prakash ch majhi

ତିଳେଇବଣି ବିଡ଼ିଓଙ୍କୁ ମାଡ ମାରିବା ଅଭିଯୋଗରେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହିଙ୍କୁ ମେ ୧ ରେ ପୁଲିସ୍ ଗିରଫ କରିଥିଲା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିବା ସତ୍ତ୍ୱେ ପୁଲିସ୍ ନୀରବ ରହିଛି। ଗତ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବିଧାୟକ ଜଣକ ଜଣେ ଯୁବତୀଙ୍କୁ ଯୌନ ଶୋଷଣ କରୁଥିବା ବେଳେ ଏବେ  ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି। ଏନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ ସତ୍ତ୍ୱେ ପୁଲିସ୍‌ ଏତଲା ଗ୍ରହଣ କରୁ ନ ଥିବା କଂଗ୍ରେସ ଅଭିଯୋଗ କରିଛି । ପୀଡ଼ିତାଙ୍କୁ ନ୍ୟାୟ ନ ମିଳିଲେ ଜିଲ୍ଲାର ପ୍ରତ୍ୟେକ ଥାନା ଘେରାଉ କରାଯିବା ସହ ଜିଲ୍ଲା ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦେଇଛି।

ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହି

ବିଜେଡି ଚାପରେ ଗିରଫ,ପ୍ରଶ୍ନ ଘେରରେ ପୁଲିସ୍
ସାମ୍ପ୍ରତିକ ଆଇନ ବ୍ୟବସ୍ଥାକୁ ନେଇ ବିରୋଧି ନେତାମାନେ ପୁଲିସ୍‌ର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ଦେବଗଡ଼ ବିଧାୟକ  ଆଗ ଏଫ୍‌ଆଇଆର ଦେବା ପରେ ହିଁ ବିଡିଓ ଏଫ୍‌ଆଇଆର ଦେଇଥିଲେ। ବିଧାୟକଙ୍କ ଏଫ୍‌ଆଇଆର ପୁଲିସ୍ ପାଖାପାଖି ଅପରାହ୍ଣ ଅଢ଼େଇଟା ବେଳେ ଗ୍ରହଣ କଲା। ନିଶ୍ଚିତ ଭାବେ ତା’ର କିଛି ସମୟ ପରେ ବିଡିଓଙ୍କ ଏଫ୍‌ଆଇଆର ଗ୍ରହଣ କରିଥିବ। ତା’ ହେଲେ ପୁଲିସ୍ କେତେବେଳେ ଘଟଣାର ତଦନ୍ତ କଲା ଓ ବିଧାୟକଙ୍କ ସଂପୃକ୍ତି ଅଛି ବୋଲି କିପରି ଜାଣିଲା ବୋଲି ବିଜେପି ନେତା ପ୍ରଶ୍ନ କରିଛନ୍ତି। ଅନ୍ୟ ପାର୍ଶ୍ୱରେ ବିଜେଡି ବିଧାୟକଙ୍କ ବିରୋଧରେ ହୋଇଥିବା ସଙ୍ଗୀନ ଅଭିଯୋଗ ସତ୍ତ୍ୱେ ପୁଲିସ୍ କାହିଁକି ନୀରବ ରହିଛି ସେ ନେଇ ପୁଲିସର ଭୂମିକା ବିବାଦୀୟ ହୋଇଛି।ମାହାଙ୍ଗା ଡବଲ୍ ମର୍ଡର କେଶରେ ପ୍ରତାପ ଜେନାଙ୍କ ସମ୍ପୃକ୍ତି ସମ୍ପର୍କୀୟ ଅଭିଯୋଗଠାରୁ ଆରମ୍ଭ କରି ପରୀ ହତ୍ୟାକାଣ୍ଡ ମାମଲାରେ ଅରୁଣସାହୁ,ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ପରେ ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇନଥିବା ବେଳେ ଅଣ ବିଜେଡି ନେତାଙ୍କୁ ଗିରଫ କରିବାରେ ପୁଲିସର ତତ୍ପରତା ରାଜ୍ୟର ଆଇନ ବ୍ୟବସ୍ଥାରେ ଅସମାନତାକୁ ସୁଚାଉଛି ବୋଲି ବିରୋଧି ମତ ରଖିଛନ୍ତି।