ଆଗାମୀ ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ। ଚଳିତ ନିର୍ବାଚନରେ NDA ତରଫରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥି କରାଯାଇଥିଲା ବେଳେ ଯଶୱନ୍ତ ସିହ୍ନାଙ୍କୁ ମିଳିତ ବିରୋଧି ପ୍ରାର୍ଥି କରିଛନ୍ତି। ଚଳିତ ବର୍ଷ ରାଷ୍ଟ୍ରକୁ ୧୬ତମ ରାଷ୍ଟ୍ରପତି ପ୍ରାପ୍ତ ହେବେ। ୧୯୫୨ରେ ପ୍ରଥମ କରି ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା। ଦେଶରେ ସମୁଦାୟ ୧୫ଥର ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା ବେଳେ ୧୪ଜଣ ରାଷ୍ଟ୍ରପତି ଆସନରେ ବସିଛନ୍ତି। କେବଳ ରାଜେନ୍ଦ୍ର ପ୍ରସାଦ ଦୁଇଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। କେବଳ ନିଲମ ସଞ୍ଜୀବ ରେଡ୍ଡୀ ହିଁ ଅପ୍ରତିଦ୍ୱନ୍ଦୀ ପ୍ରାର୍ଥି ଭାବେ ରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି। ପ୍ରତିଟି ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥି ପ୍ରତିଦ୍ୱନ୍ଦିତା କରିଛନ୍ତି। ସେମାନଙ୍କ ମଧ୍ୟରୁ କାହାର ବିଜୟ ହୋଇଛି ଓ କିଏ ପରାଜୟ ହାସଲ କରିଛନ୍ତି ଆସନ୍ତୁ ସେ ବିଷୟରେ ଜାଣିବା।

କାହାକୁ କେତେ?
୧୯୫୨ମସିହାରେ ହୋଇଥିଲା ଦେଶର ପ୍ରଥମ ରାଷ୍ଟ୍ରପତି ନିର୍ବାଚନ। କଂଗ୍ରେସର ପ୍ରାର୍ଥୀ ହୋଇଥିଲେ ଡ଼ ରାଜେନ୍ଦ୍ର ପ୍ରସାଦ। ତାଙ୍କ ବିପକ୍ଷରେ ଥିଲେ ସ୍ୱାଧୀନ ପ୍ରାର୍ଥୀ କେ.ଟି. ଶାହ। ଏହି ନିର୍ବାଚନରେ ରାଜେନ୍ଦ୍ର ପ୍ରସାଦ ୮୩.୮୧%ଭୋଟ ପାଇ ବିଜୟୀ ହୋଇଥିଲେ। କେ.ଟି. ଶାହଙ୍କୁ ୧୬.୧୧% ଭୋଟ ମିଳିଥିଲା। ୧୯୫୭ରେ ରାଜେନ୍ଦ୍ର ପ୍ରସାଦ ୯୮.୯୯ % ଭୋଟ ପାଇଥିଲେ। ତାଙ୍କର ପ୍ରତିଦ୍ୱନ୍ଦୀ ଚୌଧୁରୀ ହରି ରାମଙ୍କୁ  ୧% ଭୋଟ ମିଳିଥିଲା। ୧୯୬୨ମସିହାରେ ଦେଶ ଦେଖିଥିଲା ତୃତୀୟ ରାଷ୍ଟ୍ରପତି ନିର୍ବାଚନ। ସ୍ୱାଧୀନ ପ୍ରାର୍ଥୀ ଭାବେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ୯୮.୨୫ %ଭୋଟରେ ଜିତିଥିଲେ। ଏହି ନିର୍ବାଚନରେ ମଧ୍ୟ ଚୌଧୁରୀ ହରି ରାମ ପ୍ରାର୍ଥି ହୋଇ ପରାଜିତ ହୋଇଥିଲେ। ୧୯୬୭ ନିର୍ବାଚନରେ ଡ଼ ଜାକିର ହୁସେନ ୫୬.୨୩%ଭୋଟରେ ଜିତିଥିଲା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ  କୋକା ସୁବ୍ବା ରାଓଙ୍କୁ ୫୩.୭୭%ଭୋଟ ମିଳିଥିଲା। ୧୯୬୯ ନିର୍ବାଚନରେ ଭିଭି ଗିରି ୫୦.୦୯% ଭୋଟରେ ବିଜୟୀ ହୋଇଥିଲା ବେଳେ ଦ୍ଵିତୀୟ ସ୍ଥାନରେ ରହିଥିଲେ ନିଲମ ସଞ୍ଜୀବ ରେଡ୍ଡୀ। ତାଙ୍କୁ୪୯.୧୦ % ଭୋଟମିଳିଥିଲା 
ସେହିପରି ୧୯୭୪ ନିର୍ବାଚନରେ ଫକୀରୁଦ୍ଦିନ ଅଲ୍ଲୀ ଅହମ୍ମଦ ତ୍ରିଦିବ ଚୌଧୁରୀଙ୍କୁ ହରାଇ ୭୯.୯ % ଭୋଟରେ ଜିତିଥିଲେ। ୧୯୭୭ରେ ନିଲାମ ସଞ୍ଜୀବ ରେଡ୍ଡୀ ନିର୍ଦ୍ବନ୍ଦରେ ବିଜୟୀ ହୋଇଥିଲେ। ୧୯୮୨ରେ ଜୈଲ ସିଂ ୭୨.୭୩ %ଭୋଟପାଇ  ରାଷ୍ଟ୍ରପତି ହୋଇଥିଲେ। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ହଂସ ରାଜ ଖାନ୍ନାଙ୍କୁ ୨୭.୨୭ %ଭୋଟ ମିଳିଥିଲା। ୧୯୮୭ ନିର୍ବାଚନରେ ୭୨.୨୯% ଭୋଟ ପାଇ ଆର. ଭେଙ୍କଟ ରମଣ ରାଷ୍ଟ୍ରପତି ହୋଇଥିଲେ। ଏହି ନିର୍ବାଚନରେ ଭି ଆର କ୍ରିଷ୍ମ ରାଓ ନିର୍ବାଚନ ହାରିଥିଲେ। ୧୯୯୨ ମସିହା ନିର୍ବାଚନରେ ଶଙ୍କର ଦୟାଲ ଶର୍ମା ୬୫.୯ %ଭୋଟ ପାଇ ରାଷ୍ଟ୍ରପତି ହୋଇଥିଲେ। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଥିଲେ ଗିଲବର୍ଟ ସ୍ୱେଲ। ତାଙ୍କୁ ପ୍ରାୟ ୩୫ % ଭୋଟ ମିଳିଥିଲା।

୧୯୯୭ ମସିହାରେ ନିର୍ବାଚନରେ କେ ଆର ନାରାୟଣନ ୯୫% ଭୋଟପାଇ  ରାଷ୍ଟ୍ରପତି ହୋଇଥିଲେ। ତାଙ୍କ ପ୍ରତିଦ୍ୱନ୍ଦୀ ଟି.ଏନ ଶେସହାନଙ୍କୁ ୫% ଭୋଟ ମିଳିଥିଲା। ୨୦୦୨ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଏପିଜେ ଅବଦୁଲ କଲାମ ୮୯.୬%ଭୋଟ ପାଇ ଜିତିଥିଲା ବେଳେ ତାଙ୍କଠାରୁ ପରାସ୍ତ ହୋଇଥିଲେ ଲକ୍ଷ୍ମୀ ସେହଗଲ। ୨୦୦୭ ନିର୍ବାଚନରେ ୬୫.୮% ଭୋଟ ପାଇ ରାଷ୍ଟ୍ରପତି ହୋଇଥିଲେ ପ୍ରତିଭା ଦେବୀ ସିଂ ପାଟିଲ। ତାଙ୍କଠାରୁ ଭୈରୋ ସିଂ ସେଖାୱାତ ପରାସ୍ତ ହୋଇଥିଲେ। ୨୦୧୨ ନିର୍ବାଚନରେ ପ୍ରଣବ ମୁଖାର୍ଜୀ ନିର୍ବାଚନ ଜିତିଥିଲେ। ତାଙ୍କୁ ୬୯.୩% ଭୋଟ ମିଳିଥିଲା ବେଳେ ସେ ନିର୍ବାଚନରେ ଏନ୍ଡ଼ିଏ ପ୍ରାର୍ଥୀ ପିଏ ସାଙ୍ଗମା ପ୍ରାୟ ୩୦% ଭୋଟ ହାତେଇଥିଲେ।୨୦୧୭ ନିର୍ବାଚନରେ ରାମନାଥ କୋବିନ୍ଦ ୬୫.୬୫% ଭୋଟ ପାଇ ବିଜୟୀ ହୋଇଥିଲେ। ବିରୋଧି  ପ୍ରାର୍ଥୀ ମୀରା କୁମାରୀ ୩୪.୩୫%ଭୋଟ ପାଇ ପରାଜିତ ହୋଇଥିଲେ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା