୨ ହଜାର ଟଙ୍କିଆ ନୋଟ୍ ନେଇ ରିଜର୍ଭ ବ୍ୟାଙ୍କ ବଡ଼ ନିଷ୍ପତ୍ତି ନେଇଛି। ନିଷ୍ପତ୍ତି ଅନୁଯାୟୀ ବଜାରରୁ ୨ ହଜାର ଟଙ୍କିଆ ନୋଟ୍ ବିଦାୟ ନେବ। ମେ’ ୨୩ରୁ ବ୍ୟାଙ୍କ ମାନଙ୍କରେ ୨ ହଜାର ଟଙ୍କିଆ ବଦଳାଇ ହେବ। ନୋଟ ବଦଳାଇବାର ଶେଷ ତାରିଖ ସେପ୍ଟେମ୍ବର ୩୦। ଏହାପରେ ୨୦୦୦ ଟଙ୍କିଆ ନୋଟ ସମ୍ପୂର୍ଣ୍ଣ ରୂପେ ଅଚଳ ହୋଇଯିବ। ନୋଟ୍ ବଦଳାଇବା ପାଇଁ ବ୍ୟାଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ଥରକେ ସର୍ବାଧିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ  ଟଙ୍କା ବଦଳାଇ ହେବ।୨୦୧୬ରେ ପୁରୁଣା ୫୦୦, ଏବଂ ୧୦୦୦ ନୋଟ ପ୍ରଚଳନ ବନ୍ଦ କରିବା ସହ ନୂଆକରି  ୨ ହଜାର ଟଙ୍କିଆ ନୋଟ ପ୍ରଚଳନ କରାଯାଇଥିଲା।

ପୁଣି ଏକ ବିମୁଦ୍ରୀକରଣ
୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣର ନିଷ୍ପତ୍ତି ନେଇଥିଲେ ସରକାର। କଳାଧନ ରୋକିବାକୁ ପ୍ରଚଳିତ ୫୦୦, ଏବଂ ୧୦୦୦ ଟଙ୍କିଆ ନୋଟକୁ ଅଚଳ କରାଯିବା ସହ ନୂଆ ୫୦୦,୨୦୦ ଏବଂ ୨୦୦୦ ଟଙ୍କାର ପ୍ରଚଳନ ହୋଇଥିଲା।ପୂର୍ବରୁ ପ୍ରଚଳିତ ୧୦୦,୫୦,୨୦,୧୦ ଏବଂ ୫ ଟଙ୍କିଆ ନୋଟ ପ୍ରଚଳନ ରହିବା ସହ ନୂଆ କରି ମାର୍କେଟକୁ ଏହି ସବୁ ନୋଟ ଆସିଥିଲା।

ନୋଟ ବଦଳାଇବାକୁ ୩୦ ଡିସେମ୍ବର ଯାଏ ସମୟ ଦେଇଥିଲେ ସରକାର।  ଏବେ ୭ ବର୍ଷ ପରେ ସରକାର ପୁଣି ନିଷ୍ପତ୍ତି ଦୋହରାଇଛନ୍ତି। ପ୍ରଚଳିତ ୨୦୦୦ ଟଙ୍କିଆ ନୋଟକୁ ବ୍ୟାନ କରାଯିବା ସହ ସେପ୍ଟେମ୍ବର ୩୦ ଯାଏ ନୋଟ ବଦଳେଇନବାକୁ ମାର୍ଗଦର୍ଶିକା ଜାରୀ ହୋଇଛି ।

‘କ୍ଲିନ୍ ନୋଟ ନୀତି’ ପାଇଁ ୨୦୦୦ ଟଙ୍କିଆ ବ୍ୟାନ
୨୦୧୬ ରେ ବିମୁଦ୍ରୀକରଣ ପରେ ବଜାରରେ ନୋଟର ଅଭାବ ରୋକିବା ପାଇଁ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ହୋଇଥିଲା। ଏବେ ସେ ଅଭାବ ପୂରଣ ହୋଇସାରିବା ସହ ବଜାରରେ ଅନ୍ୟ ନୋଟ ମଧ୍ୟ ପ୍ରଚୁର ପରିମାଣରେ ଉପଲବ୍ଧ। ୨୦୧୮-୧୯ ପରଠୁ ନୋଟ ଛପା ମଧ୍ୟ ବନ୍ଦ ହୋଇ ଯାଇଛି। ତେଣୁ କ୍ଲିନ୍ ନୋଟ ନୀତି ଆଧାରରେ ୨୦୦୦ ଟଙ୍କିଆ ନୋଟକୁ ବ୍ୟାନ୍ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା