ଇଣ୍ଟେରନେଟ ସେବା କ୍ଷେତ୍ରରେ ରାଜ୍ୟରେ ଏକ ନୂଆ ସଂସ୍କରଣ ଆସିଛି। କିଛି ଦିନ ତଳେ ଭାରତର ବିଭିନ୍ନ ରାଜ୍ୟରେ ଏହି ସେବାର ଉପଲବ୍ଧି ହୋଇଥିଲା ବେଳେ ଏବେ ଏଥିରେ ଓଡ଼ିଶା ସାମିଲ୍ ହୋଇଛି। ଅବଶ୍ୟ ଏହା ପୂର୍ବରୁ ରାଷ୍ଟ୍ରପତିଙ୍କ ଗାଁରୁ ଏହି ସେବା ଉପଲବ୍ଧ ହୋଇଛି। ଆସନ୍ତାକାଲିଠୁ ଓଡ଼ିଶାରେ 5G  ସେବା ଆରମ୍ଭ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ପ୍ରମୁଖ ସହର  ଭୁବନେଶ୍ୱର, କଟକ ସମେତ ଅନ୍ୟ କେତେକ ସ୍ଥାନରେ ଏହି ସେବା ଆରମ୍ଭ ହେବାକୁ ଯାଉଛି। ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ଏହି ସେବା ପ୍ରଦାନ କରିବେ।

କଥା ରଖିଲେ ଅଶ୍ୱିନୀ ବୈଷ୍ଣବ
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରକଳ୍ପର ଅୟମାରମ୍ଭ କରିଛନ୍ତି। ଜାନୁଆରୀ ୨୬ ପୂର୍ବରୁ ରାଜ୍ୟରେ ଫାଇଭ୍ ଜି ସେବା ଆରମ୍ଭ ହେବ ବୋଲି ସେ ପୂର୍ବରୁ ସୂଚନା ଦେଇଥିଲେ। ଭୁବନେଶ୍ୱରରେ ବିଭିନ୍ନ ରେଳ ପ୍ରକଳ୍ପର ଶୁଭାରମ୍ଭ ଦିନ ମଧ୍ୟ ସେ ତାଙ୍କ କଥା ଦୋହରାଇ ଥିଲେ। ଏହି ସେବା ପାଇଁ ୫୦୧ଟି ବିଟିଏସ୍ ପ୍ରସ୍ତୁତ ହୋଇସାରିଛି। ଦେଶରେ ଗତବର୍ଷ ଅକ୍ଟୋବର ପହିଲାରେ 5G ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିଲା। ସେବା ଆରମ୍ଭ ହେଲେ ଟେଲିକମ୍ ଓ ଇଣ୍ଟରନେଟ୍ ଗ୍ରାହକମାନେ ଉନ୍ନତମାନର ସେବା ପାଇବେ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରେ 5G ସେବା ସହିତ ରାଜ୍ୟର ଗ୍ରାମାଞ୍ଚଳରେ ୧୦୦ଟି ଟେଲିକମ୍ ଟାୱାରର ଉଦଘାଟନ କରିବେ।