୨୦୨୦ ଡିସେମ୍ବର ୧୦ରେ ନୂଆ ସଂସଦ ଭବନର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚଳିତମାସ ୨୮ ତାରିଖରେ ଏହି ଭବନ ଉଦଘାଟନ ହେବ। ନୂଆ ସଂସଦ ଭବନର ନିର୍ମାଣ କାମ ଟାଟା ପ୍ରୋଜେକ୍ଟ ଦ୍ୱାରା କରାଯାଇଛି। ଏହି କୋଠାର ଡିଜାଇନ କହିଛନ୍ତି ଆର୍କିଟେକଚର ବିମଲ ପଟେଲ। ବିମଲ ପଟେଲ ଗୁଜରାଟର ଅହମଦାବାଦ ସହରର ବାସିନ୍ଦା। ସେ ସାବରମତି ନଦୀବନ୍ଧର ଡିଜାଇନ କରିବା ସହ ଅନେକ ବଡ ବଡ ପ୍ରୋଜେକ୍ଟ ଡିଜାଇନ କରିସାରିଛନ୍ତି।
ବିମଲ ପଟେଲଙ୍କ ଜନ୍ମ ୧୯୬୧,ଅଗଷ୍ଟ ୩୧ରେ ଗୁଜରାଟରେ ହୋଇଥିଲା। ସେ ଦୀର୍ଘ ୩୧ ବର୍ଷ ହେବ ଏହି ପେଶାରେ ଅଛନ୍ତି। ସେ ବିଶେଷ ଭାବେ ଅର୍ବାନ ଡିଜାଇନ ଓ ଅର୍ବାନ ପ୍ଲାନିଂ ଉପରେ କାମ କରନ୍ତି। ଏହାସହ ସେ ଆର୍କିଟେକ୍ଟଚର, ପ୍ଲାନିଂ ଓ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଫାର୍ମ ଏଚସିପି ଡିଜାଇନ ଆଣ୍ଡ ମ୍ୟାନେଜମେଣ୍ଟପ୍ରାଇଭେଟ ଲିମିଟେଡର ଦାୟୀତ୍ୱରେ ଅଛନ୍ତି। ବିମଲଙ୍କୁ ୨୦୧୯ ମସିହାରେ ଆର୍କିଟେକଚର ଓ ପ୍ଲାନିଂର ଅସାଧାରଣ କାମ ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।
ତାଙ୍କ କାମ ପାଇଁ ମଧ୍ୟ ସେ ବିଦେଶରେ ପୁରସ୍କୃତ ହୋଇଛନ୍ତି। ୧୯୯୨ ରେ ଆଗା ଖାଁ ଆୱାର୍ଡ ଫର ଆର୍କିଟେକଚର, ୧୯୯୮ ରେ ସଂଯୁକ୍ତ ରାଷ୍ଟ୍ର ଆୱାର୍ଡ ଅଫ୍ ଏକ୍ସଲେନ୍ସି, ୨୦୨୧ ରେ ୱାର୍ଲଡ ଆର୍କିଟେକଚର ଆୱାର୍ଡ ଓ ୨୦୦୬ରେ ପିଏମ୍ ନ୍ୟାସନାଲ ଆୱାର୍ଡ ଫର ଏକ୍ସିଲେନ୍ସି ପୁରସ୍କାର ପାଇଛନ୍ତି। ଜଣେ ସୁପ୍ରତିଷ୍ଠିତ ଶିଳ୍ପୀଙ୍କ ଦିଗଦର୍ଶନରେ ନୂଆ ସଂସଦ ଭବନ ଜୀବନ୍ୟାସ ପାଇବାକୁ ଯାଉଛି ।