କଂଗ୍ରେସର ସଭାପତି ନିର୍ବାଚନରେ ମଲ୍ଲିକାର୍ଜୁନ ଖଡ଼ଗେ ବିଜୟୀ ହୋଇଛନ୍ତି। କଂଗ୍ରେସର ପରିଚାଳନା ଭାର ସବୁବେଳେ ଗାନ୍ଧୀ ପରିବାର ହାତରେ ରହିଆସିଛି। ମାତ୍ର ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସ ନେତୃତ୍ୱ ଅଣଗାନ୍ଧୀ ପରିବାର ହାତକୁ ଯାଇଛି। କଂଗ୍ରେସର ନୂଆ ସଭାପତି ଭାବେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ସଭାପତି ନିର୍ବାଚନରେ ଶଶୀ ଥରୁରଙ୍କୁ ସେ ହରାଇଛନ୍ତି। ଦୀର୍ଘ ବର୍ଷର ବ୍ୟବଧାନ ପରେ ଖଡ଼ଗେ ଜଣେ ଅଣଗାନ୍ଧୀ ଭାବରେ କଂଗ୍ରେସର ମଙ୍ଗୁଆଳ ସାଜିଥିଲା ବେଳେ ଗାନ୍ଧୀ ପରିବାରର ହସ୍ତକ୍ଷେପକୁ ନେଇ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସଭାପତି ରିମୋଟର କଣ୍ଟ୍ରୋଲର ହେବେ କି ରାହୁଲ ସୋନିଆ
ବହୁ ବାଦ ବିବାଦ ତଥା ଦଳୀୟ ନେତାଙ୍କ ଅସନ୍ତୁଷ୍ଟି ହେତୁ କଂଗ୍ରେସରେ ସଭାପତି ପରିବର୍ତ୍ତନର ପ୍ରସଙ୍ଗ ଉଠିଥିଲା। ପ୍ରଥମ ପର୍ଯ୍ୟାୟରେ ଅଶୋକ ଗେହେଲଟ୍ ମଧ୍ୟ ଏ ଦୌଡ଼ରେ ଖୁବ୍ ଆଗରେ ଦୌଡୁଥିଲେ। ଗାନ୍ଧୀ ପରିବାରକୁ ସଭାପତି ପଦ ପାଇଁ ଅନେକ ଅନୁରୋଧ କରିଥିଲେ ସୁଦ୍ଧା ରାହୁଲ ଏ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ। ତେଣୁ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନର ଆବଶ୍ୟକତା ପଡିଥିଲା। ଏଥିପାଇଁ 3 ଜଣ ନାମାଙ୍କନ କରିଥିଲେ ମାତ୍ର ଶେଷ ପର୍ଯ୍ୟାୟରେ ଦୁଇ ନେତା ନିର୍ବାଚନ ଲଢ଼ିଥିଲେ। ଶଶୀ ଥରୁର୍ ଓ ମଲ୍ଲିକାର୍ଜୁନ ଖଡ଼ଗେ ସାମ୍ନାସାମ୍ନି ହୋଇଥିଲେ। ୧୭ ତାରିଖରେ କଂଗ୍ରେସ ସଭାପତି ପଦ ପାଇଁ ଭୋଟ ହୋଇଥିଲା। ଖଡଗେଙ୍କ ପଛରେ ଗାନ୍ଧୀ ପରିବାରର ହାତ ରହିଥିବାରୁ ସେ ଜିତିବା ଏକପ୍ରକାର ନିଶ୍ଚିତ ହୋଇସାରିଥିଲା। ଖଡ଼ଗେ ମଧ୍ୟ ସଭାପତି ଭାବେ ନିର୍ବାଚିତ ହୋଇ ତାଙ୍କ ସମର୍ଥନ ଗଣିତରେ ପାସ୍ ହୋଇଛନ୍ତି। ମାତ୍ର ସବୁ ପରେ ବି ଆଉ କଂଗ୍ରେସର ନୂଆ ସଭାପତି ହେବା ପରେ ଦଳରେ ରାହୁଲଙ୍କ ଭୂମିକା କଣ ରହିବ? ଗାନ୍ଧୀ ପରିବାର ଦଳୀୟ ନିଷ୍ପତ୍ତିରେ ହସ୍ତକ୍ଷେପ କରିବ କି ନାହିଁ ୟାକୁ ନେଇ ଏବେ ରାଜନୈତୀକ ମହଲରେ ଚର୍ଚ୍ଚା। ଖଡ଼ଗେ ଏକ ଶୋଚନୀୟ ପରିସ୍ଥିତିରେ କଂଗ୍ରେସର ମଙ୍ଗ ଧରିଛନ୍ତି। ଦଳ ଏବେ ବିପର୍ଯ୍ୟସ୍ତ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଆଗକୁ ନିର୍ବାଚନରେ କଡ୍ଡା ଟକ୍କର ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ନୂଆ ସଭାପତି ଭାବେ ଖଡଗେ ସବୁ ନିଷ୍ପତ୍ତି ନିଜ ମୁତାବକ ନେବେ କି ଗାନ୍ଧୀ ପରିବାରର ନିର୍ଦ୍ଦେଶରେ ପରିଚାଳିତ ହେବେ ତା ଉପରେ ଏବେ ସମସ୍ତଙ୍କ ନଜର।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା