ରାଜସ୍ଥାନ କଂଗ୍ରେସର ସ୍ଥିତିକୁ ନେଇ ଅନେକ ସମସ୍ୟା ସୃଷ୍ଟି ହୋଇଛି। ରାଜସ୍ଥାନର ମଙ୍ଗ କିଏ ସମ୍ଭାଳିବ? ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ କାହାକୁ ବାଛିବ ତାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ। ଗୋଟିଏ ପଟେ ଅଧ୍ୟକ୍ଷ ନିର୍ବାଚନକୁ ନେଇ କଂଗ୍ରେସ ଚିନ୍ତାରେ ଥିବା ବେଳେ ଅନ୍ୟପଟେ ରାଜସ୍ଥାନ କଂଗ୍ରେସରେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଦ୍ୱନ୍ଦ ଉପୁଜିଛି। କଂଗ୍ରେସ ଅଧ୍ୟକ୍ଷ କିଏ ହେବ ସେନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଧ୍ୟକ୍ଷ ଦୌଡ଼ରେ ଆଗରେ ରହିଛନ୍ତି। ଏହାରି ମଧ୍ୟରେ ରାହୁଲ ଗାନ୍ଧୀ ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି କି ଜଣେ ବ୍ୟକ୍ତି ଦଳର ଗୋଟିଏ ପଦରେ ରହିପାରିବେ। ଏହାକୁ ଦେଖିଲେ ଅଶୋକ ଗେହଲଟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡିବା ନିଶ୍ଚିନ୍ତ। ଯଦି ସେ ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ,ଏହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି।ଏ ନେଇ କମଲନାଥ ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରି ମଧ୍ୟସ୍ଥତା କରିବେ।
ପାଇଲଟ, ଜୋଶୀ ନା ଅଶୋକ ଗେହଲଟ..
ରାଜସ୍ଥାନ କଂଗ୍ରେସରେ କନ୍ଦଳ କମିବାରେ ନାଁ ଧରୁନାହିଁ। ସେପଟେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଗେହଲଟ ଓ ପାଇଲଟଙ୍କ ବିବାଦ ରାଜସ୍ଥାନରେ ରୋଚକ ମୋଡ଼ ନେଉଛି। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ନାମ ଏହି ରେସ୍ରେ ଥିବା ବେଳେ ରାଜସ୍ଥାନ ବିଧାନସଭା ଅଧ୍ୟକ୍ଷ ସିପି ଯୋଶୀଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି। ଅଶୋକ ଗେହଲଟ ଦଳର ଅଧ୍ୟକ୍ଷ ହେଲେ ଦଳ ହାଇକମାଣ୍ଡ ସଚ୍ଚିନ ପାଇଲଟଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିପାରନ୍ତି।
ମାତ୍ର ଗେହଟଲ ଓ ପାଇଲଟଙ୍କ ମଧ୍ୟରେ ସଂପର୍କ ଠିକ୍ ନଥିବାରୁ ଗେହଲଟ ତାଙ୍କ ନିକଟତମ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ହାଇକମାଣ୍ଡଙ୍କ ପାଖରେ ଦାବି କରିପାରନ୍ତି। ଏହି କ୍ରମରେ ପ୍ରଥମେ ଆସୁଛି ସିପି ଜୋଶୀଙ୍କ ନାମ। ଯଦି ଦଳର ହାଇକମାଣ୍ଡ ଗେହଲଟଙ୍କ ଦାବିକୁ ଶୁଣନ୍ତି ତାହେଲେ ସଚ୍ଚିନ ପାଇଲଟ ନୁହେଁ ବରଂ ସିପି ଜୋଶୀ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବେ। ରାଜସ୍ଥାନର କ୍ଷମତା ସଂକଟ ବେଳେ ଶାନ୍ତି ଘରିୱାଲ ସଚ୍ଚିନ ପାଇଲଟଙ୍କୁ ଦମଦାର ବିରୋଧ କରିଛନ୍ତି ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ପ୍ରଶଂସା କରିଛନ୍ତି। ଏହାସହ ଶାନ୍ତି ଘରିୱାଲଙ୍କୁ ଗେହଲଟଙ୍କ ନକଟତମ ବୋଲି ମଧ୍ୟ କୁହାଯାଉଛି। ତେଣୁ ଶାନ୍ତି ଘରିୱାଲ ମଧ୍ୟ ଏହି ମୁଖ୍ୟମନ୍ତ୍ରୀ ପଦ ରେସରେ ରହିଛନ୍ତି ବୋଲି ଚର୍ଚ୍ଚ ହେଉଛି। ଏଥିସହ ରାଜସ୍ଥାନରେ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସସ୍ପେନ୍ସ ଜାରି ରହିଛି। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଚଉକିରେ ଅଶୋକ ଗେହଲଟ ରହିବେ ନା ସଚିନ ପାଇଲଟ? ଏହି ପ୍ରଶ୍ନକୁ ନେଇ ବର୍ତ୍ତମାନ ସାଧାରଣରେ ବେସ ଚର୍ଚ୍ଚା ହେଉଛି। ଉଭୟ ଗୋଷ୍ଠୀ ପରସ୍ପର ବିରୋଧୀ ହୋଇସାରିଛନ୍ତି। କଂଗ୍ରେସ ବିଧାୟକଙ୍କ ସମର୍ଥନ ଅଶୋକ ଗେହଲଟଙ୍କ ସାଥିରେ ଥିବା ଦେଖିବାକୁ ମିଳିଥିବା ବେଳେ ସେ ଜୟପୁରରେ ମଧ୍ୟ ଉପସ୍ଥିତ ରହିଛନ୍ତି। ସେହିଭଳି ସଚିନ ପାଇଲଟଙ୍କ ଗୋଷ୍ଠୀ ଚୁପ ରହିଛି କିନ୍ତୁ ତାଙ୍କୁ ପାର୍ଟି ହାଇକମାଣ୍ଡଙ୍କ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି। ଏହିଭଳି ଭାବରେ ରାଜସ୍ଥାନ କଂଗ୍ରେସରେ ସିଏମ ପଦକୁ ନେଇ ଗେହଲଟ ଏବଂ ପାଇଲଟ ଗୋଷ୍ଠୀ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇସାରିଛି। ତେବେ ଦେଖିବାକୁ ବାକି ରହିଛି କିଏ ଏଥିରେ ବାଜି ମାରିବ ଓ କାହା ହାତରେ ରହିବ ରାଜସ୍ଥାନ କଂଗ୍ରେସର ରିମୋର୍ଟ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା