ସାହିତ୍ୟ ଏବଂ ସାମ୍ବାଦିକତାରେ ରୁଚି ରଖିଥିବା ଜାନକୀ ବଲ୍ଲଭ ପଟ୍ଟନାୟକ, ମାତ୍ର ୨୫ ବର୍ଷ ବୟସରେ ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ହେଲେ ସମ୍ପାଦକ। ପଲିଟିକାଲ୍ ଖବରକୁ ତର୍ଜମା କରୁକରୁ ୧୯୭୧ରେ କଟକ ଲୋକସଭା ଆସନରୁ ନିର୍ବାଚିତ ହେଲେ। ଜେ.ବି ନାଁରେ ପ୍ରସିଦ୍ଧି ପାଇଥିବା,ଜାନକୀ ବଲ୍ଲବ ପଟ୍ଟନାୟକ,ନିଜର ବିଚକ୍ଷଣତା ବଳରେ ଇନ୍ଦିରା ଗାନ୍ଧିଙ୍କ ମନ୍ତ୍ରିମଣ୍ଡଳରେ ୧୯୭୩ରେ ପ୍ରତିରକ୍ଷା ଉପମନ୍ତ୍ରୀ, ୧୯୭୭ରେ ରାଷ୍ଟ୍ରମନ୍ତ୍ରୀ ହେବା ସହ ବେସାମରିକ ବିମାନ ଚଳାଚଳ, ପର୍ଯ୍ୟଟନ ଓ ଶ୍ରମମନ୍ତ୍ରୀ ହେଲେ
ସାହିତ୍ୟ, ସାମ୍ବାଦିକତା ଏବଂ ରାଜନୀତିର ଧୂରୀଣ ଜେ.ବି, ଓଡ଼ିଶା ରାଜନୀତିରେ ଅସ୍ଥିର ସରକାର ପ୍ରଥାରେ ଟାଣିଥିଲେ ପୁର୍ଣ୍ଣଛେଦ। ବିଶ୍ୱନାଥ ଦାସ, ନବକୃଷ୍ଣ ଚୌଧୁରୀ,ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ,ବୀରେନ ମିତ୍ର, ଶଦାଶିବ ତ୍ରିପାଠୀ, ଆର.ଏନ୍. ସିଂହଦେଓ, ନନ୍ଦିନୀ ଶତପଥି, ବିନାୟକ ଆଚାର୍ଯ୍ୟ, ନୀଳମଣି ରାଉତରାୟଙ୍କ ଭଳି ନେତା ସ୍ଥିର ସରକାର ଗଢ଼ିବାରେ ହୋଇଥିଲେ ବିଫଳ। ୧୯୮୦ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହୋଇଥିବା କୌଣସି ବ୍ୟକ୍ତି,ନିଜର ୫ବର୍ଷିଆ ଶାସନ କାଳ ପୂରଣ କରିବାରେ ସଫଳ ହୋଇନଥିଲେ।
ଲଗାତର ମୁଖ୍ୟମନ୍ତ୍ରୀ ଚୌକିରେ
କିନ୍ତୁ ୧୯୮୦ରେ ଏହି ଅସ୍ଥିରତା ଧାରାରେ ବ୍ରେକ୍ ଲାଗିଲା। ୧୯୮୦ରେ ମୁଖ୍ୟମନ୍ତ୍ରୀ ହେଲେ ଜେ.ବି ପଟ୍ଟନାୟକ। କେବଳ ନିଜର ୫ବର୍ଷିଆ ଶାସନ କାଳ ପୂରଣ କଲେ ନାହିଁ, ଲଗାତର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇ,ଓଡ଼ିଶା ରାଜନୀତିରେ ଇତିହାସ ସୃଷ୍ଟି କଲେ। ପୁଣି ୧୯୯୫ରୁ ୯୯ ଯାଏଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଜେ.ବି। ନବୀନ ପଟ୍ଟନାୟକ ଯଦିଓ ସର୍ବାଧିକ ବର୍ଷ ମୁଖ୍ୟମନ୍ତ୍ରୀ ହେବାରେ ରେକର୍ଡ କରିଛନ୍ତି,କିନ୍ତୁ ନବୀନଙ୍କ ସରକାରକୁ କଣ୍ଟ୍ରୋଲ କରୁଛନ୍ତି ଅମଲା।ଅପର ପକ୍ଷରେ ପଲିଟିକାଲ୍ ସରକାରର ନେତୃତ୍ୱ ନେଉଥିବା ଜେ.ବିଙ୍କ କଣ୍ଟ୍ରୋଲ ଥିଲା ସାରା ଓଡ଼ିଶାର ୩୧୪ ବ୍ଲକରେ।
ଶିଳ୍ପ ବିକାଶରେ ବିନ୍ଧାଣୀ
ଶିଳ୍ପର ସ୍ଥପତି ଜାନକୀ ବଲ୍ଲଭ ପଟ୍ଟନାୟକ,୧୦୦୦ ଦିନରେ ୧୦୦୦ ଶିଳ୍ପର ଆହ୍ୱାନ ଦେଇ ଶିଳ୍ପ ବିପ୍ଳବ ଆରମ୍ଭ କରିଥିଲେ।ତାଙ୍କ ସମୟରେ ୧୯୮୦ରେ ଓମଫେଡ୍ ପ୍ରତିଷ୍ଠା ହେବା ସହ ଅଣ୍ଡା ଉତ୍ପାଦନ ପାଇଁ ମୁଣ୍ଡ ଟେକିଥିଲା ଓପୋଲୋ ଫେଡ୍। ଦାଦନ ଶ୍ରମିକ ବିରୋଧି ଜେ.ବି., NALCO ପ୍ରତିଷ୍ଠା ସହ କେନ୍ଦୁଝରରେ ସ୍ପଞ୍ଜ ଆଇରନ୍ ଫ୍ୟାକ୍ଟ୍ରି, ବାଲେଶ୍ୱରରେ ଟାୟାର କାରଖାନା ଏବଂ ଭଦ୍ରକରେ ଚାର୍ଜକ୍ରୋମ, କଟକ ନୂଆହାଟରେ ଶ୍ରୀଜଗନ୍ନାଥ ସୂତାକଳ ସ୍ଥାପନା କରିଥିଲେ। ବର୍ତ୍ତମାନ ସମୟରେ ଚଳଚ୍ଚିତ୍ର ଶିଲ୍ପ ଆଣ୍ଠେଇ ପଡିଥିବା ବେଳେ ଜାନକୀ ବଲ୍ଲଭ ପଟ୍ଟନାୟକ କଳିଙ୍ଗ ଷ୍ଟୁଡିଓ ସହ ପ୍ରତିଷ୍ଠା କରିଥିଲେ ଓଡିଶା ଚଳଚ୍ଚିତ୍ର ଉନ୍ନୟନ ସଂସ୍ଥା। କ୍ରୀଡ଼ାର ବିକାଶ ପାଇଁ ହଷ୍ଟେଲ, ଜବାହର ଲାଲ୍ ଇନଡୋର ଷ୍ଟାଡ଼ିୟମ୍ ଜେ.ବିଙ୍କ ପରିକଳ୍ପନା। ହୋଟେଲକୁ ଶିଳ୍ପର ମାନ୍ୟତା ବି ତାଙ୍କରି ପ୍ରୟାସ।
ନେତୃତ୍ୱ ବିକାଶରେ ବିଶ୍ୱାସ
ଲୁଲୁ ମହାପାତ୍ରଙ୍କ ପରି ଛାତ୍ରନେତା ସୃଷ୍ଠିରେ ଜେ.ବି. ଥିଲେ ସଫଳ ବିନ୍ଧାଣୀ। ଯାହା ବିଜୁ ଜନତା ଦଳ ସରକାରରେ ଛାତ୍ରନେତା ବିକାଶ ଅସମ୍ଭବ ହୋଇଛି। ଏମିତିରେ ବିଜେଡି ସରକାର, କଲେଜ୍ ଇଲେକ୍ସନ୍ ବନ୍ଦ କରି ଛାତ୍ରନେତା ସୃଷ୍ଠିରେ ବାଧକ ସାଜିଛନ୍ତି। ଓଡିଶାର ଚର୍ଚ୍ଚିତ ବ୍ୟକ୍ତିଙ୍କ ଗହଣରେ ଶ୍ରେଷ୍ଠରେ ରହି ଆସିଛନ୍ତି ଜାନକୀ ବଲ୍ଲବ ପଟ୍ଟନାୟକ। ସେ ଏକାଧାରରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ଏବଂ ବିରୋଧିଦଳ ନେତା ହୋଇଛନ୍ତି ଯାହା ଓଡିଶାର କୌଣଷି ନେତାଙ୍କ ପାଖରେ ନାହିଁ। ବିଜୁ ପଟ୍ଟନାୟକ ଯଦିଓ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ବିରୋଧି ଦଳ ନେତା ହୋଇଥିଲେ, କିନ୍ତୁ ରାଜ୍ୟପାଳ ହେବାରେ ସଫଳ ହୋଇନଥିଲେ ବିଜୁ ବାବୁ। ସାହିତ୍ୟ, ସଂସ୍କୃତି, ରାଜନୀତିରେ ଧୂରୀଣ ଜେ.ବିଙ୍କ ୨୦୧୫ ଅପ୍ରେଲ ୨୧ରେ ଦେହାନ୍ତ ପରେ ଏକ ଯୁଗର ଅବସାନ ହୋଇଛି।
ଏ ଷ୍ଟୋରୀ ଲେଖିଛନ୍ତି:ରଶ୍ମିତା ବେହେରା