ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମ ସହୀଦ ବିର୍ସା ମୁଣ୍ଡାଙ୍କ ନାମରେ ରାଉରକେଲାରେ ପ୍ରତିଷ୍ଠା କଲେ, ଓଡ଼ିଶା ସରକାର। ଗର୍ବ ବଢ଼ିଲା ରାଉରକେଲାର। ୨୦୧୮ ଏବଂ ୨୦୨୩ରେ ଲାଗାତର, ଦୁଇ ଥର ହକି ବିଶ୍ୱକପର ଆୟୋଜକ ଓଡ଼ିଶାକୁ ମିଳିଲା ସ୍ୱତନ୍ତ୍ର ପରିଚୟ। ଭୁବନେଶ୍ୱରରେ ୨୦୧୪ରେ ଚାମ୍ପିୟନ୍ସ ଟ୍ରଫି ହକି ଏବଂ ପରେ ଅନେକ ଅନ୍ତର୍ଜାତୀୟ କ୍ରୀଡ଼ାର ଆୟୋଜନ କରୁଛନ୍ତି ରାଜ୍ୟ ସରକାର। ମାତ୍ର କ୍ରୀଡ଼ାର ପେଣ୍ଠସ୍ଥଳ ରାଉରକେଲା, କିନ୍ତୁ କ୍ରୀଡ଼ା ରାଜଧାନୀର ଚମକ ହରାଇ ବସିଲାଣି। ଏକଦା ଖେଳାଳି ନିର୍ମାଣ ଏବଂ ଟୁର୍ଣ୍ଣାମେଣ୍ଟ ଆୟୋଜନରେ ଢେର ଆଗରେ ଥିଲା ରାଉରକେଲା। ହକି, କ୍ରିକେଟ, ଫୁଟବଲ, ଆଥଲେଟିକ୍ସ, ବକ୍ସିଂ, ବାସ୍କେଟବଲ, ସାଇକେଲିଂ ଆଦି କ୍ରୀଡ଼ାର ଷ୍ଟେଟ୍ ଟିମର ସଂଖ୍ୟାଧିକ ଖେଳାଳି ରହୁଥିଲେ ରାଉରକେଲାରୁ। ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ, ଇଗ୍ନେଶ ତିର୍କୀ, ଦୀପଗ୍ରେସ ଏକ୍କା, ପୁନମଙ୍କ ଭଳି ଚର୍ଚ୍ଚିତ ଖେଳାଳି ଥିଲେ ସୁନ୍ଦରଗଡ଼ର ସୁନ୍ଦର ଉପହାର।    

 ନେତୃତ୍ୱ ଦେଲେ ମାଇକେଲ କିଣ୍ଡୋ
ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ ପାଇଁ ଆଦର୍ଶ ଥିଲେ, ଅଲମ୍ପିକରେ ହକି କ୍ଷେତ୍ରରେ ଦେଶ ପାଇଁ ପ୍ରଥମ ସୂର୍ଣ୍ଣ କପ ଆଣିଥିବା ବିଜୟୀ ଦଳର ଅଧିନାୟକ ଜୟପାଳ ସିଂ ମୁଣ୍ଡା ଜୟପାଲ ସିଂଙ୍କ ସ୍ମୃତିରେ ସର୍ବଭାରତୀୟ ହକି ଟୁର୍ଣ୍ଣାମେଣ୍ଟ କରିବାକୁ ଯୋଜନା କଲା ରାଉରକେଲାର ସେଣ୍ଟ୍ରାଲ ଆଦିବାସୀ କ୍ଲବ। ଉଦ୍ଦେଶ୍ୟ ଥିଲା, ହକିର ପ୍ରଚାର ଏବଂ ହକି ଖେଳାଳି ନିର୍ମାଣ। ୧୯୭୫ରେ ଶୁଭାରମ୍ଭ ହେଲା ସର୍ବଭାରତୀୟ ଜୟପାଲ ସିଂହ ହକି ପ୍ରତିଯୋଗିତା। ଖୁବ କମ ଦିନରେ କୋଲକାତାର ବେଟେନ କପ୍ ପଛକୁ, ପୂର୍ବ ଭାରତର ଦ୍ୱିତୀୟ ଶ୍ରେଷ୍ଠ ହକି ପ୍ରତିଯୋଗିତାର ମାନ୍ୟତା ହାସଲ କଲା, ଜୟପାଲ ସିଂହ ହକି ଟୁର୍ଣ୍ଣାମେଣ୍ଟ

ବିଜୁ-ଜେ.ବିଙ୍କ ପ୍ରୋତ୍ସାହନ
ଭାରତୀୟ ହକି ଦଳ ଲିଜେଣ୍ଡ ମାଇକେଲ୍ କିଣ୍ଡୋ, ୧୯୭୭ରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଚାକିରି କରିବାରୁ ଜୟପାଲ ସିଂହ ହକି ପ୍ରତିଯୋଗିତାର ଭାଗ୍ୟ ବଦଳିଗଲା। ତତ୍କାଳୀନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବିଜୁ ପଟ୍ଟନାୟକ ହକି ଖେଳାଳିଙ୍କ ନିର୍ମାଣ ପାଇଁ ମାଇଲଖୁଣ୍ଟ ସାଜୁଥିବା ଜୟପାଲ ସିଂହ ହକି ପ୍ରତିଯୋଗିତାକୁ ପ୍ରୋତ୍ସାହିତ କଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲବ ପଟ୍ଟନାୟକ ଜୟପାଲ ସିଂହ ହକି ଟୁର୍ଣ୍ଣାମେଣ୍ଟର ମର୍ଯ୍ୟାଦକୁ ଦୁଇ-ଗୁଣିତ କଲେ। ଜେ.ବିଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ୧୯୮୪ରେ ଜୟପାଲ ସିଂହ ହକି ଟୁର୍ଣ୍ଣାମେଣ୍ଟ, ସ୍ୱର୍ଣ୍ଣ କପ୍ ପ୍ରତିଯୋଗିତାରେ ପରିଣତ ହେଲା।

୧୯୭୫ରୁ ୨୩ଟି ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ସୁନାମ ଅର୍ଜନ କରିଥିଲା। କିନ୍ତୁ ୨୦୦୬ ମସିହାର ଜୟପାଲ ସିଂ ସ୍ୱର୍ଣ୍ଣକପ ହକି ଟୁର୍ଣ୍ଣାମେଣ୍ଟ ଆକାଶରେ ଆସିଲା କଳାବାଦଲ। ୩୧ବର୍ଷ ଯାତ୍ରାରେ ପଡ଼ିଲା ପୂର୍ଣ୍ଣଛେଦ। ଭାରତୀୟ ହକି ଦଳର ପ୍ରମୋଟର ହେଉଥିବା ଓଡ଼ିଶା ସରକାରଙ୍କ ପାଇଁ ଜୟପାଲ ସିଂ ଟୁର୍ଣ୍ଣାମେଣ୍ଟ ଗୁରୁତ୍ୱ ରଖିଲାନି। ସୁନ୍ଦରଗଡ଼ ଏବଂ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡରୁ ଜାତୀୟ ଓ ଅନ୍ତର୍ଜାତୀୟ ହକି ଖେଳାଳି ନିର୍ମାଣର ମାଧ୍ୟମ ସାଜିଥିବା ଜୟପାଲ ସିଂ ଟୁର୍ଣ୍ଣାମେଣ୍ଟ ଇତିହାସ ହୋଇଗଲା।

ଲାଗୁଛି ଓଡ଼ିଶାକୁ ୧୦୦ ବର୍ଷ ଶାସନ କରିବାର ସ୍ୱପ୍ନ ଦେଖୁଥିବା ବିଜୁ ଜନତା ଦଳ ପାଇଁ ଛାତ୍ରନେତୃତ୍ୱ ଯେପରି ଅନାବଶ୍ୟକ, ଠିକ୍ ସେମିତି ହକିର ବିକାଶ ପାଇଁ ଜୟପାଲ ସିଂ ଟୁର୍ଣ୍ଣାମେଣ୍ଟର ବୋଧହୁଏ ଦରକାର ନାହିଁ ! କଲେଜ ଏବଂ ୟୁନିଭର୍ସିଟ୍ ନିର୍ବାଚନକୁ ବନ୍ଦ କରି ଛାତ୍ରନେତୃତ୍ୱ ସୃଷ୍ଟିରେ ବାଧକ ସାଜୁଥିବା ବିଜୁ ଜନତା ଦଳ କେମିତି ୧୦୦ ବର୍ଷ ଶାସନରେ ରହିପାରିବ ? ଖେଳାଳି ନିର୍ମାଣକାରୀ ଜୟପାଲ ସିଂ ଟୁର୍ଣ୍ଣାମେଣ୍ଟକୁ ପ୍ରୋତ୍ସାହିତ ନକରି, ହକି ଟିମର ପ୍ରମୋଶନ କଲେ ହକି ଖେଳ କଣ ଆଗକୁ ବଢ଼ିପାରିବ?
ଏ ଷ୍ଟୋରୀ ଲେଖିଛନ୍ତି:ରଶ୍ମିତା ବେହେରା