ଉତ୍କଳ ଗୌରବ ମଧୁବାବୁ ଥିଲେ ଚିରକାଳ ଜଣେ ସ୍ୱପ୍ନଦର୍ଶୀ ତାରୁଣ୍ୟ। ମଧୁସୂଦନ ଦାସ କେବଳ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବରେଣ୍ୟ କର୍ଣ୍ଣଧାର ନଥିଲେ ବରଂ ତତ୍କାଳୀନ ଓଡିଶାର ବିକାଶ ଉପରେ ଗୁରୁତ୍ୱ ଦେଇ ଏକ ପ୍ରଗତିଶୀଳ ପ୍ରଦେଶ ନିର୍ମାଣ ପାଇଁ ପ୍ରତିଜ୍ଞାବଦ୍ଧ ଥିଲେ। ଉତ୍କଳ ଟ୍ୟାନେରି ଏବଂ ଓଡ଼ିଶା ଆର୍ଟ ଓୟାର୍ସ ଥିଲା ତାଙ୍କ ଶିଳ୍ପସମୃଦ୍ଧ ଚେତନାର ପ୍ରୟୋଗଶାଳା। ଓଡ଼ିଶାର ସ୍ୱାଭିମାନ ଓ ଜାତୀୟ-ଜୀବନ ପ୍ରତିଷ୍ଠା ଭିତରେ ମାତି ମଧୁବାବୁ ଶିଳ୍ପକୁ ଯଥେଷ୍ଟ ବ୍ୟାବସାୟିକ ସଫଳତା ଦେଇପାରି ନଥିଲେ।ତାଙ୍କ ସମଗ୍ର ଜୀବନ ଜାତିର ସ୍ୱପ୍ନ ପାଇଁ ସମର୍ପିତ ଥିଲା।୧୯୩୪ ମସିହା ଫେବୃଆରୀ୧୯୩୪ ରେ ତାଙ୍କର ଦେହାନ୍ତ ସହ ଏକ ଯୁଗର ଅବସାନ ଘଟିଥିଲା।ଆଜି ତାଙ୍କର ପୁଣ୍ୟତିଥୀରେ ସମଗ୍ର ଓଡିଆ ଜାତି ତାଙ୍କୁ ସ୍ମରଣ କରୁଛି।ଆଜି ତାଙ୍କର ମୃତ୍ୟୁ ବାର୍ଷିକୀରେ ମଧୁ ବାବୁଙ୍କ ଜୀବନକୁ ସ୍ମରଣ କରିବା ବେଳେ ତାଙ୍କ ଜୀବନର କିଛି ବିରଳ ଘଟଣାର ସଙ୍କଳନ ବିଷୟରେ ଜାଣିବା।
ଉତ୍କଳ ଗୌରବ ମଧୁସୂଦନ ଦାସ
ବିଭିନ୍ନ କ୍ଷେତ୍ରରେ ପାଇଛନ୍ତି ପ୍ରଥମ ଓଡ଼ିଆର ସ୍ୱୀକୃତି
ଚୌଧୁରୀ ରଘୁନାଥ ଦାସ ଓ ପାର୍ବତୀ ଦେବୀଙ୍କ ସୁପୁତ୍ର ମଧୁ ବାବୁ ୨୮ ଏପ୍ରିଲ ୧୮୪୮ରେ ଓଡିଶାର କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିର ଉନ୍ନତିରେ ମଧୁସୂଦନ ଦାସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।ସେ କୂଳବୃଦ୍ଧ(ଗ୍ରାଣ୍ଡ ଓଲ୍ଡ ମ୍ୟାନ୍) ଭାବରେ ଜଣାଶୁଣା ।ସେ କେବଳ ଓଡ଼ିଶା ପ୍ରଦେଶର ଜନକ ଥିଲେ ତା’ ନୁହେଁ ସେ ଯଥାର୍ଥରେ ଥିଲେ ଓଡ଼ିଆ ଜାତିର ମନ୍ତ୍ରଦାତା।ବହୁ କ୍ଷେତ୍ରରେ ପ୍ରଥମ ଓଡ଼ିଆ ଭାବେ ତାଙ୍କର ସ୍ବୀକୃତି ଓ ସମ୍ମାନ ଥିଲା ସ୍ବତନ୍ତ୍ର। ପ୍ରଥମ ଓଡ଼ିଆ ଓକିଲ,ପ୍ରଥମ ବିଲାତ ଯାତ୍ରୀ,ପ୍ରଥମ ସ୍ନାତକୋତ୍ତର ଓଡିଆ ଛାତ୍ର ଭାବରେ ସେ ପ୍ରସିଦ୍ଧି ଅର୍ଜନ କରିଥିଲେ।
କାହିଁକି ତାଙ୍କ ଜନ୍ମ ଦିବସକୁ ଆଇନଜୀବୀ ଦିବସ ଭାବେ ପାଳନ କରୁଛି ଓଡ଼ିଶା?
ଓଡ଼ିଶା ହାଇକୋର୍ଟର ସର୍କିଟ ବେଞ୍ଚ ୧୯୧୬ ମସିହା ମେ ମାସ ୧୮ ତାରିଖରେ କଟକ ଠାରେ ବସିଥିଲା। ଏହି ଅବସରରେ ବାର୍ ଆସୋସିଏସନ୍ ସଭାପତି ମଧୁସୂଦନ ଦାସ, ଏହି ସର୍କିଟ କୋର୍ଟକୁ ଭବିଷ୍ୟତରେ ସ୍ଥାୟୀ କୋର୍ଟରେ ପରିଣତ କରିବାକୁ ପଦକ୍ଷେପ ନେଇଥିଲେ। ଏହି କାରଣରୁ ଚିର ଆଶାବାଦୀ ଉତ୍କଳ ଗୌରବ ମଧୁସୂଦନଙ୍କୁ ଓଡ଼ିଶା ଉଚ୍ଚନ୍ୟାୟାଳୟ ପ୍ରତିଷ୍ଠାର ପ୍ରଥମ ନାୟକ ଭାବେ ଗ୍ରହଣ କରାଯାଏ। ତାଙ୍କର ଏହି ପ୍ରମୁଖ ଭୂମିକା ପାଇଁ ତାଙ୍କ ଜନ୍ମ ଦିବସକୁ ଆଇନଜୀବୀ ଦିବସ ଭାବେ ପାଳନ କରାଯାଉଛି।
ସ୍ୱପ୍ନ ସତ ହେବା ପୁର୍ବରୁ ମହା ନିଦ୍ରାରେ ମହାନାୟକ
ମଧୁବାବୁ ଥିଲେ ଜଣେ ସ୍ୱପ୍ନ-ଦ୍ରଷ୍ଟା।।କେତେ କେତେ ସ୍ୱପ୍ନ ଦେଖିଛନ୍ତି ସେ ଓଡ଼ିଆ ଜାତିକୁ ସ୍ୱତନ୍ତ୍ର କରି ଦେଖେଇବା ପାଇଁ ତା’ର ହିସାବ ନାହିଁ। ତାଙ୍କ ସ୍ୱପ୍ନ କେତେ ଦୂର ସଫଳ ହୋଇଛି ତାହା ତ ବିଶ୍ଳେଷଣ ସାପେକ୍ଷ, ମାତ୍ର ଓଡ଼ିଆ ମାଟିରେ ବିକାଶ ଭିତ୍ତିଭୂମିରେ ଯେ ସେ ମଞ୍ଜି ବୁଣି ଦେଇଛନ୍ତି ଏହା ଅବଶ୍ୟ ସ୍ୱୀକାର୍ଯ୍ୟ। ତାଙ୍କର ବହୁ ସ୍ୱପ୍ନ ଭିତରେ ସବୁଠୁ ବଡ଼ ସ୍ୱପ୍ନ ଥିଲା ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ। ତାଙ୍କ ସ୍ୱପ୍ନ ସଫଳ ତ ହୋଇଛି, ୧୯୩୬ ମସିହା ଏପ୍ରିଲ୍ ମାସ ଏକ ତାରିଖ ଦିନ, ମାତ୍ର ସ୍ୱପ୍ନର ସଫଳ ରୂପାୟନ ଦେଖିବାକୁ ସେ ଆଉ ନଥିଲେ। ଏହାର ଠିକ୍ ଦୁଇ ବର୍ଷ ପୂର୍ବରୁ ଅର୍ଥାତ୍ ୧୯୩୪ ମସିହା ଫେବୃଆରୀ ଚାରି ତାରିଖ ଦିନ ଏହି ଚିରନ୍ତନ ସ୍ୱପ୍ନଦର୍ଶୀଙ୍କର ସକଳ ସ୍ୱପ୍ନର ଅନ୍ତ ହୋଇଥିଲା।