବରଂ ପରିସ୍ଥିତିକୁ ପୋଷା ବନାଇ ତିଆରି କରିଛନ୍ତି ପ୍ରତିଷ୍ଠା ଆଉ ଗାଁକୁ କରିଛନ୍ତି ହକି ଗାଁ।
ଏ ଗାଁରେ ଦିନେ କେନ୍ଦୁ ବାଡିରେ ହକି ଶିଖୁଥିବା ପୁଅ ଦିଲ୍ଲୀପ ତିର୍କୀ ଏବେ ହକିର ଜୀବନ୍ତ କ୍ୱୀମ୍ବଦନ୍ତି।ହକିକୁ ଟ୍ରାକକୁ ଆଣିବା ସହ ୨୦୦୨ ରେ ଜାତୀୟ ଦଳର କ୍ୟାପ୍ଟେନ୍ ହୋଇଛନ୍ତି ଦୀଲ୍ଲିପ। ହକି ଇଣ୍ଡିଆର ସଭାପତି ଦାୟିତ୍ୱ ମୁଣ୍ଡାଇଛନ୍ତି ସଉନାମରାର ସୁନା ପୁଅ। ମହାନ ହକି ଖେଳାଳୀ ଧ୍ୟାନଚାନ୍ଦ,ଧନରାଜ ପିଲ୍ଲେ ଏବଂ ବଲବୀର ସିଂଙ୍କ ପରି ତାଙ୍କ ନାଁକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା।ଏହା ସହିତ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନ,ଭାରତୀୟ ପୁରୁଷ ହକି ଦଳର ଉପ ଅଧିନାୟକ ଅମିତ ରୋହି ଦାସ, ଭାରତୀୟ ପୁରୁଷ ଜୁନିୟର୍ ହକି ଦଳର ଉପ ଅଧିନାୟକ ଦୀପସାନ ତିର୍କୀଙ୍କ ଭଳି ଫେମସ୍ ହକି ପ୍ଲେୟରଙ୍କ ଗାଁ ହେଉଛି ସଉନାମୁରା। ଯେଉଁଠି ସଙ୍ଘର୍ଷ ହିଁ ତାଙ୍କ ସଫଳତାର ସାକ୍ଷୀ
ସେ ଗାଁରେ ଦିନେ ହକି ଶିଖୁଥିବା ଗାଁ ପୁଅ ଅମିତଙ୍କ ନେତୃତ୍ୱରେ ୨୦୨୩ ହକି ବିଶ୍ୱ କପ୍ ଖେଳିବ ଇଣ୍ଡିଆ ଟିମ୍। ଏ ସବୁ ସଉନାମୁରା ଗାଁ ପାଇଁ ସ୍ୱର୍ଣ୍ଣିମ ଅଧ୍ୟାୟ।ତେବେ କେବଳ ଦିଲ୍ଲିପ,ଅମିତ,ସୁଭଦ୍ରା ଦୀପସାନଙ୍କ ପରି ଖେଳାଳୀଙ୍କ ସଫଳତା ନୁହେଁ ବରଂ ଆଗାମୀ ପୀଢ଼ୀ ପାଇଁ ସଂଘର୍ଷର କ୍ଷେତ୍ର ପାଲଟିଛି ଏହି ଗାଁ। ହକି ଏବେ ସେ ଅଞ୍ଚଳର ସାମାଜିକ ଓ ସାଂସ୍କୃତିକ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏବେ ବି ସକାଳ ହେଲା ମାତ୍ରେ ହକି ଷ୍ଟିକ୍ ଧରି ଗାଁ ପିଲା ଅଭ୍ୟାସ କରୁଛନ୍ତି। ବର୍ଷା ୪ ମାସକୁ ଛାଡିଦେଲେ ସବୁବେଳେ ଏଠି ହକିର ଗହଳି। ଏପରିକି ପାଖାପାଖି ଗାଁ କୁ ନେଇ ନିୟମିତ ପ୍ରତିଯୋଗିତା ବି ହେଉଛି।
ସରକାରଙ୍କ ତରଫରୁ ଏଠି ଅଷ୍ଟ୍ରୋଟ୍ରଫ୍ ତ ଲାଗିଛି। ମାତ୍ର ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦେଲେ ଏ ଗାଁରୁ ଆହୁରି ଦୀଲ୍ଲିପ,ସୁଭଦ୍ରା,ଅମିତଙ୍କ ଭଳି ଅନେକ ଖେଳାଳୀ ବାହାରିବା ସହ ବିଶ୍ୱ ଦରବାରରେ ସଉନାମରା ଏବଂ ଓଡ଼ିଶା ଆହୁରି ଚମକିବ।
ଏ ଷ୍ଟୋରୀ ଲେଖଛନ୍ତି:ରଶ୍ମିତା ବେହେରା