ବିଶ୍ୱ ପାଳୁଛି ବ୍ୟାଘ୍ର ଦିବସ। ବାଘ ସଂରକ୍ଷଣ ଓ ସୁରକ୍ଷାକୁ ନେଇ ଅନେକ ଆଲୋଚନା ଓ ଯୋଜନା ଜାରି ରହିଛି। ତଥାପି ସୁଫଳ ମିଳୁନି। ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ ହେଲା ପରେ ବି ସ୍ଥିତି ସୁଧୁରୁନି। ବିଶେଷତଃ ଓଡିଶାରେ ବାଘଙ୍କ ସଂଖ୍ୟା ଦୃତ ଗତିରେ ହ୍ରାସ ପାଉଛି। ବ୍ୟାଘ୍ର ସଂରକ୍ଷଣ ପାଇଁ ଦିନେ ସାରା ବିଶ୍ୱରେ ଉଦାହରଣ ପାଲଟିଥିବା ଶିମିଳିପାଳରେ ଆଶ୍ଚର୍ଯ୍ୟଜନକ ଭାବେ ବାଘ ସଂଖ୍ୟା ହ୍ରାସ ପାଇ ୨୮ରେ ସୀମିତ ରହିବା ସମସ୍ତଙ୍କୁ ଚକିତ କରିଛି। ବିଭିନ୍ନ ସମୟରେ ବାଘ ଛାଲ ଜବତ ହେବା ପ୍ରସଙ୍ଗ ବନ୍ୟଜନ୍ତୁଙ୍କ ପ୍ରତି ଥିବା ବିପଦକୁ ବୟାନ୍ କରୁଛି। ଦୃତ ଗତିରେ ବାଘଙ୍କ ସଂଖ୍ୟା ହ୍ରାସ ପାଇବା ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସୁରକ୍ଷା ବ୍ୟବସ୍ଥା କଡାକଡି କରାଗଲେ ହୁଏତ ଏ ଆଶଙ୍କା ହ୍ରାସ ପାଆନ୍ତା ବୋଲି ବୁଦ୍ଧିଜୀବି ମତ ରଖୁଛନ୍ତି।
ଶିମିଳିପାଳରେ ବାଘ ମରୁଡି! ୧୯୨ରୁ ଅଛନ୍ତି ୨୮
ଭାରତର ପ୍ରମୁଖ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଶିମିଳିପାଳରେ ବାଘଙ୍କ ସଂଖ୍ୟା ଦୃତ ଗତିରେ ହ୍ରାସ ପାଉଛି। ୨୦୦୭ ରେ ଶିମିଳିପାଳରେ ବାଘସଂଖ୍ୟା ୧୦୭ରୁ ୩୦ କୁ ହ୍ରାସ ପାଇବା ଓ ଅଚାନକ ୨୦୧୪ରେ ବର୍ଦ୍ଧିତ ସଂଖ୍ୟା ୧୯୨ରୁ ହ୍ରାସ ପାଇ ୨୮ ରେ ପହଞ୍ଚିବା ବିଭାଗୀୟ ଅଧିକାରୀ ତଥା ସରକାରଙ୍କୁ ସନ୍ଦେହ ପରିସରକୁ ଟାଣୁଛି। ସାରା ବିଶ୍ୱରେ ରେକର୍ଡ କରିଥିବା ବ୍ୟାଘ୍ର ସଂରକ୍ଷର କେନ୍ଦ୍ରର ଏହି ବିପର୍ଯ୍ୟସ୍ତ ସ୍ଥିତି ପଶୁପ୍ରେମୀଙ୍କୁ ଚିନ୍ତାରେ ପକାଇଛି। ସେହିଭଳି ନନ୍ଦନକାନନରେ ମଧ୍ୟ ବାଘଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚଳିତ ବର୍ଷ ଏପ୍ରିଲ୍ ୧୨ରେ ବର୍ଷକର ବାଘଛୁଆ ବିବେକର ଚିକିତ୍ସାରେ ଅବହେଳା ହେତୁ ମୃତ୍ୟୁ ହେବା ସହ ତିନୋଟି ବାଘଙ୍କ ମୃତ୍ୟୁ ଘଟିଛି।
କେବେ ଫେରିବ ମହାବଳ?
ଶାତକୋଶିଆ ଅଭ୍ୟୟାରଣରେ ମହାବଳ ବାଘର ମରୁଡି ବନ ବିଭାଗର ବିଫଳତା ବଖାଣୁଛି। ଏ ପ୍ରଜାତି ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇ ସାରିଛି। ଚଉଦ କୋଟି ଟଙ୍କାର ବ୍ୟୟବରାଦ ପରେ 6 ଟି ମହାବଳ ବାଘ ଆସିବାର ଯୋଜନା ଥିଲେ ସୁଦ୍ଧା ଏହା ସଫଳ ହୋଇ ପାରିନି। ସ୍ଥଗିତ ହୋଇଥିବା ମହାବଳ ସ୍ଥାନାନ୍ତର ପ୍ରକ୍ରିୟାକୁ ତ୍ୱରାନୀତ କରି ଶାତକୋଶିଆରେ ମହାବଳ ବାଘର ସଂଖ୍ୟା ବୃଦ୍ଧି କରିବାକୁ ଦାବୀ କରୁଛନ୍ତି।
ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଫେଲ୍
ବ୍ୟାଘ୍ର ସଂରକ୍ଷଣ ନାଁରେ ଉଭୟ ଓ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବର୍ଷ ୫ ରୁ ୬ କୋଟି ଖର୍ଚ୍ଚ କରୁଛନ୍ତି।ଏତେସବୁ ସତ୍ତ୍ୱେ ମଧ୍ୟ ଦୃତ ଗତିରେ ବାଘସଂଖ୍ୟା ହ୍ରାସ ପାଉଛି। NTCA (National Tiger Conservation Authority)ର ରିପୋର୍ଟ ଅନୁଯାୟୀ ଓଡିଶାରେ ବ୍ୟାଘ୍ର ସଂଖ୍ୟାର ଅଭିବୃଦ୍ଧି ହାର ସର୍ବନିମ୍ନ ହୋଇ ରହିଛି। ବିଶ୍ୱ ତୁଳନାରେ ଭାରତରେ ୭୦ ପ୍ରତିଶତ ବାଘ ଥିଲାବେଳେ ଓଡିଶାରେ ମାତ୍ର ୧ ପ୍ରତିଶତ ରହିଛି। ମାଫିଆଙ୍କ ପାଦୁର୍ଭାବ,ସରକାରୀ ଉଦାସୀନତା,ସରକାରୀ ଅଧିକାରୀଙ୍କ ଦାୟିତ୍ତ୍ୱ ହୀନତା ଓ ଇଛାଶକ୍ତିର ଅଭାବ ହିଁ ବାଘସଂଖ୍ୟା ହ୍ରାସର ପ୍ରମୁଖ କାରଣ ପାଲଟିଛି। କମ୍ୟୁନିଟି ପାର୍ଟିସିପେସନକୁ ଗୁରୁତ୍ତ୍ୱ ଦିଆଯାଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ସମ୍ପୃକ୍ତ ଅପରାଧିଙ୍କ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରାଗଲେ ଏ ସମସ୍ୟାର ସମାଧାନ ହୋଇପାରିବ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା