ଦେଶରେ ଦିନକୁ ଦିନ ମଜବୁତ ହେବାରେ ଲାଗିଛି ଆମ୍ ଆଦମୀ ପାର୍ଟି। ଦିଲ୍ଲୀ, ପଞ୍ଜାବରେ ସରକାର ଗଢିବା ପରେ ଏବେ ସାରା ଦେଶରେ ସରକାର ଗଢ଼ିବାକୁ ଆମ୍ ଆଦମୀ ପାର୍ଟି ଲକ୍ଷ ରଖିଛି। ଓଡିଶାରେ ବିକଳ୍ପ ଦଳ ହେବାକୁ ଅଣ୍ଟା ଭିଡିଛି ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆପ୍। ପ୍ରଭାରୀ ବୀରେନ୍ଦ୍ର ସିଂହ କାଡିୱାନା ଏବଂ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ରଙ୍କ ସମେତ ଅନ୍ୟ ଶୀର୍ଷ ନେତା ବୈଠକ କରି ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ବିଜେଡି ଓ ବିଜେପି ଉପରେ ବର୍ଷିଛନ୍ତି। ଆଗକୁ ଅନେକ ଦଳର ନେତା ଆପ୍ ସହ ଯୋଡି ହେବେ ବୋଲି ସେମାନେ ସାମ୍ବାଦିକ ସମ୍ମୀଳନିରେ ଇସାରା ଦେଇଛନ୍ତି।
ଅସନ୍ତୁଷ୍ଟଙ୍କୁ ମେଳି କରିବ କି ଆପ୍
ଯଦିଓ ଆପ୍ ଆଗାମୀ ନିର୍ବାଚନରେ ଆସନ ହାତେଇବାର ଲକ୍ଷ ରଖିଛି ତଥାପି ବିଜୁ ଜନତା ଦଳର ଲୋକପ୍ରିୟତା ଓ ବିଜେପିର ସଂଗଠନ ସଜାଡିବାର ପ୍ରୟାସ ଦଳକୁ ଅଡୁଆରେ ପକାଇପାରେ। ଏ ସମୟରେ ନୂଆ ଚେହେରାଙ୍କୁ ନେଇ ରଣକ୍ଷେତ୍ରକୁ ଓହ୍ଳାଇବା ଫଳପ୍ରଦ ହୋଇ ନ ପାରେ। ବ୍ୟକ୍ତିଗତ ସ୍ତରରେ ଲୋକପ୍ରିୟତା ହାସଲ କରିଥିବା ନେତାଙ୍କୁ ଟାର୍ଗେଟ୍ କରି ଗେମ୍ ପ୍ଲାନ୍ କରିପାରେ ଆପ୍। ବିଭିନ୍ନ ଦଳରୁ କୋଣଠେସା ସାଜିଥିବା ନେତାଙ୍କୁ ନେଇ ନିର୍ବାଚନ ଲଢ଼ିବା ଅନୁମାନ କରାଯାଉଛି। ବିଜୟ ମହାପାତ୍ର,ଦୀଲ୍ଲିପ ରାୟ,ମହମ୍ମଦ ମୋକିମ୍ ଆଦି ନେତାଙ୍କୁ ଆପ୍ ଟାର୍ଗେଟ୍ କରିଥାଇପାରେ ବୋଲି ଚର୍ଚ୍ଚା ହେଉଛି। ଯଦିଓ ଅପରାଜିତା ଷଡଙ୍ଗୀ ଓ ବୈଜୟନ୍ତ ପଣ୍ଡା ବିଜେପିରେ ଅଛନ୍ତି ତଥାପି ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସେମାନଙ୍କୁ କୋଣଠେସା କରାଯାଉଥିବା ଦେଖିବାକୁ ମିଳୁଛି। ଆପ୍ ଏମାନଙ୍କୁ ନେଇ ନିର୍ବାଚନ ଲଢ଼ିପାରେ ବାରଲି ଚର୍ଚ୍ଚା ହେଉଥିଲେ ସୁଦ୍ଧା ଏଯାବତ୍ କିଛି ବି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।ନେତାଙ୍କ ସମ୍ପୃକ୍ତିକୁ କେହିକେହି ଗୁଜବ ବଳୂଲି ମଧ୍ୟ କହୁଛନ୍ତି।
ସତ ହେବ ତ ଆପର ସ୍ୱପ୍ନ,କି କରିସ୍ମା ଦେଖାଇବେ କେଜରିୱାଲ
୨୦୧୯ ସାଧାରଣ ନିର୍ବାଚନରେ ୧୪୭ ନିର୍ବାଚନମଣ୍ଡଳୀ ମଧ୍ୟରୁ ୧୦୬ ଆସନରେ ପ୍ରାର୍ଥୀ ଦେଇଥିଲା ଆପ୍। ସେଥିମଧ୍ୟରୁ ୫୮ ଜଣ ପ୍ରାର୍ଥୀ ହଜାରେରୁ କମ ଭୋଟ ପାଇଥିଲେ। ଅନେକ ପ୍ରାର୍ଥୀ ୩ ଶହରୁ କମ ଭୋଟ ପାଇଥିଲେ। କିନ୍ତୁ ପୌର ନିର୍ବାଚନରେ ବ୍ରହ୍ମପୁରରେ କଂଗ୍ରେସକୁ ପଛରେ ପକାଇ ତୃତୀୟ ସ୍ଥାନକୁ ଆସିଥିଲା ଆମ ଆଦମୀ ପାର୍ଟି। ତେଣୁ ଓଡିଶା ଉପରେ ଫୋକସ କରି କେଜରିୱାଲ କି କରିସ୍ମା ଦେଖାଇବେ ତା ଉପରେ ସମସ୍ତଙ୍କ ନଜର ରହିଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା