କଂଗ୍ରେସର ନୂଆ ସଭାପତିକୁ ନେଇ କସରତ ଆରମ୍ଭ ହୋଇଯାଇଛି। ସାମ୍ପ୍ରତିକ ସ୍ଥିତିରେ କଂଗ୍ରେସର ସ୍ଥିତି ଏତେଟା ସୁଦୃଢ଼ ନଥିବା ହେତୁ ଆଗାମୀ ନିର୍ବାଚନ ପାଇଁ ଏବେଠୁ ଅଣ୍ଟା ଭିଡୁଛି କଂଗ୍ରେସ। ସାଂଗଠନିକ ସ୍ଥିତି ସଜାଡିବା ଦଳ ପାଇଁ ଏକ ଆହ୍ୱାନ ସାଜିଛି। ତେଣୁ ଆସନ୍ତା ମାସରେ ଦଳ ନୂଆ ସଭାପତି ଚୟନ କରିବ। ଅସଜଡା ସ୍ଥିତିକୁ ସଜାଡିବାକୁ ସଭାପତିଙ୍କ କାନ୍ଧରେ କଂଗ୍ରେସର ଦାୟିତ୍ୱଭାର ଅର୍ପଣ କରିବ। କଂଗ୍ରେସ ଉପରେ ଗାନ୍ଧୀ ପରିବାରର ପ୍ରଭୁତ୍ୱ ରହିଆସିଛି। ମାତ୍ର ବରିଷ୍ଠ ନେତାଙ୍କ ଅନୁରୋଧ ସତ୍ୱେ ରାହୁଲ ଗାନ୍ଧୀ କଂଗ୍ରେସର ସଭାପତି ହେବାକୁ ଚାହୁଁନଥିବା ସୂଚନା ମିଳୁଛି। ଅସୁସ୍ଥତା ହେତୁ  ସୋନିଆ ଗାନ୍ଧୀ ମଧ୍ୟ ଆଉ ସଭାପତି ହୋଇପାରିବେ ନାହିଁ ବୋଲି ମନା କରିଦେଇଛନ୍ତି। ପ୍ରିୟଙ୍କା ଗାନ୍ଧିଙ୍କ ଉପରେ ଦଳ ଆସ୍ଥା ରଖିଥିବା ଚର୍ଚ୍ଚା ହେଉଥିଲେ ସୁଦ୍ଧା ସେ ମଧ୍ୟ ଅମଙ୍ଗ ଥିବା ଚର୍ଚ୍ଚା ହେଉଛି।

ବୁଡୁଥିବା ଡଙ୍ଗାର ନାଉରୀ ହେବେ କି ଅଣଗାନ୍ଧୀ
ଗାନ୍ଧୀ ପରିବାରର ୩ ସଦସ୍ୟ ସଭାପତି ପାଇଁ ଅରାଜି ଥିବା ଚର୍ଚ୍ଚା ହେଉଛି। ସୋନିଆ,ରାହୁଲ ଓ ପ୍ରିୟଙ୍କା ଯଦି ମଙ୍ଗ ସମ୍ଭାଳିବାକୁ ଅରାଜି ହୁଅନ୍ତି ତେବେ  କଂଗ୍ରେସକୁ ଅଣଗାନ୍ଧୀ ସଭାପତି ମିଳିପାରେ ।କଂଗ୍ରେସର ମଙ୍ଗ ଧରିବାକୁ ରାହୁଲ ଗାନ୍ଧୀ ଅରାଜି ହେବା ପରେ ଏବେ ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣଙ୍କୁ କଂଗ୍ରେସ ଅଧ୍ୟକ୍ଷ କରାଯିବାକୁ ପ୍ରସ୍ତୁତି ଚାଲିଛି। ୨୦୧୯ ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଏହାପରେ ତାଙ୍କୁ ସଭାପତି ପଦ ପାଇଁ ବାରମ୍ବାର ବୁଝାଯାଇଥିଲେ ବି ସେ ରାଜି ହେଉନାହାନ୍ତି। ତେଣୁ ଜଣେ ଅଣ ଗାନ୍ଧୀ ପରିବାରର ସଦସ୍ୟଙ୍କୁ ସଭାପତି କରିବାକୁ ଦଳ ଚିନ୍ତା କରୁଥିବା ଶୁଣିବାକୁ ମିଳୁଛି।

ସୋନିଆ ଗାନ୍ଧୀ,ସୀତାରାମ କେଶରୀ

ସୀତାରାମ କେଶରୀଙ୍କ ପରେ ଜଣେ ଅଣଗାନ୍ଧୀଙ୍କୁ ଦାୟିତ୍ୱ ଦେବ କି କଂଗ୍ରେସ?
କଂଗ୍ରେସରେ ଗାନ୍ଧୀ ପରିବାରର ଦବଦବା ସବୁବେଳେ ରହି ଆସିଛି। ୧୯୨୪ରେ ମହାତ୍ମା ଗାନ୍ଧୀ, ୧୯୭୮-୮୩ରେ ଇନ୍ଦିରା ଗାନ୍ଧୀ, ୧୯୮୫-୯୧ ରାଜୀବ ଗାନ୍ଧୀ,୧୯୯୮ରୁ ୨୦୧୭ ଯାଏଁ ସୋନିଆ ଗାନ୍ଧୀ,୨୦୧୭ ରୁ ୨୦୧୯ ରାହୁଲ ଗାନ୍ଧୀ କଂଗ୍ରେସର ସଭାପତି ପଦ ଅଳଙ୍କୃତ କରିଆସିଛନ୍ତି। ୨୦୧୯ରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ ସଭାପତି ପଦରୁ ଇସ୍ତଫା ଦେଲାପରେ ସୋନିଆ ଗାନ୍ଧୀ ଏବେ ସେ ପଦ ସମ୍ଭାଳୁଛନ୍ତି। ଗାନ୍ଧୀ ପରିବାର ପ୍ରାୟତଃ ସଭାପତି ପଦ ହାତେଇଆସିଛନ୍ତି। ୧୯୯୬ରୁ ୧୯୯୮ ଯାଏଁ ସୀତାରାମ କେଶରୀ କଂଗ୍ରେସର ସଭାପତି ଥିଲେ। ତାଙ୍କ ପରଠାରୁ କ୍ରମାଗତ ଭାବେ ଗାନ୍ଧୀ ପରିବାର ହିଁ  ସଭାପତି ଆସନ ହାତେଇଛି।ଏବେ ଯଦି ସୋନିଆ,ରାହୁଲ କି ପ୍ରିୟଙ୍କା ସଭାପତି ଆସନରେ ନ ବସନ୍ତି ତେବେ କେଉଁ ଅଣଗାନ୍ଧୀ ହିଁ ଏ ଆସନରେ ବସିବାର ସୁଯୋଗ ପାଇବେ। ଏହି ଦୌଡରେ ଦଳର ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍ବ, ମଧ୍ୟପ୍ରଦେଶ କଂଗ୍ରେସ ଚିଫ୍  କମଳନାଥ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶୁଷିଲ କୁମାର ସିଂହ,ମୀରାକୁମାରୀ ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ନାଁ ଚର୍ଚ୍ଚାରେ ରହିଛି।ତେବେ ବୁଡୁଥିବା କଂଗ୍ରେସର ନାଉରୀ କିଏ ସାଜିବ ତାକୁ ନେଇ କଂଗ୍ରେସରେ ରେସ୍ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା