ରାଉରକେଲାର ଜିଲ୍ଲା ମାନ୍ୟତାକୁ ପୋଲିସ ପ୍ରଶାସନର ହଁ, ରାଜସ୍ୱ ବିଭାଗର ନା’

ବିଜୁ ଜନତା ଦଳର ପଦ୍ମପୁର ମଡେଲ୍ ଏବଂ ଭାରତୀୟ ଜନତା ପାର୍ଟିର ଧାମନଗର ଫର୍ମୂଲାକୁ ନେଇ ବିତର୍କ। କିନ୍ତୁ ନବୀନ ପଟ୍ଟନାୟକଙ୍କୁ, ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଚେୟାରରେ ବସାଇବା ପାଇଁ ନୂଆ ଜିଲ୍ଲା ସୃଷ୍ଟି କରିବା ପ୍ଲାନରେ ଅଛି ବିଜେଡି। ଧାମନଗର ପରାଜୟ ପରେ ପଦ୍ମପୁର ଉପନିର୍ବାଚନ ଜିତିବାକୁ ଜିଲ୍ଲା ଫର୍ମୂଲା ଖେଳିଥିଲା ବିଜେଡି। ୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ଜିଲ୍ଲାର ମାନ୍ୟତା ଦେବାକୁ ନବୀନ ପଟ୍ଟନାୟକ ଘୋଷଣା କଲେ। ସେପଟେ ଇତିହାସ କହୁଛି, ନୂଆ ଜିଲ୍ଲା ସୃଷ୍ଟି କରି ୧୯୯୫ ନିର୍ବାଚନରେ ବିଜୁ ପଟ୍ଟନାୟକ ହୋଇଥିଲେ ସଫଳ।

ବିଜୁଙ୍କୁ ମିଳିଥିଲା ସଫଳତା
୧୯୯୩ରେ ବିଜୁ ପଟ୍ଟନାୟକଙ୍କ ନେତୃତାଧିନ ଜନତା ଦଳ ସରକାର, ୧୭ଟି ନୂଆ ଜିଲ୍ଲା ସୃଷ୍ଟି କରିଥିଲା। ଫଳରେ ଓଡ଼ିଶାର ଜିଲ୍ଲା ସଂଖ୍ୟା,୧୩ରୁ ୩୦କୁ ବୃଦ୍ଧି ପାଇଥିଲା। ଯାହାର ଫାଇଦା ୧୯୯୫ ନିର୍ବାଚନରେ ଜନତା ଦଳକୁ ମିଳିଥିଲା। ୧୭ଟି ନୂଆ ଜିଲ୍ଲା ମଧ୍ୟରୁ ୧୦ଟି ନୂଆ ଜିଲ୍ଲାର ହେଡକ୍ୱାଟର ବିଧାନସଭା ଆସନରେ, ବିଜୁଙ୍କ ପ୍ରାର୍ଥୀ ମିଳିଥିଲା ବିଜୟ। ଯଦିଓ ଝାରସୁଗୁଡ଼ାରେ କିଶୋର ମହାନ୍ତି, କେନ୍ଦ୍ରାପଡ଼ାରେ ବେଦୁ ଅଗ୍ରଓ୍ୱାଲ ଏବଂ ନୟାଗଡ଼ରେ ଜନତା ଦଳର ଭାଗବତ ବେହେରାଙ୍କ ପରି ଟାଣୁଆ ନେତା ପରାଜିତ ହୋଇଥିଲେ। କିନ୍ତୁ ନୂଆ ଜିଲ୍ଲା ସୃଷ୍ଟି ହେବା ଯୋଗୁ କଂଗ୍ରେସର ଦୁର୍ଗ ରାୟଗଡ଼ା ଏବଂ ନବରଙ୍ଗପୁରରେ ଜନତା ଦଳ, ଭଲ ପ୍ରଦର୍ଶନ କରିଥିଲା।

ଏବେ ବାପା ବିଜୁଙ୍କ ସେହି ଜିଲ୍ଲା ଫର୍ମୂଲାକୁ ରିପିଟ୍ କରି ନବୀନ ଭୋଟ୍ ରାଜନୀତିକୁ ନିଜ ପକ୍ଷକୁ ନେବା ଯୋଜନାରେ! ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବାର ପ୍ରତିଶ୍ରୁତି ପରେ ଏବେ ଅନେକ ବିବାଦ ମୁଣ୍ଡ ଟେକୁଛି। ପୋଲିସ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ପାଇଁ ଯଦିଓ ରାଉରକେଲା ଏକ ସ୍ୱତନ୍ତ୍ର ଜିଲ୍ଲା ଭାବେ ଗଣା ହେଉଛି; ସେଥିପାଇଁ ରାଉରକେଲା ପାଇଁ ସ୍ୱତନ୍ତ୍ର SP ରହିଛନ୍ତି। ଏପରିକି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ବା CDMO ପଦ ପରି ରାଉରକେଲା ଲାଗି ସ୍ୱତନ୍ତ୍ର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ବା CMO କାର୍ଯ୍ୟ କରୁଛନ୍ତି। କିନ୍ତୁ ରାଜସ୍ୱ ବିଭାଗ, ରାଉରକେଲାକୁ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦେଉନାହିଁ।

ତେବେ ଦାସ କମିଶନଙ୍କ ରିପୋର୍ଟ ଆଧାରରେ ବିଜୁ ପଟ୍ଟନାୟକ ଜିଲ୍ଲା ପୁନର୍ଗଠନ କରିଥିଲେ। ଏବେ କିନ୍ତୁ ନୂଆ ଜିଲ୍ଲା ଗଠନ ପାଇଁ କୌଣସି କମିଟି ଗଠନ ହୋଇନାହିଁ। କିନ୍ତୁ RTIର ତଥ୍ୟ କହୁଛି ପଦ୍ମପୁରକୁ ମିଶାଇ ୧୫ ଟି ନୂଆ ଜିଲ୍ଲା ପାଇଁ ଦାବି ହେଉଛି। ସୁନ୍ଦରଗଡ଼ ଜିଲ୍ଲାରୁ ରାଉରକେଲା, ରାଜଗାଙ୍ଗପୁର ଏବଂ ବଣାଇରୁ ଦାବି ଶୁଭୁଛି। ମୟୂରଭଞ୍ଜରୁ ରାଇରଙ୍ଗପୁର ଏବଂ ବାଙ୍ଗରପୋଷି ବାସୀ ସ୍ୱତନ୍ତ୍ର ଜିଲ୍ଲା ମାଗୁଛନ୍ତି।ବାଲେଶ୍ୱରର ଜଳେଶ୍ୱର,କେନ୍ଦୁଝର ଜିଲ୍ଲାରୁ ଆନନ୍ଦପୁର, ଜଗତସିଂହପୁରରୁ ପାରାଦୀପ, ବଲାଙ୍ଗିରରୁ ଟିଟିଲାଗଡ଼, ଖୋର୍ଦ୍ଦାର ଭୁବନେଶ୍ୱର ଏବଂ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାରୁ ବ୍ରହ୍ମପୁରକୁ ନୂଆ ଜିଲ୍ଲା କରିବାକୁ ସ୍ୱର ଶୁଭୁଛି। ଯଦି ସରକାର ଦାବି ପୂରଣର ପ୍ରକ୍ରିୟା ଆରମ୍ଭ କରି ସମସ୍ତଙ୍କୁ ଖୁସି କରିବାରେ ବିଫଳ ହୁଅନ୍ତି, ତାହେଲେ ବିଜେଡି ପ୍ରତି ଜନ-ଆକ୍ରୋଷ ବଢ଼ିପାରେ !
Connect With Us