ମାଟି ପାଇଁ ଅଣ୍ଟା ଭିଡିଲା ବିଜେଡି: ସୁଧୁରିବେ ତ ନଛୋଡ଼ବନ୍ଧା କଂଗ୍ରେସ ନେତା

ରାଷ୍ଟ୍ରପତି ନିର୍ବାଚନର ସମୟ ଜେତେ ପାଖେଇ ଆସୁଛି ସମର୍ଥନ ଗଣିତକୁ ନେଇ ସେତିକି ଅଙ୍କକଶା ଚାଲିଛି। ଓଡ଼ିଶାର ଆଦିବାସୀ ନେତା ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଛି।କଂଗ୍ରେସ ସମେତ ମିଳିତ ବିରୋଧି ପକ୍ଷରୁ ପ୍ରାର୍ଥି ହୋଇଛନ୍ତି ଯଶୱନ୍ତ ଶିହ୍ନା। ମହାରାଷ୍ଟ୍ରରେ ବିଜେପି ସମର୍ଥିତ ସରକାର ଗଠନ ଓ ବିଭିନ୍ନ ରାଜନୀତିକ ଦଳ ନିଜଆଡ଼ୁ ସମର୍ଥନ ଘୋଷଣା କରିବା ପରେ ଶ୍ରୀମତୀ ମୁର୍ମୁ ଜିତିବା ନିଶ୍ଚିତ ହୋଇଯାଇଛି। ଦ୍ରୌପଦୀଙ୍କ ବିଜୟ ହେଲେ ଓଡ଼ିଶା ପାଇଁ ଏକ ଗୌରବମୟ ଅଧ୍ୟାୟ ହେବ। ମାତ୍ର ଏହା ସତ୍ତ୍ୱେ ଓଡିଶା କଂଗ୍ରେସ ନେତା ମାଟିକୁ ଭୁଲି ଦଳୀୟ ଆଧାରରେ ଯଶୱନ୍ତଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ବିଜେଡିର ପ୍ରମୁଖ ନେତା ଗଣ କଂଗ୍ରେସ ରାଜନେତାଙ୍କୁ ଭେଟି ଦ୍ରୌପଦୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି।
ସମର୍ଥନ ଯୋଗାଡ କରିବାକୁ ଅପିଲ୍ କରୁଛି ବିଜେଡି:କଂଗ୍ରେସ ନେତାଙ୍କୁ ଅପୋଜ୍ କରି ରାଜ୍ୟ ବିଜେପି ଚୁପ୍
ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତା ୮ତାରିଖରେ ଓଡ଼ିଶା ଆସିବେ। ବିଭିନ୍ନ ରାଜନୀତିକ ଦଳ ନିଜର ସମର୍ଥନ ଘୋଷଣା କରିସାରିଥିବାରୁ ଦେଶର ସର୍ବୋଚ୍ଚ ପଦବୀରେ ଜଣେ ଆଦିବାସୀଙ୍କୁ ଦେଖିବାକୁ ମିଳିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଏପରି ସ୍ଥଳେ ମାଟି ଦ୍ରୋହୀ ନ ହେବାକୁ କଂଗ୍ରେସ ନେତାଙ୍କୁ ଅନୁରୋଧ କରୁଛନ୍ତି ବିଜେଡି ନେତା। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନରସିଂହ ମିଶ୍ରଙ୍କୁ ଭେଟି ଦ୍ରୌପଦୀଙ୍କ ପାଇଁ ସମର୍ଥନ ମାଗିଛନ୍ତି। ସେହିପରି ମନ୍ତ୍ରୀ ଇଂ ପ୍ରିତିରଞ୍ଜନ ଘଡ଼ାଇଙ୍କ ନେତୃତ୍ତ୍ୱରେ ବିଜେଡିର ବିଧାୟକ ରାଜକିଶୋର ଦାସ,ସ୍ନେହାଙ୍ଗିନି ଛୁରିଆ ଏବଂ ମନ୍ତ୍ରୀ ତୁଷାରକାନ୍ତି ବେହେରା ରାଜୀନ ଏକ୍କାଙ୍କ ବାସଭବନକୁ ଯାଇ ସମର୍ଥନ ଲୋଡିଛନ୍ତି।ଦ୍ରୌପଦୀଙ୍କ ପାଇଁ ବିଜେଡି ସମର୍ଥନ ଯୋଗାଡ କରୁଥିଲାବେଳେ ରାଜ୍ୟ ବିଜେପିର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏ ପର୍ଯ୍ୟନ୍ତ କୌଣଷି ବିଜେପି ନେତା କଂଗ୍ରେସ ନେତାଙ୍କୁ ଭେଟି ସମର୍ଥନ ପାଇଁ ବୁଝାଇବାର ପ୍ରୟାସ କରିନାହାନ୍ତି। କେବଳ ସମାଲୋଚନା ମାଧ୍ୟମରେ କଂଗ୍ରେସ ନେତାଙ୍କୁ ମାଟି ଦ୍ରୋହୀ କରି ନିଜ କର୍ତ୍ତବ୍ୟ ସାରିଦେଇଛି ବିଜେପି। ପୂର୍ବରୁ ଏକ ସାମ୍ବାଦିକ ସମ୍ମୀଳନୀରେ କଂଗ୍ରେସର ନିଷ୍ପତ୍ତିକୁ କଟାକ୍ଷ କରିଥିଲେ ସମୀର ମହାନ୍ତି। ଦ୍ରୌପଦୀଙ୍କ ସପକ୍ଷରେ ବିଭିନ୍ନ ଦଳକୁ ଭୋଟ୍ ଦେବା ପାଇଁ ପ୍ରବର୍ତ୍ତାଇବା କାମ ବିଜେପି କରିବା କଥା। କିନ୍ତୁ ଓଡ଼ିଶାରେ ବିଜେପି ବଦଳରେ ସେହି କାର୍ଯ୍ୟ ବିଜେଡି କରୁଛି। ରାଜ୍ୟ ବିଜେପିର ଏହି ଶିଥିଳତା ବର୍ତ୍ତମାନ ରାଜ୍ୟ ରାଜନୀତିରେ ଆଲୋଚନାର ବିଷୟବସ୍ତୁ ପାଲଟିଛି। ଅନ୍ୟପାର୍ଶ୍ୱରେ ପାର୍ଟିକୁ ଗୁରୁତ୍ୱ ଦେଉଥିବା ନଛୋଡବନ୍ଧା ରାଜ୍ୟ କଂଗ୍ରେସ କଣ ନିଷ୍ପତ୍ତି ନେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର।
ଏ ଷ୍ଟେେରୀ ଲେଖିଛନ୍ତି-ରଶ୍ମିତା ବେହେରା
Connect With Us