୧୯୪୮ରେ ଭୁବନେଶ୍ୱରକୁ ଓଡିଶାର ରାଜଧାନୀ ଭାବରେ ଘୋଷଣା କରାଯାଇଥିଲା। ଏହା ପୂର୍ବରୁ କଟକ ଥିଲା ଓଡିଶାର ରାଜଧାନୀ। ଭୁବନେଶ୍ୱରରେ କାହିଁକି ରାଜଧାନୀ ପ୍ରତିଷ୍ଠା ହେବ ତାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା,ଏପରିକି ଆଞ୍ଚଳିକତାବାଦ ମଧ୍ୟ ପ୍ରଭାବ ପକାଇଥିଲାlଅନେକ ନେତା ନିଜ ଅଞ୍ଚଳକୁ ଓଡିଶାର ରାଜଧାନୀର ମାନ୍ୟତା ଦେବାକୁ ଦାବି ମଧ୍ୟ କରିଥିଲେ। ତା ସତ୍ତ୍ୱେ ମଧ୍ୟ ଏ ଯୋଜନା ସଫଳ ହୋଇଥିଲା।କଟକ ପରିବର୍ତ୍ତେ ଭୁବନେଶ୍ୱରକୁ ଓଡିଶାର ରାଜଧାନୀ ଭାବେ ଘୋଷଣା କରାଯାଇଥିଲା
ହରେକୃଷ୍ଣ ମହତାବ,ଜବାହର ଲାଲ୍ ନେହେରୁ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍
କିଏ ସେ ରାଜଧାନୀ ପରିବର୍ତ୍ତନର ନାୟକ?
କଟକରୁ ଭୁବନେଶ୍ୱର ରାଜଧାନୀ ପରିବର୍ତ୍ତନ କରିବା ଦିଗରେ କିଛି ବ୍ୟକ୍ତିଙ୍କ ପ୍ରମୁଖ ଭୁମିକା ରହିଛି। ସେପ୍ଟେମ୍ବର ୩୦, ୧୯୪୬ ମସିହାର ମଧ୍ୟବର୍ତ୍ତୀ କାଳୀନ ସରକାର ହରେକୃଷ୍ଣ ମହତାବଙ୍କ ଶାସନ ସମୟରେ ଓଡ଼ିଶାର ନୂଆ ରାଜଧାନୀ ହେବାର ପ୍ରସ୍ତାବ ସର୍ବ ସମ୍ମତି କ୍ରମେ ଓଡ଼ିଶାର ବ୍ୟବସ୍ଥାପିକା ସଭାରେ ଗୃହୀତ ହୋଇଥିଲା। ଏହି ପ୍ରସ୍ତାବରେ ମୋହର ମଧ୍ୟ ଲାଗିଥିଲା।ଶାସନ କେନ୍ଦ୍ରର ମୂଳପିଣ୍ଡ ଭାବେ ଗଢି ତୋଳିବାକୁ ଭୁବନେଶ୍ୱରରେ ଆବଶ୍ୟକ ନିର୍ମାଣ କରିବା ପାଇଁ ଏହି ପ୍ରସ୍ତାବ ସରକାରଙ୍କୁ କ୍ଷମତା ପ୍ରଦାନ କଲାl
କାହିଁକି କଟକରୁ ହଟିଲା ରାଜଧାନୀ?
କଟକରୁ ରାଜଧାନୀକୁ ସ୍ଥାନାନ୍ତରୀକରଣ କରିବା ପାଇଁ ହରେକୃଷ୍ଣଙ୍କ ବିରୋଧୀ,କଟକ ବାସିନ୍ଦା, କଟକର ନେତୃମଣ୍ଡଳୀ ଓ ତତ୍କାଳୀନ କର୍ମଚାରୀମାନେ ତୀବ୍ର ବିରୋଧ କରୁଥିଲେ। କିନ୍ତୁ ସରକାରୀ କାର୍ଯ୍ୟଳୟ ଗୁଡିକୁ ସଂପ୍ରସାରଣ ପାଇଁ କଟକରେ ଜାଗା ନଥିଲା ଅନ୍ୟ ରାଜ୍ୟ ଗୁଡିକରେ ମଧ୍ୟ ରାଜଧାନୀ ସହର ଗଢି ଉଠିଥିଲା, ସେଭଳି ଓଡ଼ିଶାରେ ମଧ୍ୟ ରାଜଧାନୀ ସହର କରେଇବାକୁ ହେବlଏହି କ୍ରମରେ ପ୍ରତିନିଧିମାନେ ନିଜ ଅଂଚଳର ଗୁରୁତ୍ୱ ସବୁ ବର୍ଣ୍ଣନା କଲେ, ସେମାନଙ୍କ ଅଞ୍ଚଳରେ ରାଜଧାନୀ କରାଯାଉlବିଶେଷ କରି ପ୍ରଥମେ ଖୋର୍ଦ୍ଧାକୁ ଯୁକ୍ତିକୁ ଅଣାଗଲା ଓ କୁହାଗଲା କି ଏହା ବୀର ପାଇକ ମାନଙ୍କର ଅଞ୍ଚଳ। ଓଡିଶାକୁ ସ୍ୱାଧୀନ କରିବା ପାଇଁ ପାଇକ ମାନଙ୍କର ଯଥେଷ୍ଟ ଅବଦାନ ରହିଛିlଏଣୁ କିଛି ଲୋକ ଖୋର୍ଦ୍ଧା ମାଟିରେ ରାଜଧାନୀ ହେଉ ବୋଲି କହିଥିଲେ।ଏମିତି ଯୁକ୍ତି ଭିତରେ ହରେ କୃଷ୍ଣ ମହତାବ କିନ୍ତୁ ଭୁବନେଶ୍ୱରରେ ରାଜଧାନୀ ହେଉ ବୋଲି ଏକ ଦୃଢ ଯୁକ୍ତି କରିଥିଲେ। ସେ ଐତିହାସିକ ଏବଂ ସାଂସ୍କୃତିକ କାରଣ ସବୁ ଉପସ୍ଥାପନ କଲେ। ଅଶୋକଙ୍କ ସମୟରୁ ଏହା ହଜାର ହଜାର ବର୍ଷ ଧରି ରାଜଧାନୀ ସହର ଥିବା ଯୁକ୍ତି ଉପସ୍ଥାପନ କରିଥିଲେ।ଏହି ଯୁକ୍ତିର ପ୍ରାସଙ୍ଗିକତାକୁ ଉପଲବ୍ଧି କରିବା ସହିତ ଶାସନଗତ ସୁପରିଚାଳନା ପାଇଁ କଟକରୁ ରାଜଧାନୀର ସ୍ଥାନାନ୍ତରୀକରଣ କରାଯାଇଥିଲା।୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଜବାହର ଲାଲ୍ ନେହେରୁ ଭୁବନେଶ୍ୱରର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେl