ଭୁବନେଶ୍ୱର: ଓଡ଼ିଶାରେ ଅଛନ୍ତି ଲକ୍ଷାଧିକ ବଙ୍ଗୀୟ ଶରଣାର୍ଥୀ ପରିବାର।ବିଶେଷକରି ମହାକାଳପଡା,ପାଟକୁରା,ରାଜନଗର,ମାଲକାନାଗିରି ଏବଂ ଉମରକୋଟ ବିଧାନସଭା ନିର୍ବାଚନର ଫଳାଫଳକୁ ପ୍ରଭାବିତ କରନ୍ତି ବଙ୍ଗୀୟ ଭୋଟର। ହେଲେ ଜମିପଟ୍ଟା ବିବାଦ ଓ ପରିଚୟପତ୍ର ନ ମିଳିବାରୁ ରାଜ୍ୟ ସରକାରଙ୍କ ଉପରେ ସେମାନଙ୍କ ମୋହ ତୁଟିବାକୁ ଲାଗୁଛି। ଏ ସ୍ଥିତି ନୂଆ ନୁହେଁ, ୨୦୦୯ ଯାଏ ଏମାନେ ବିଜେଡିକୁ ପ୍ରତ୍ୟାଖ୍ୟାନ କରୁଥିଲେ।ଯେଉଁଥିପାଇଁ ବିଜେଡିର ତତ୍କାଳୀନ ଚାଣକ୍ୟ ପ୍ୟାରୀମୋହନ ମହାପାତ୍ର ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ଅରବିନ୍ଦ ଢାଲିଙ୍କୁ ବିଜେଡିରେ ମିଶାଇଲେ। ଢାଲିଙ୍କୁ ଅନୁସୂଚିତ ଜନଜାତିଙ୍କ ଲାଗି ସଂରକ୍ଷିତ ମାଲକାନଗିରି ଆସନ ବଦଳରେ ନୂଆ କରି ଗଢ଼ିଥିବା ଭୁବନେଶ୍ୱର ଉପକଣ୍ଠ ଜୟଦେବ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କଲା ବିଜେଡି। କାରଣ ସୀମା ପୁନଃ ନିର୍ଦ୍ଧାରଣ ପରେ ଅନୁସୂଚିତ ଜାତିର ବର୍ଗର ନେତା ଅରବିନ୍ଦ ଢ଼ାଲି ଜୟଦେବ ଆସନରୁ ଲଢିବାକୁ ବାଧ୍ୟ ହେଲେ ଏବଂ ସେ ବିଜୟୀ ବି ହେଲେ।ଫଳରେ ବାଲିପାଟଣା ଅର୍ଥାତ ଜୟଦେବ ନିର୍ବାଚନ ମଣ୍ଡଳୀର ୨୦୦୪ରୁ ୨୦୦୯ ଯାଏଁ ବିଧାୟକ ଥିବା ଶଶିଭୂଷଣ ବେହେରାଙ୍କୁ ରାଜ୍ୟସଭା ପଠାଗଲାବିଜେଡିର ଚିନ୍ତା-ବଙ୍ଗୀୟ ଶରଣାର୍ଥୀ ଭୋଟ୍
୨୦୧୪ରେ ଢାଲିଙ୍କୁ ବାଦ ଦେଇ ଶଶି ବେହେରାଙ୍କୁ ଜୟଦେବରୁ ପୁଣି ପ୍ରାର୍ଥୀ କଲା ବିଜେଡି। ଜିତିବା ପରେ ଶଶିଭୂଷଣ ବିଜେଡି ମୁଖପାତ୍ର ହୋଇଥିଲେ। ଆଉ ୨୦୧୭ ମେ’ରୁ ଅର୍ଥ, ଅବକାରୀ ଓ ସାଧାରଣ ଉଦ୍ୟୋଗର କ୍ୟାବିନେଟ ମନ୍ତ୍ରୀ ଭାବେ କାମ କରୁଛନ୍ତି। ତେବେ ବିଜେଡି ଶିବିରରୁ ମିଳିଥିବା ଖବର ଅନୁଯାୟୀ,୨୦୧୯ ନିର୍ବାଚନରେ ଶଶିଙ୍କୁ ଅନୁସୂଚିତ ବର୍ଗଙ୍କ ଲାଗି ସଂରକ୍ଷିତ କଟକ ଜିଲ୍ଲା ନିଆଳି ଆସନରୁ ବିଜେଡି ପ୍ରାର୍ଥୀ କରିପାରେ। ଆଉ ଢ଼ାଲି ଫେରିବେ ଜୟଦେବ। କାରଣ ଚାରି ଚାରି ଥରର ବିଧାୟକ ଅରବିନ୍ଦ ଢାଲି ମୂଳତଃ ବାଂଲାଦେଶୀ ଶରଣାର୍ଥୀ। ଆଉ ମାଲକାନଗିରି ଜିଲ୍ଲାର ଦୁଇଟି ଆସନ ଏବଂ ନବରଙ୍ଗପୁର ଜିଲ୍ଲାର ଉମରକୋଟ ବିଧାନସଭା କ୍ଷେତ୍ରକୁ ନିୟନ୍ତ୍ରଣ କରୁଥିବା ବଙ୍ଗାଳି ଭୋଟରଙ୍କ ଉପରେ ଢ଼ାଲିଙ୍କ ପ୍ରଭାବ ରହିଛି। କିନ୍ତୁ ଦଳଡିଆଁ ଅରବିନ୍ଦ ଢାଲି ନିଜର ମୂଳ ଦଳ ବିଜେପିକୁ ଫେରୁଛନ୍ତି ବୋଲି ଚର୍ଚ୍ଚା ହେଲା। ଯଦି ଢାଲି ବିଜେପିକୁ ଫେରିଯିବେ ତେବେ ଉମରକୋଟ,ମାଲକାନଗିରି ଏବଂ ଚିତ୍ରକୋଣ୍ଡା ଆସନରେ ବିଜେଡି ଅସୁବିଧାରେ ପଡିବେ। ଏହାସହ ଖୋର୍ଦ୍ଧା ଜିଲ୍ଲାର ଜୟଦେବ ଆସନରେ ମଧ୍ୟ ଶାସକ ଦଳ ଲାଗି ସମସ୍ୟା ସୃଷ୍ଟି ହେବ। ସେଥିପାଇଁ ପ୍ରଥମେ ଢ଼ାଲିଙ୍କୁ ଗତ ଜୁଲାଇରେ ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ କରାଗଲା। ଏବେ ଜୟଦେବ ଆସନରେ ଥଇଥାନ କରି, ବଙ୍ଗୀୟ ଭୋଟରଙ୍କୁ ନିଜ ପକ୍ଷରେ ରଖିବାକୁ ଉଦ୍ୟମ କରୁଛି ବିଜେଡି। ହେଲେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଟିକେଟ ନଦେଲେ ବାର୍ତ୍ତା ଭୁଲ ଯିବ। ତେଣୁ ନିଆଳିରେ ଶଶିଙ୍କୁ ଥଇଥାନ କରାଯିବାର ଏକପ୍ରକାର ଚୂଡାନ୍ତ ହୋଇଥିବା ସୂଚନା ମିଳିଛି।
ପୁଣି ବଳଦିବ ଅର୍ଥମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ!
ଶଶି ବେହେରାଙ୍କ ଆସନ ବଦଳିଲେ, ପୁଣି ଅର୍ଥମନ୍ତ୍ରୀଙ୍କ ଶନି ଦଶା କଥା ଉଠିବ। କାରଣ ୨୦୧୪ନିର୍ବାଚନ ପୂର୍ବରୁ ଅର୍ଥ ବିଭାଗ ସମ୍ଭାଳୁ ଥିବା ସମ୍ବଲପୁର ଜିଲ୍ଲାର ତତ୍କାଳୀନ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବରଗଡ଼ର ବିଜେପୁରକୁ ପଠାଗଲା। ଯେଉଁଠୁ ସେ ପରାସ୍ତ ହୋଇଥିଲେ। ଅର୍ଥମନ୍ତ୍ରୀଙ୍କ ଖରାପ ଦଶା କେବଳ ପ୍ରସନ୍ନଙ୍କ ପାଖରେ ସୀମିତ ନୁହେଁ। ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱର ପ୍ରଥମ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ, ରାଜନୈତିକ କ୍ୟାରିୟର ସମାପ୍ତ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେହିପରି ୮ବର୍ଷର ଲମ୍ବା ସମୟ ଧରି ଅର୍ଥମନ୍ତ୍ରୀ ଥିବା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ବି ପ୍ରତ୍ୟକ୍ଷ ରାଜନୀତିରୁ ଆଉଟ୍। ଘଡ଼ାଇଙ୍କ ପୂର୍ବରୁ ଅର୍ଥମନ୍ତ୍ରୀ ଥିବା ପଞ୍ଚାନନ କାନୁନଗୋ ମଧ୍ୟ ନିର୍ବାଚନୀ ରାଜନୀତିରୁ ଆଉଟ୍ ହୋଇ ଟିଭି କାର୍ଯ୍ୟକ୍ରମରେ ସମୀକ୍ଷକ ପାଲଟି ଯାଇଛନ୍ତି। କେବଳ ବର୍ତ୍ତି ଯାଇଛନ୍ତି ବର୍ତ୍ତମାନର ବାଚସ୍ପତି ପ୍ରଦୀପ ଅମାତ।
ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଅର୍ଥମନ୍ତ୍ରୀନାମ କାର୍ଯ୍ୟକାଳ
ରାମକୃଷ୍ଣ ପଟ୍ଟନାୟକ ୨୦୦୦ମାର୍ଚ୍ଚ-୨୦୦୨ଅଗଷ୍ଟ
ପଞ୍ଚାନନ କାନୁନଗୋ ୨୦୦୨ଅଗଷ୍ଟ-୨୦୦୪ ମେ
ପ୍ରଫଲ ଚନ୍ଦ୍ର ଘଡ଼ାଇ ୨୦୦୪ ମେ-୨୦୧୨ ଅଗଷ୍ଟ
ପ୍ରସନ୍ନ ଆଚାର୍ଯ୍ୟ ୨୦୧୨ ଅଗଷ୍ଟ-୨୦୧୪ ମେ
ପ୍ରଦୀପ ଅମାତ ୨୦୧୪ ମେ-୨୦୧୭ ମେ
ଶଶିଭୂଷଣ ବେହେରା ୨୦୧୭ ମେ……
ପଞ୍ଚାନନ କାନୁନଗୋ କଟକ ଜିଲ୍ଲା ଗୋବିନ୍ଦପୁର ବିଧାନସଭା ଆସନକୁ ପ୍ରତିନିଧିତ୍ୱ କରୁଥିଲେ। ହେଲେ ସୀମା ପୁନଃ ନିର୍ଦ୍ଧାରଣ ଯୋଗୁ ୨୦୦୯ରେ ତାହା ପରିବର୍ତ୍ତିତ ହୋଇ ସଂରକ୍ଷିତ ନିଆଳି ବିଧାନସଭା କ୍ଷେତ୍ର ହୋଇଗଲା। ଏବେ ଗୋବିନ୍ଦପୁରରୁ ନିଆଳି ହୋଇଥିବା ଆସନରୁ ପୁଣି ଜଣେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଲଢିବେ ! ହୁଏତ ବିଧାନସଭାର ନାଁ ବଦଳିଛି; ହେଲେ ଅର୍ଥମନ୍ତ୍ରୀଙ୍କ ରାଜନୈତିକ ଫେୟାରୱେଲ୍ କଥା ଯେପରି ଶଶିଙ୍କ ସହ ଯୋଡ଼ି ନହେଉ, ତାକୁ ନେଇ ନିଆଳିରେ ଚର୍ଚ୍ଚା ଜୋର ଧରିଛି।
ଏଥିସହ ପଢ଼ନ୍ତୁ-ବିଶ୍ୱକପ୍ ପରେ ଅଲବିଦା: ଧୋନି, ଯୁବରାଜ ଓ ଗେଲଙ୍କୁ ମିସ୍ କରିବ ବାଉଣ୍ଡରି ଲାଇନ୍