ଫୁଟବଲ ମ୍ୟାଚରେ ଘୋଷଣା କଲେ ହରେକୃଷ୍ଣ:ଲୋକଙ୍କ ପଇସାରେ ଛିଡ଼ାହେଲା ବାରବାଟୀ ଷ୍ଟାଡ଼ିୟମ

କଟକ ସହରର ଛାତି ଉପରେ ଓଡ଼ିଶାର ଗୌରବ ଭାବେ ଛିଡ଼ା ହୋଇଛି ବାରବାଟୀ ଷ୍ଟାଡ଼ିୟମ। ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ମ୍ୟାଚ ମାଧ୍ୟମରେ କଟକ ତଥା ଓଡ଼ିଶାର ନାଁକୁ ବିଶ୍ୱ ସ୍ତରରେ ପହଞ୍ଚାଇବାରେ ଏହାର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ବାରବାଟୀ ଷ୍ଟାଡ଼ିୟମର ପ୍ରତିଷ୍ଠାକୁ ନେଇ ଅନେକ ରୋଚକ ତଥ୍ୟ ରହିଛି। ଏକ ଫୁଟବଲ ମ୍ୟାଚ ପ୍ରଦର୍ଶନୀରୁ ହିଁ ବାରବାଟୀ ଷ୍ଟାଡ଼ିୟମର ମୂଳଦୂଆ ପଡିଥିଲା।

ଫୁଟବଲ ମ୍ୟାଚରୁ ଫେମସ ଷ୍ଟାଡ଼ିୟମ
ବାରବାଟୀ ଷ୍ଟାଡ଼ିୟମ ପ୍ରତିଷ୍ଠା ହେବା ପୂର୍ବରୁ ସେ ଜାଗାରେ ଏକ ବିରାଟ ପଡ଼ିଆ ଥିଲା। ୧୯୪୮ ମସିହା କଟକ ବାରବାଟୀ ଦୁର୍ଗ ପାଖ ପୋଲିସ ପଡିଆରେ ଏକ ବିରାଟ ଫୁଟବଲ ମ୍ୟାଚ ହେଉଥିଲା। ଏଥିରେ ମୁଖ୍ୟ ଅତିଥି ଥିଲେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ। କୋଲକାତାର ଭବାନୀପୁର ଫୁଟବଲ କ୍ଲବ ଏବଂ ଓଡିଶା ଇଲେଭେନ ଭିତରେ ଖେଳା ଯାଉଥିବା ଏହି ମ୍ୟାଚ ଦେଖିବାକୁ ଏତେ ଭିଡ ହୋଇଥିଲା ଯେ ପୁଲିସ ବି ନିୟନ୍ତ୍ରଣ କରି ପାରି ନଥିଲା। ସ୍ୱଳ୍ପ ଜାଗା ଓ ଉପଯୁକ୍ତ ବ୍ୟବସ୍ଥା ଅଭାବରୁ ଉଭୟ ଦର୍ଶକ ଆଉ ଖେଳାଳିଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ଏହାକୁ ଦେଖି ସେଇଠାରେ ହିଁ ଏକ ବିରାଟ ଷ୍ଟାଡିଅମ ସହ ଏକ ସ୍ପୋର୍ଟସ କଂପ୍ଲେକ୍ସ ବନାଇଦେବାକୁ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଘୋଷଣା କରିଥିଲେ ସେଇଠୁ ହିଁ ବାରବାଟୀ ଷ୍ଟାଡ଼ିଅମର ନିଅଁ ପଡିଥିଲାl

ହରେକୃଷ୍ଣ ମହତାବ ସେଦିନ ଘୋଷଣା କରି ନଥିଲେ ହୁଏତ ନିର୍ମାଣ ହୋଇପାରି ନ ଥାଆନ୍ତା ବାରବାଟୀ ଷ୍ଟାଡ଼ିୟମ
ବିଶ୍ୱ ପ୍ରସିଦ୍ଧ ଷ୍ଟାଡିୟମ ନିର୍ମାଣ ହେବାର ଘଟଣା ଏତେ ସହଜ ନଥିଲା। ସେ ଜାଗାରେ ସରକାରୀ କ୍ୱାର୍ଟର ହେବାକୁ ଥିଲା। ୧୯୪୮ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସେହିଦିନ ସରକାରୀ ସହାୟତାରେ ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ଅସଫ ଅଲି ଷ୍ଟାଡ଼ିୟମ ନିର୍ମାଣପାଇଁ ପ୍ରତିଶୃତି ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ତାଙ୍କ କଥାରୁ ଓହରି ଯାଇଥିଲେ । ସେହି ସମୟରେ ବାରବାଟୀ ଷ୍ଟାଡିଅମର ଦାୟିତ୍ୱ ବୁଝୁଥାନ୍ତି ଜାତୀୟ ସ୍ତରରେ ଓଡ଼ିଶାର ଖେଳ ଓ ଖେଳାଳିଙ୍କୁ ପରିଚୟ ପ୍ରଦାନ କରିବା ପଛର ମହାନାୟକ ତଥା ବାରବାଟୀ ନିର୍ମାଣର ମୁଖ୍ୟ ବିନ୍ଧାଣି ଏବଂ କିଷାନ ନଗରର ତତ୍କାଳୀନ ବିଧାୟକ ଭୈରବ ଚନ୍ଦ୍ର ମହାନ୍ତିଙ୍କର ଅବଦାନ ରହିଛି।
ଓହରିଗଲେ ରାଜ୍ୟପାଳ:ସାହା ହେଲେ ରାଜ୍ୟବାସୀ
ବାରବାଟୀ ଷ୍ଟାଡ଼ିୟମ ପ୍ରସଙ୍ଗରୁ ରାଜ୍ୟପାଳ ଓହରିଗଲା ପରେ ଅଟକି ନ ଥିଲା ବାରବାଟୀ ଷ୍ଟାଡ଼ିୟମର ସ୍ୱପ୍ନ।ଲୋକଙ୍କ ପାଇଁ ଗଢା ହେବାକୁ ଥିବା ଷ୍ଟାଡିଅମ ପାଇଁ ଲୋକଙ୍କଠୁ ହିଁ ଆସିଥିଲା ଟଙ୍କା। ଲଟେରୀ ମାଧ୍ୟମରେ ଟଙ୍କାଟେ ଲେଖାଏଁ ଓଡିଶାବାସୀଙ୍କ ଠାରୁ ଆଣିବାର ଲକ୍ଷ ଧାର୍ଯ୍ୟ ହେଲା। ଆଉ ଓଡ଼ିଶାରେ ମଧ୍ୟ ସେ ସମୟରେ ଏ ଅଭିଯାନ ବେଶ ଲୋକପ୍ରିୟତା ହାସଲ କରିଥିଲା। ଶେଷରେ ଲୋକଙ୍କଠୁ ଆସିଥିବା ସେ ଟଙ୍କାରେ ନିର୍ମାଣ ହେଲା ଭାରତର ପ୍ରଥମ କମ୍ପୋଜିଟ ଷ୍ଟାଡିଅମ। ପାଖରେ ଓଡ଼ିଶାର ଗୌରବମୟ ଇତିହାସ ବହନ କରୁଥିବା ବାରବାଟୀ ଦୁର୍ଗର ନାମ ଅନୁସାରେ ଏହାର ନାଁ ବାରବାଟୀ ଷ୍ଟାଡିୟମ ରଖାଗଲା।
Connect With Us