ହକିଗଡ଼ ରାଉରକେଲାରେ ନିର୍ମାଣ ହୋଇଛି Birsa Munda International Hockey Stadium। ବିଶ୍ୱ କ୍ରୀଡ଼ା ଇତିହାସରେ ଏହା ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ଓଡ଼ିଶାକୁ ବିଶ୍ୱ ହକି ହବ୍ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟରେ ଦୁଇ ଥର ହକି ୱାର୍ଲ୍ଡ କପ୍ ଆୟୋଜନ କରିବା ସହ ରାଉରକେଲାର ଏ ଷ୍ଟାଡ଼ିୟମ୍ ହକି କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡ଼ିଛି।ଆଗାମୀ ଦିନରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ହକି କ୍ଷେତ୍ରରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ମିଳିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଗୁରୁବାର ଏହାକୁ ଉଦ୍ଘାଟନ କରିବା ଅବସରରେ ନିଜ ଟ୍ୱିଟର୍ ଆକାଉଣ୍ଟରେ ଏହାକୁ ବିଶ୍ୱର ସର୍ବବୃହତ ହକି ଷ୍ଟାଡ଼ିୟମ ବୋଲି ପ୍ରକାଶ କରିଛନ୍ତି। ତେବେ ଏହାକୁ ନେଇ ବିତର୍କ ଦେଖା ଦେଇଛି।
ବିବାଦରେ ବିର୍ସାମୁଣ୍ଡା ହକି ଷ୍ଟାଡ଼ିୟମ
ବିର୍ସା ମୁଣ୍ଡା ଷ୍ଟାଡିୟମକୁ ବିଶ୍ୱର ସର୍ବ ବୃହତ୍ ହକି ଷ୍ଟାଡ଼ିୟମ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏ ନେଇ ଏବେ ବିତର୍କ ଆରମ୍ଭ ହୋଇଛି। କେଉଁ ଆଧାରରେ ଏହାକୁ ବିଶ୍ୱର ସର୍ବବୃହତ ବୋଲି କୁହାଯାଉଛି ସେ ନେଇ ପ୍ରଶ୍ନ ଉଠୁଛି। କୌଣସି ଖେଳ ଷ୍ଟାଡିୟମକୁ ଦର୍ଶକଙ୍କ ବସିବା କ୍ଷମତାକୁ ନେଇ ବିଚାର କରାଯାଇଥାଏ। ସେ ଦୃଷ୍ଟିରୁ ଦେଖିବାକୁ ଗଲେ ପାକିସ୍ତାନର ଲାହୋରସ୍ଥିତ ନ୍ୟାସନାଲ ହକି ଷ୍ଟାଡିୟମର ସିଟ୍ ସଂଖ୍ୟା ସବୁଠୁ ଅଧିକ। ଏଠାରେ ୪୫ ହଜାର ଦର୍ଶକ ଖେଳ ଦେଖି ପାରିବେ। ଭାରତର ଚଣ୍ଡିଗଡ଼ ହକି ଷ୍ଟାଡିୟମ ଦର୍ଶକଙ୍କ କ୍ଷମତା ୩୦ ହଜାର। ବିର୍ସା ମୁଣ୍ଡା ଷ୍ଟାଡିୟମର ସିଟ୍ ସଂଖ୍ୟା ୨୦ ହଜାର। ଏ ତଥ୍ୟ ଆଧାରରେ ସମାଲୋଚନା ଆରମ୍ଭ ହୋଇଛି। ତେବେ ବିର୍ସା ମୁଣ୍ଡା ଷ୍ଟାଡ଼ିୟମକୁ ବିଶ୍ୱର ଅନ୍ୟତମ ବୃହତ ଷ୍ଟାଡ଼ିୟମ୍ କହିହେବ ବୋଲି ମତ ରଖିଛନ୍ତି ହକି ସାମ୍ବାଦିକ। କାରଣ ଲାହୋର ଓ ଚଣ୍ଡିଗଡ଼ ଆଦି ଷ୍ଟାଡ଼ିୟମରେ ସିଟ୍ ସଂଖ୍ୟା ଅଧିକ ଥିଲେ ସୁଦ୍ଧା ସେଗୁଡ଼ିକ କେବଳ ହକି ଷ୍ଟାଡ଼ିୟମ୍ ନୁହନ୍ତି ବରଂ ସ୍ପୋର୍ଟସ୍ କଂପ୍ଲେକ୍ସ। ଅନ୍ୟ ପାର୍ଶ୍ୱରେ ବିର୍ସା ମୁଣ୍ଡା ଷ୍ଟାଡିୟମ୍ କେବଳ ହକି ପାଇଁ ସମର୍ପିତ। ତେଣୁ ସେ ଦୃଷ୍ଟିରୁ ବିଚାର କଲେ ରାଉରକେଲାର ଷ୍ଟାଡ଼ିୟମକୁ ବିଶ୍ୱର ସର୍ବ ବୃହତ୍ ହକି ଷ୍ଟାଡ଼ିୟମ ବୋଲି କୁହାଯାଇପାରେ।
ଏ ଷ୍ଟୋରୀ ଲେଖିଛନ୍ତି:ରଶ୍ମିତା ବେହେରା