ଓଡ଼ିଶାରେ ସ୍ଥିର ସରକାରର ବିନ୍ଧାଣି:ଜେ.ବି

ଇତିହାସ ସବୁବେଳେ ସଫଳତାର ବିନ୍ଧାଣୀକୁ ତା ଛାତିରେ ଜାଗା ଦେଇଛି। ଜାତିର ଇତିହାସ ସୃଷ୍ଟି କରିବାକୁ ସାମର୍ଥ୍ୟ କାହାକୁ ଅଧିକାର ସୁତ୍ରରେ ମିଳିଥାଏ ତ ପୁଣି କାହାର ସଂଘର୍ଷ ଆଗରେ ଇତିହାସ ନିଜେ ହାର ମାନେ।”ଉଚ୍ଚକୂଳରେ ଜନ୍ମ ହେବା ଦୈବର ଅଧିନ,କିନ୍ତୁ ପୁରୁଷକାର ମୋର ଅଧିନ” ବେଣୀ ସଂହାରଂର ଏ ସଂଳାପ ଥିଲା ତାଙ୍କ ଜୀବନର ମୂଳମନ୍ତ୍ର। ସାହିତ୍ୟ ଓ ସାମ୍ବାଦିକତାରେ ରୁଚି ରଖିଥିବା ଜାନକୀଙ୍କ ଜନ୍ମ ୧୯୨୭ ଜାନୁଆରୀ ୩ରେ ହୋଇଥିଲା । ୧୯୭୦ ଦଶକରେ ସେ ତାଙ୍କ ରାଜନୈତିକ ଭାଗ୍ୟ ପରୀକ୍ଷା କରିଥିଲେ। ୧୯୭୧ରେ କଟକ ଲୋକସଭା ଆସନରୁ ନିର୍ବବାଚିତ ହୋଇ ପାର୍ଲିଆମେଣ୍ଟରେ ପାଦ ଥାପିଥିବା ଜାନକୀ ନିଜର ବିଚକ୍ଷଣତା ବଳରେ ଇନ୍ଦିରାଗାନ୍ଧିଙ୍କ ଶାସନରେ୧୯୭୩ରୁ ୭୫ ପ୍ରତିରକ୍ଷା ଉପମନ୍ତ୍ରୀ,୧୯୭୭ରେ ରାଷ୍ଟ୍ରମନ୍ତ୍ରୀ ହେବା ସହ ବେସାମରିକ ବିମାନ ଚଳାଚଳ ପର୍ଯ୍ୟଟନ ଓ ଶ୍ରମ ବିଭାଗ କରି ଗୁରୁତ୍ତ୍ୱପୂଣ୍ଣ ବିଭାଗରେ ମନ୍ତ୍ରୀ ହୋଇଛନ୍ତି। ଜାନକୀ ନିଜର ଦକ୍ଷତା ବଳରେ ସେ ସମୟରେ ପ୍ରଜାତନ୍ତ୍ର ଭଳି ଖବର କାଗଜକୁ ଶୀର୍ଷରେ ପହଞ୍ଚାଇବା ସହ ସମ୍ବାଦର ପୃଷ୍ଠପୋଷକତା ମଧ୍ୟ କରିଛନ୍ତି। ରାଜନୀତି ସହିତ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଅଭୁଲା ଛାପ ଛାଡିଛନ୍ତି । ଯାହା ତାଙ୍କୁ ଓଡ଼ିଶା ସାହିତ୍ୟ ଆକାଡେମୀ ଏବଂ କେନ୍ଦ୍ର ସାହିତ୍ୟ ଆକାଡେମୀ ଆୱାର୍ଡ ଦେଇଛି।

ସାହିତ୍ୟ,ରାଜନୀତି ଓ ସାମ୍ବାଦିକତାର ତ୍ରୀବେଣୀ ସଙ୍ଗମ ଜେ.ବି
ସାହିତ୍ୟ,ସାମ୍ବାଦିକତା ଏବଂ ରାଜନୀତିରେ ସେ ଥିଲେ ଧୂରୀଣ ବିନ୍ଧାଣୀ। ଓଡ଼ିଶା ରାଜନୀତିରେ ଅନିଶ୍ଚିନ୍ତତା ଓ ଅସ୍ଥିରତାର ସରକାର ପ୍ରଥାରେ ଟାଣିଥିଲେ ପୁର୍ଣ୍ଣଛେଦ। ହରେକୃଷ୍ଣ ମହତାବ,ନବକୃଷ୍ଣ ଚୌଧୁରୀ,ନୀଳମଣୀ ରାଉତରାୟଙ୍କ ଭଳି ନେତା ସ୍ଥିର ସରକାର ଗଢିବାକୁ ହୋଇଥିଲେ ବିଫଳ। ଜାନକୀ କିନ୍ତୁ ୧୯୮୦ରୁ ୯୦ ଦୁଇ ପାଳି ଓ ୧୯୯୫ରୁ ୯୯ ଯାଏଁ ନିରବଛିନ ମୁଖ୍ୟମନ୍ତ୍ରୀ ହୋଇ ସ୍ଥିର ସରକାର ଗଢିଥିଲେ। ନବୀନ ପଟ୍ଟନାୟକ ଯଦିଓ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ଜାନକୀଙ୍କ କଣ୍ଟ୍ରୋଲ କିନ୍ତୁ ୩୧୪ ବ୍ଲକରେ ଥିଲା। ୨୦୦୯ରୁ ୨୦୧୪ ଯାଏଁ ସେ ଆସାମର ରାଜ୍ୟପାଳ ବି ହୋଇଛନ୍ତି।

ଶିଳ୍ପ ସ୍ଥପତି ଜାନକୀ
ଜାନକୀ ଥିଲେ ଶିଳ୍ପର ସ୍ଥପତି। ୧୦୦୦ ଦିନରେ ୧୦୦୦ ଶିଳ୍ପର ଆହ୍ୱାନ ଏକ ବିପ୍ଳବ ଆରମ୍ଭ କରିଥିଲା। ତାଙ୍କ ସମୟରେ ୧୯୮୦ରେ ଓମଫେଡ୍ ପ୍ରତିଷ୍ଠା ହେବା ସହ ଅଣ୍ଡା ଉତ୍ପାଦନ ପାଇଁ ମୁଣ୍ଡ ଟେକିଥିଲା ଓପୋଲୋଫେଡ୍। ଲୁଲୁ ମହାପାତ୍ରଙ୍କ ପରି ଛାତ୍ରନେତା ସୃଷ୍ଠିରେ ସେ ଥିଲେ ସଫଳ ବିନ୍ଧାଣୀ। ଯାହା ଏବେକା ସରକାରରେ ହୁଏତ ସମ୍ଭବ ନୁହେଁ ।ଏମିତିରେ ବି ସରକାର କଲେଜ୍ ଇଲେକ୍ସନ୍ ବନ୍ଦ କରି ଛାତ୍ରନେତା ସୃଷ୍ଠିରେ ବାଧକ ସାଜିଛି।
ଦାଦନର ବିରୋଧି ଜାନକୀ କେନ୍ଦୁଝରରେ ସ୍ପଞ୍ଜ ଆଇରନ୍ ଫ୍ୟାକ୍ଟ୍ରି,ବାଲେଶ୍ୱରରେ ଟାୟାର ଶିଳ୍ପ ଓ ଭଦ୍ରକରେ ଚାର୍ଜକ୍ରୋମ ,ନାଲକୋ ପ୍ରତିଷ୍ଠା ସହ ନୁଆହାଟରେ ଶ୍ରୀ ଜଗନ୍ନାଥ ସୁତାକଳର ସ୍ଥାପନ କରି ଶିଳ୍ପର ସ୍ଥାପନା କରିଥିଲେ। ବର୍ତ୍ତମାନ ସମୟରେ ଚଳଚ୍ଚିତ୍ର ଶିଲ୍ପ ଆଣ୍ଠେଇ ପଡିଥିବା ବେଳେ ସେ ସମୟରେ ଜାନକୀ କଳିଙ୍ଗ ଷ୍ଟୁଡିଓ ସହ ପ୍ରତିଷ୍ଠା କରିଥିଲେ ଓଡିଶା ଚଳଚ୍ଚିତ୍ର ଉନ୍ନୟନ ସଂସ୍ଥା। କ୍ରୀଡ଼ାର ବିକାଶ ପାଇଁ ଛାତ୍ରାବାସ,ଜବାହର ଲାଲ୍ ଇନଡୋର ଷ୍ଟାଡ଼ିୟମ୍ ଆଦି ତାଙ୍କର ପରିକଳ୍ପନା ।

ଜାନକୀ ଜାଣିଥିଲେ କୃଷିର ବିକାଶରେ ହିଁ କୃଷକର ବିକାଶ। ସେଥିପାଇଁ ୧୯୯୬ରେ କୃଷିକୁ ଶିଳ୍ପର ମାନ୍ୟତା ଦେଇଥିଲେ। kbk ଓ ପଶ୍ଚିମାଞ୍ଚଳ ବିକାଶ ପରିଷଦ ମାଧ୍ୟମରେ ଆଞ୍ଚଳିକ ବୈଶମ୍ୟ ଦୂର କରିବା ସହ ଆର୍ଥିକ ଅନଗ୍ରସର ଅଞ୍ଚଳରେ ୨ ଟଙ୍କିଆ ଚାଳ ଯୋଜନାର ଆରମ୍ଭ କରିଥିଲେ ଜାନକୀ। ସ୍କୁଲରେ ମଧ୍ୟାହ୍ନ ଭୋଜନ ଯଦିଓ ଏକ ଜାତୀୟ କାର୍ଯ୍ୟକ୍ରମ କିନ୍ତୁ ଏହାର ବହୁ ପୂର୍ବରୁ ଜାନକୀ ଆଦିବାସୀ ଅଞ୍ଚରେ ଏହାର ଆରମ୍ଭ କରିସାରିଥିଲେ। ହୋଟେଲକୁ ଶିଳ୍ପର ମାନ୍ୟତା ବି ତାଙ୍କରି ପ୍ରୟାସ। ଜଗନ୍ନାଥ ଚେତନାର ବାହକ ସାଜି ସେ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ ସ୍ଥାପନା କରିବା ସହ ସଂସ୍କୃତରେ ଅଗାଧ ପାଣ୍ଡିତ୍ୟ ହେତୁ ତିରୁପତି ବିଶ୍ୱ ବିଦ୍ୟାଳୟର କୂଳପତି ବି ହୋଇଛନ୍ତି।

ଓଡ଼ିଶାର ଚର୍ଚ୍ଚିତ ବ୍ୟକ୍ତିଙ୍କ ଗହଣରେ ଶ୍ରେଷ୍ଠରେ ସେ ରହି ଆସିଛନ୍ତି। ସେ ଏକାଧାରରେ ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ଓ ବିରୋଧିଦଳ ନେତା ହୋଇଛନ୍ତି ଯାହା ଓଡିଶାର କୌଣଷି ନେତାଙ୍କ ପାଖରେ ନାହିଁ। ବିଜୁ ପଟ୍ଟନାୟକ ଯଦିଓ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ କିନ୍ତୁ ରାଜ୍ୟପାଳ ହୋଇନାହାନ୍ତି। ସେହିପରି ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ହୋଇଥିଲେ ସୁଦ୍ଧା ବିରୋଧିଦଳ ନେତା ହୋଇ ପାରନାହାନ୍ତି।ସାହିତ୍ୟ,ସଂସ୍କୃତି ଓ ରାଜନୀତିରେ ଧୂରୀଣ ଏହି ନେତା ଙ୍କର ୨୦୧୫ ଅପ୍ରେଲ ୨୧ ରେ ଦେହାନ୍ତ ହେବା ସହ ଏକ ଯୁଗର ଅବସାନ ହୋଇଛି।
ଏ ଷ୍ଟୋରୀ ଲେଖିଛନ୍ତି:ରଶ୍ମିତା ବେହେରା
Connect With Us