୨୩ ମାର୍ଚ୍ଚ ୧୯୩୧। ଭାରତୀୟ କ୍ୟାଲେଣ୍ଡରରେ ଏ କେବଳ ଏକ ତାରିଖ ନୁହେଁ ବରଂ ସାହସିକତାର ସିଂହରଡ଼ି। ସ୍ୱାଧିନତା ପ୍ରାପ୍ତି ପୁର୍ବରୁ ଭାରତରେ ଅସହ୍ୟ ହୋଇ ପଡିଥିବା ଅତ୍ୟାଚାରର ପରିସମାପ୍ତି ପାଇଁ ଅନେକ ଦେଶପ୍ରେମୀ ବଳିଦାନ ଦେଇଛନ୍ତି। ଲୁହ ଲହୁର ସଂଘର୍ଷମୟ ସଂଗ୍ରାମରେ କେତେ ଯେ ବରପୁତ୍ର ସହିଦ ହୋଇଛନ୍ତି ତାର ହିସାବ ନାହିଁ। ତଥାପି ଭାରତରେ ଏମିତି କିଛି ସଂଗ୍ରାମୀ ଅଛନ୍ତି ଯାହାଙ୍କ ବଳୀଦାନ ଇତିହାସରେ ଏକ ସ୍ୱତନ୍ତ୍ର ଅଧ୍ୟାୟ। ଆଦର୍ଶ ବିପ୍ଳବୀ ଭାବରେ ଜଣାଶୁଣା ଭଗତ ସିଂ,ଶିବରାମ ରାଜଗୁରୁ ଏବଂ ସୁଖଦେବ ଥାପରଙ୍କ ଭୂମିକା କିଏ ବା ନ ଜାଣେ। ଗାନ୍ଧୀବାଦି ମୁଣ୍ଡ ନୁଆଁଇ dominant states ର ଦାବୀ ରଖୁଥିଲା ବେଳେ ସେମାନେ ଶିଖାଇଥିଲେ ପୁର୍ଣ୍ଣ ସ୍ୱରାଜର ଦାବୀ।

ଅହିଂସା ବିରୁଦ୍ଧରେ ଯାଇ ହକର ଲଢେଇ ଲଢୁଥିବା ଏହି ସଂଗ୍ରାମୀଙ୍କ ପ୍ରତି ଇଂରେଜ ସରକାରଙ୍କ ଏତେ ଭୟ ରହିଥିଲା ଯେ ବାଧ୍ୟ ହୋଇ ନିର୍ଦ୍ଧାରିତ ଦିନର ଗୋଟାଏ ଦିନ ପୁର୍ବରୁ ଏମାନଙ୍କୁ ଫାଶି ଦିଆଯାଇଥିଲା। କେବଳ ସେତିକି ନୁହେଁ ଏି ତିନି ଜଣଙ୍କ ଫାଶିରେ ବଢୁଥିବା ଜନ ଅସନ୍ତୋଷକୁ ଅନୁମାନ କରି ମୃତ ଶରୀରକୁ ହସ୍ତାନ୍ତର କରିବା ପରିବର୍ତ୍ତେ ଜେଲ୍ ପଛପଟ କାନ୍ଥ ଭାଙ୍ଗି ଗାଡି ମାଧ୍ୟମରେ ମୃତ ଶରୀରକୁ ନେଇ ଶତଲୁଜ ନଦୀ କୁଳରେ ପୋଡିବାର ଚେଷ୍ଟା କରିଥିଲେ ବ୍ରିଟିଶର୍। ୨୪ ମାର୍ଚ୍ଚ ୧୯୩୧ରେ ଫାଶିର ତାରିଖ ସ୍ଥିର ହୋଇଥିଲା ବେଳେ ଶୁଖଦେବ, ରାଜଗୁରୁଏବଂ ଭଗତ ସିଂଙ୍କୁ ୨୩ ମାର୍ଚ୍ଚ ୧୯୩୧ ସନ୍ଧ୍ୟାରେ ଫାଶି ଦିଆଯାଇଥିଲା। ସେଦିନ ଭାରତ ତାର ସୁପୁତ୍ରଙ୍କୁ ହରାଇଥିଲା ସତ ମାତ୍ର ଫାଶି ଖୁଣ୍ଟରେ ଟଳି ପାରି ନଥିଲା ବୀରତ୍ୱର ବିଚାରଧାରା। ଯୋଉଥିପାଇଁ ତାଙ୍କର ବଳୀଦାନକୁ ଆଜି ସହୀଦ ଦିବସ ଭାବେ ପାଳୁଛି ସାରା ଦେଶ।

ହିଂସା ପଥରେ ଚାଲି ସ୍ୱାଧୀନତା ପାଇବାରେ ସମର୍ଥକ ଥିଲେ ଭଗତ ସିଂ,ରାଜଗୁରୁ ଓ ସୁଖଦେବ। ଦେଶର ଲୋକମାନଙ୍କୁ  ଶୋଷଣର ଶିକୁଳିରୁ ମୁକ୍ତ କରିବାକୁ ଚନ୍ଦ୍ର ଶେଖର ଆଜାଦଙ୍କ ସହ ହାତ ମିଲାଇଥିଲେ। ୧୯୨୮ ମସିହାରେ, ସାଇମନ୍ କମିଶନଙ୍କ ବିରୋଧରେ ହୋଇଥିବା ବିକ୍ଷୋଭରେ କଂଗ୍ରେସର ବରିଷ୍ଠ ନେତା ଲାଲା ଲଜପତ ରାୟଙ୍କ ପୋଲିସର ଆକ୍ରମଣରେ ଦେହାନ୍ତ ହେବାପରେ ପ୍ରତିଶୋଧ ନେବାକୁ ଭଗତ ସିଂ ଓ ରାଜଗୁରୁ  ପୋଲିସ  ସୁପରିଟେଣ୍ଡେଣ୍ଟ  ଜେମ୍ସ ସ୍କଟଙ୍କ ହତ୍ୟା ଷଡଯନ୍ତ୍ର କରିଥିଲେ।

ଡିସେମ୍ବର ୧୯୨୮ରେ, ଭଗତ ସିଂ ତାଙ୍କ ସହଯୋଗୀମାନଙ୍କ ସହ ପୋଲିସ ଅଧୀକ୍ଷକ ସ୍କଟଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। କିନ୍ତୁ ଜଣେ ସାଥୀଙ୍କ ଭୁଲ ହେତୁ ସ୍କଟଙ୍କ ସ୍ଥାନରେ ୨୧ ବର୍ଷିୟ ପୋଲିସ ସାଉଣ୍ଡର୍ସଙ୍କଠି ବାଜିଥିଲା ଗୁଳି। ଏତିକିରେ ନ ଅଟକି ୮ ଅପ୍ରେଲ୍ ୧୯୨୯ ରେ ବିଧାନସଭା ସଭାରେ ବୋମା ଫିଙ୍ଗିଥିଲେ ଭଗତ ସିଂବାଟୁକେଶ୍ୱର ଦତ୍ତ। ସେମାନେ କାହାର କ୍ଷତି କରିବାକୁ ଚାହୁଁନଥିଲେ, କିନ୍ତୁ ସେ ଦେଶର ସତ୍ୟକୁ ବଧିର ବ୍ରିଟିଶ ସରକାରଙ୍କ କାନରେ ପହଞ୍ଚାଇବାକୁ ଚାହୁଁଥିଲେ। ଶୁଖଦେବ, ରାଜଗୁରୁ ଏବଂ ଭଗତ ସିଂଙ୍କ କ୍ରାନ୍ତିକାରୀ ଚିନ୍ତାଧାରାରେ ଯୁବଗୋଷ୍ଠି ଆକ୍ରମଣର ନାରା ଦେଉଥିଲେ।

ଦେଶ ପାଇଁ ସ୍ୱର ଉଠାଇବାର ସାହସିକତା ପାଇଁ ବ୍ରିଟିଶର ସେମାନଙ୍କୁ ଗିରଫ କରିବା ସହ ୨୪ ମାର୍ଚ୍ଚ ୧୯୩୧ରେ ଫାଶି ତାରିଖ ନିର୍ଦ୍ଧାରଣ କରିଥିଲେ। ମାତ୍ର ୟାକୁ ନେଇ ଜନ ଅସନ୍ତୋଷ ଏତେ ମାତ୍ରାରେ ବଢିଯାଇଥିଲା ଯେ ଗାନ୍ଧୀଜୀଙ୍କୁ ବି ଲୋକେ କଳାପତାକା ଦେଖାଇଥିଲେ। ଏମାନଙ୍କ ଲୋକପ୍ରିୟତାରେ ଭୟଭିତ ହୋଇ ବ୍ରିଟିଶମାନେ ସେମାନଙ୍କ ନିର୍ଦ୍ଧାରିତ ଦିନର ଗୋଟିଏ ଦିନ ପୂର୍ବରୁ ଫାଶି ଦେଇଥିଲେ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା