ଷ୍ଟାଇଲିସ୍ ରଜନୀକାନ୍ତ: ରୋଡ୍ ରାଇଡରରୁ ସୁପରଷ୍ଟାର୍

ସେ ଚାଲିଲେ ତାଙ୍କ ପଦଧ୍ୱନୀରୁ ବାରି ହୋଇଯାଏ ଅନନ୍ୟ ଢ଼ାଞ୍ଚା,ମାଇଲ୍ ମାଇଲ୍ ଯାଏଁ ବ୍ୟାପିଯାଏ ତାଙ୍କ ଷ୍ଟାଇଲର ଫାଇଲ୍,ନିଆରା ଆନ୍ଦାଜ୍ ପାଇଁ କେବେ ଦବେଇ ହୁଏନି ତାଙ୍କ ସମର୍ଥକଙ୍କ ସ୍ୱର,ତାଙ୍କ ସିଗାରେଟ୍ ଟାଣିବା ବି ସାଜିଯାଏ ସିନେମା ଜଗତର ସ୍ଟାଇଲିଷ୍ଯ ସିଗ୍ନେଚର୍, ଚଷମା ପିନ୍ଧିବାର ନିଆରା ଶୈଳୀ ପାଇଁ ସେ ସାଜିଛନ୍ତି ଅନନ୍ୟତାର ଶିଳାଲେଖ, ସେ ଏପରି ଏକ ଅଭିନେତା ଯିଏ ରୋଡ଼୍ ରାଇଡରରୁ ସୁପରଷ୍ଟାର୍। ତାଙ୍କର ଜନ୍ମଦିନ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଶୁଭେଚ୍ଛା ଜଣାଇଛନ୍ତି।ତାଙ୍କ ସମ୍ପର୍କୀତ ଅନେକ ଅଜଣା କଥା ବିଷୟରେ ଜାଣିଛନ୍ତି କି?
ବସ୍ କଣ୍ଡକ୍ଟରରୁ ସୁପରଷ୍ଟାର୍
୧୯୫୦ ଡିସେମ୍ବର ୧୨’ରେ ରଜନୀକାନ୍ତଙ୍କ ଜନ୍ମ ।ଏବେକା ସମୟରେ ଦର୍ଶକଙ୍କ ମନରେ ଛାଇଯାଇଥିବା ଅଭିନେତା ତଥା ତାମିଲ୍ ସିନେମାର ଗଡ଼ଫାଦର କୁହାଯାଉଥିବା ରଜନୀକାନ୍ତ ଅମାପ ସଫଳତା ହାସଲ ପୂର୍ବରୁ ସଙ୍ଘର୍ଷର କଷଟି ପଥରରେ ପରିସ୍ଥିତି ଦ୍ୱାରା ଅନେକ ଥର ପରଖି ହୋଇଛନ୍ତି। ଫିଲ୍ମରେ ଅଭିନୟ କରିବା ପୁର୍ବରୁ ପରିବାର ପୋଷିବା ପାଇଁ ରଜନୀକାନ୍ତ କୁଲି କାମ କରୁଥିଲେ।ପରେ ବାଙ୍ଗାଲୋରର ଟ୍ରାନ୍ସପୋର୍ଟ ସର୍ଭିସରେ କଣ୍ଡକ୍ଟର ଭାବେ କାମ କରୁଥିଲେ। ତଥାପି କଳା ପ୍ରତି ତାଙ୍କର ଭଲ ପାଇବା ଭରି ରହିଥିଲା।
ରଜନୀକାନ୍ତ
ମେକର ରାଜ ବାହାଦୁର୍
ରଜନୀକାନ୍ତ ସୁପରଷ୍ଟାର ହେବା ପଛରେ ତାଙ୍କ ବନ୍ଧୁ ରାଜକୁମାରଙ୍କ ଭୂମିକା ଭୂମିରୁ ଭୂମା ପର୍ଯ୍ୟନ୍ତ ରହିଛି। ସେ କଣ୍ଡକ୍ଟର ଥିବା ସମୟରେ ମାଡ୍ରାସ ଫିଲ୍ମ ଇନିଷ୍ଟୁଚ୍ୟୁଟରେ ଅଭିନୟ ଶିଖିବା ନେଇ ଏକ ବିଜ୍ଞପ୍ତି ବାହାରିଥିଲା। ରଜନୀକାନ୍ତଙ୍କର ଅଭିନୟ ଶିଖିବା ପାଇଁ ପ୍ରବଳ ଇଛା ରହିଥିଲେ ବି ପରିବାରରୁ ସହଯୋଗ ମିଳିନଥିଲା।ସେ ସମୟରେ ତାଙ୍କ ବନ୍ଧୁ ରାଜ ବାହାଦୁର୍ ତାଙ୍କ ସ୍ୱପ୍ନକୁ ସାକାର କରିବାକୁ ସହଯୋଗର ହାତ ବଢ଼ାଇଥିଲେ।
ରଜନୀକାନ୍ତଙ୍କ ଅଭିନୟରେ କେ.ବାଲଚନ୍ଦ୍ର ଖୁସି ହୋଇ ତାଙ୍କୁ ଫିଲ୍ମରେ ଅଫର୍ ଦେଇଥିଲେ।୧୯୭୫ରେ ଅପୁର୍ବ ରାଗଙ୍ଗାଲ୍ ଫିଲ୍ମରେ ସେ ପାଦ ଥାପିଥିଲେ। ଧିରେ ଧିରେ କଥାସଙ୍ଗମ୍, ଲିଙ୍ଗା, କବାଲି, ଶିବାଜୀ ଦ ବସ୍, ଅନ୍ଧାକାନୁନ୍ ଓ ରୋବୋଟ୍ ଆଦି ଫିଲ୍ମରେ ଅଭିନୟ କରି ସେ ସୁପରଷ୍ଟାର ସାଜିଯାଇଥିଲେ।ନିଜର ଅନନ୍ୟ ଅଭିନୟ ପାଇଁ ସେ ୪୦ରୁ ଉର୍ଦ୍ଧ ଆୱାର୍ଡ ପାଇଛନ୍ତି।
ଇଣ୍ଟରଭ୍ୟୁରୁ ଏଣ୍ଟର ଫେୟାର୍
ଏକ ଇଣ୍ଟରଭ୍ୟୁରୁ ହିଁ ରଜନୀଙ୍କ ଜୀବନକୁ ଏଣ୍ଟ୍ରି କରିଥିଲେ ରିୟଲ୍ ହିରୋଇନ୍। କଲେଜର ଏକ ମାଗାଜିନ୍ ପାଇଁ ଇଣ୍ଟରଭ୍ୟୁ ନେଲା ସମୟରେ ଉଭୟ ପରସ୍ପର ପ୍ରେମରେ ପଡିବା ସହ ୧୯୮୧ ମସିହା ଫେବୃୟାରୀ୨୬’ରେ ଆନ୍ଧ୍ରପ୍ରଦେଶର ତିରୁପତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।
ରାଜନୀତିରେ ଫେଲ୍
ଦକ୍ଷିଣ ଭାରତର ଅନେକ ଅଭିନେତା-ଅଭିନେତ୍ରୀ ରାଜନୀତିରେ ପାଦ ଥାପିଛନ୍ତି। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରେ NT ରାମାରାଓ, ତାମିଲିନାଡୁ ଶାସନ ଗାଦି ସମ୍ଭାଳିଛନ୍ତି କରୁଣାନିଧି, MGR ଏବଂ ଜୟଲଳିଥା।କିନ୍ତୁ ରଜନୀକାନ୍ତ ସେ ଦୌଡରୁ ବାଦ୍ ପଡିଛନ୍ତି।ରାଜନୀତି ଓ ରଜନୀକାନ୍ତଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଉଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାଙ୍କ ରାଜନୈତିକ ସମ୍ପୃକ୍ତି ସମ୍ବନ୍ଧୀୟ କୌଣଷି ସ୍ପଷ୍ଟିକରଣ ମିଳି ପାରିନାହିଁ।
ତେବେ ଜଣେ ଅନନ୍ୟ ଅଭିନେତା ଭାବେ ଦର୍ଶକଙ୍କ ମତକୁ ବେଶ ଛୁଇଁବା ସହ ଦକ୍ଷୀଣ ଭାରତର ଅନେକ ମନ୍ଦିରରେ ସେ ପୂଜା ପାଉଛନ୍ତି।
Connect With Us