ଜନବାଦୀ ସାହିତ୍ୟର ପକ୍ଷଧର ଭାବେ ପରିଚିତ ଜଣାଶୁଣା ଲେଖକ ହୁସେନ୍ ରବି ଗାନ୍ଧୀଙ୍କ ଦେହାନ୍ତ ହୋଇଛି। ସେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା।

ରାଷ୍ଟ୍ରପତିଙ୍କଠାରୁ ପାଇଥିଲେ ସେକ୍ୟୁଲାର୍ ଇଣ୍ଡିଆ ହାରମୋନି ପୁରସ୍କାର
ହୁସେନ୍ ରବି ଗାନ୍ଧୀ ତାଙ୍କ କଲମ ଚାଳନା ପାଇଁ ବେଶ୍ ପରିଚିତ ଥିଲେ। ୧୯୯୩ ରେ ପୂର୍ବତନ ରାଷ୍ଟ୍ରପତି ଜେଲ୍ ସିଂଙ୍କ ଦ୍ୱାରା ସେକ୍ୟୁଲାର୍ ଇଣ୍ଡିଆ ହରମୋନି ପୁରସ୍କାର ଏବଂ ଓଡିଆ କବିତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୫ ରେ ଗଙ୍ଗାଧର ମେହେର କବିତା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ମୁକ୍ତ ପୁର୍ବାଶା,ନିଅଣ୍ଟ ରାତିର ସ୍ୱପ୍ନ,ନିଜକୁ ଖୋଜୁଥିବା ବେଳେ,ପୁନଶ୍ଚ ସାଲବେଗ, ହଜିଯାଇଥିବା ମଣିଷ ଓ ଅପହଞ୍ଚ ଇଲାକା ଆଦି ତାଙ୍କର ନିଆରା ସୃଷ୍ଟି।ତାଙ୍କର କଲମ ଚାଳନା ପାଇଁ ସେ ବର୍ତ୍ତିକା ସମ୍ମାନ,ଭାନୁଜୀ ରାଓ ସମ୍ମାନ,ମହାକବି ସଚ୍ଚି ରାଉତରାୟ ସମ୍ମାନ ଆଦି ପାଇଛନ୍ତି।

ସାହିତ୍ୟ ଓ ରାଜନୀତିରେ ବେଶ୍ ସକ୍ରିୟ ରବିଗାନ୍ଧୀ
ହୁସେନ୍ ରବିଗାନ୍ଧୀ ୨୩ ଏପ୍ରିଲ ୧୯୪୮ ରେ ଯାଜପୁର ଜିଲ୍ଲା ହଳଦୀଗଡ଼ିଆ ଗାଁରେ ଜନ୍ମଗ୍ରହଣ କରିଥିଲେ। ସେ ଗଙ୍ଗାଧର ମେହେର କଲେଜରୁ ଇତିହାସରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।। ପରେ ସେ ୧୯୯୦ ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡିଆ ସାହିତ୍ୟରେ ପିଏଚଡି କରିଥିଲେ। ଉଭୟ ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ତାଙ୍କର ସ୍ୱତନ୍ତ୍ର ଦଖଲ ଥିଲା। ଉତ୍କଳ ପ୍ରସଙ୍ଗର ସମ୍ପାଦନା ଦାୟିତ୍ୱ ମଧ୍ୟ ସେ ଲିଭାଇଛନ୍ତି। ଓଡ଼ିଆ ସାହିତ୍ୟ ଏକାଡ଼େମିର ଉପ ସଭାପତି ଓ ସଭାପତି ଦାୟିତ୍ୱ ଲିଭାଇ ସେ ସାହିତ୍ୟ କ୍ଷେତ୍ରରେ ଅନେକ ସଂସ୍କାର ଆଣିଛନ୍ତି। ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି।