୨୦୨୪ ନିର୍ବାଚନ ପୂର୍ବରୁ ପୁଣି ଏକ ଉପନିର୍ବାଚନ ଦେଖିବ ଓଡ଼ିଶା। ଏବେ ଉପନିର୍ବାଚନ ମୁହାଁ ଧାମନଗର ନିର୍ବାଚନ ମଣ୍ଡଳୀ। ସେପ୍ଟେମ୍ବର ୧୯ରେ ବିଷ୍ଣୁ ସେଠୀଙ୍କର ଦେହାନ୍ତ ହୋଇଛି। ଧାମନଗର ବିଧାୟକ ତଥା ବିରୋଧିଦଳ ଉପନେତା ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ଏନେଇ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଏବେଠୁ ରାଜ୍ୟ ରାଜନୀତିରେ ତତ୍ପରତା ପ୍ରକାଶ ପାଇଲାଣି। ବିଧାୟକଙ୍କ ପରଲୋକ ସମ୍ପର୍କରେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯାଇଛି। ଖୁବ୍ ଶୀଘ୍ର ଉପନିର୍ବାଚନ ତାରିଖ ନେଇ ଘୋଷଣା ହେବାକୁ ଥିଲା ବେଳେ ପ୍ରାର୍ଥୀଙ୍କୁ ନେଇ ଅଙ୍କକଶା ଆରମ୍ଭ ହୋଇଛି।
ବିଷ୍ଣୁଙ୍କ ପରେ କିଏ?
ବିଜେପି ଦଳର ଟାଣୁଆ ନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ପରେ ଧାମନଗର ବିଧାନସଭା ଆସନ ଖାଲି ହୋଇଛି। ବିଷ୍ଣୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିରୁ ଦଳୀୟ ପ୍ରାର୍ଥୀ ହୋଇ ଧାମନଗର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇ ବିଷ୍ଣୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡ଼ି ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କଠୁ ୪୬୨୫ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ। ବିଷ୍ଣୁଙ୍କୁ ୮୦,୧୧୧ଭୋଟ୍ ମିଳିଥିଲା ବେଳେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ ୭୫,୪୮୬ ଭୋଟ୍ ପାଇଥିଲେ ।ବିଷ୍ଣୁଙ୍କର ଏହି ବିଜୟ ପରେ ତାଙ୍କୁ ବିଧାନସଭାରେ ବିରୋଧୀ ଦଳର ଉପନେତା ପଦ ମିଳିଥିଲ। ସେବେଠାରୁ ରାଜ୍ୟ ରାଜନୀତିରେ ବିଷ୍ଣୁଙ୍କର ଏକ ସ୍ୱତନ୍ତ୍ର ପତିଆରା ସୃଷ୍ଟି ହୋଇଥିଲା। କେବଳ ସେତିକି ନୁହେଁ, ବିଷ୍ଣୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଗୁଡ୍ବୁକ୍ରେ ରହିଥିଲେ। ମାତ୍ର ତାଙ୍କର ଦେହାନ୍ତ ପରେ ଧାମନଗର ବିଧାୟକ ପ୍ରାର୍ଥୀ ଗଣିତ କଶା ଆରମ୍ଭ ହୋଇଛି। ବିଶେଷ କରି ଶାସକ ବିଜେଡି ଓ ବିଜେପି ପକ୍ଷରୁ ଉପନିର୍ବାଚନରେ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ମାନସମନ୍ଥନ ଆରମ୍ଭ ହୋଇଛି।
ଅନୁକମ୍ପା କାର୍ଡ ଖେଳିବ କି ବିଜେପି!
ଧାମନଗର ନିର୍ବାଚନ ମଣ୍ଡଳୀରେ ବିଷ୍ଣୁଙ୍କର ଲୋକପ୍ରିୟତା ରହିଛି।୨୦୧୯ ରେ ବିଧାୟକ ହେବା ପୁର୍ବରୁ ସେ ୨୦୧୪ ଓ ୨୦୦୯ ନିର୍ବାଚନରେ ବିଜୟୀ ପ୍ରାର୍ଥିଙ୍କ ଠାରୁ କମ୍ ବ୍ୟବଧାନର ଭୋଟ୍ ପାଇ ରନର୍ସ ଅପ୍ ସାଜିଛନ୍ତି। ୨୦୧୪ରେ ବିଜେଡି ପ୍ରାର୍ଥୀ ମୁକ୍ତିକାନ୍ତ ମଣ୍ଡଳ ୭୧,୫୩୮ ଭୋଟ୍ ପାଇଥିଲା ବେଳେ ବିଷ୍ଣୁସେଠୀ ୬୧,୩୪୬ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ।ସେହିଭଳି ୨୦୦୯ ନିର୍ବାଚନରେ ମଧ୍ୟ ବିଜେଡିକୁ କଡା ଟକ୍କର ଦେଇଥିଲେ ବିଷ୍ଣୁସେଠୀ।ସେ ସମୟରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ୪୮,୪୨୬ ଭୋଟ୍ ମିଳିଥିଲା ବେଳେ ବିଷ୍ଣୁଙ୍କୁ ମିଳିଥିଲା ୪୩,୪୮୦ ଖଣ୍ଡ ଭୋଟ୍। ବିଷ୍ଣୁଙ୍କର ସେ ଅଞ୍ଚଳରେ ଏକ ସ୍ୱତନ୍ତ୍ର ଲୋକପ୍ରିୟତା ରହିଛି। ଧାମନଗରରେ ବିଜେପିର ଗୋଷ୍ଠୀ କନ୍ଦଳ ସେତେଟା ନଥିବା ବେଳେ ବିଷ୍ଣୁଙ୍କ ବିୟୋଗ ପରେ ଦଳୀୟ ନେତା ଓ କର୍ମୀମାନେ ତାଙ୍କ ପୁତ୍ର ସୂରଜ ସୂର୍ଯ୍ୟବଂଶୀଙ୍କ ପ୍ରତି ଅନୁକମ୍ପା ଦେଖାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସୂରଜ ୨୦୧୯ ସାଧାରଣ ନିର୍ବାଚନ ବେଳେ ତାଙ୍କ ବାପା ବିଷ୍ଣୁ ସେଠୀଙ୍କ ପାଇଁ ସଂଗଠନ ଦାୟିତ୍ୱ ଓ ନିର୍ବାଚନ ପରିଚାଳନା ଦାୟିତ୍ୱ ତୁଲାଇଥିଲେ। ସେ ମଧ୍ୟ ବିଜେପି ଯୁବମୋର୍ଚ୍ଚାର ସୋସିଆଲ ମିଡିଆ ସଂଯୋଜକ ରହିଛନ୍ତି। ବିଷ୍ଣୁଙ୍କ ପୁତ୍ର ସୂରଜଙ୍କୁ ଦଳକୁ ଆଣି ପ୍ରାର୍ଥୀ କରି ଉପନିର୍ବାଚନ ବୈତରଣୀ ପାର ହେବାର ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ବିଜେଡ଼ି ତରଫରୁ ରାଜେନ୍ଦ୍ର କୁମାର ଦାସ ହୁଏତ ପ୍ରାର୍ଥି ହୋଇପାରନ୍ତି। ତେବେ ଉପନିର୍ବାଚନମାନଙ୍କରେ ଶାସକ ଦଳ ଜିତିବା ପାଇଁ କରୁଥିବା ଅତ୍ୟନ୍ତ ସଫଳ ରଣକୌଶଳ ତାଙ୍କୁ ସଫଳ କରି ଆସୁଥିବାରୁ ବିଜେପି କିପରି ମୁକାବିଲା କରିବ ତାକୁ ନେଇ ଉତ୍ସାହ ବଢ଼ିଛି।
ଏଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା