ରାଜୀବଙ୍କ ହତ୍ୟାକାରୀଙ୍କୁ ସୁପ୍ରିମ କୋର୍ଟର କ୍ଷମା:କଂଗ୍ରେସ କ୍ଷୁବ୍ଧ

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ଏଜି ପେରାରିଭାଲାନଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ଥି ମିଳିଛି। ରାଜୀବ ଗାନ୍ଧିଙ୍କୁ ହତ୍ୟା କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ପେରାରିଭାଲାନ୍ ୩୧ ବର୍ଷରୁ ଅଧିକ ଜେଲରେ ସଜା କାଟିଥିଲେ। ଦୀର୍ଘ ବର୍ଷ ଜେଲରେ ସଜା କାଟିବା ପରେ ବୁଧବାର ସୁପ୍ରିମକୋର୍ଟ ତାଙ୍କୁ ମୁକ୍ତ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି। ଜେଲ୍ରେ ତାଙ୍କର ଭଲ ଆଚରଣ, ଚିକିତ୍ସା ସ୍ଥିତି, ଶିକ୍ଷାଗତ ଯୋଗ୍ୟତାକୁ ଦେଖି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

୨୧ ମଇ ୧୯୯୧ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ଏକ ଜନସଭା ସମୟରେ ହତ୍ୟା କରାଯାଇଥିଲା। ଏହାପରେ ୧୧ ଜୁନ୍ ୧୯୯୧ ରେ ପେରାରିଭାଲାନଙ୍କୁ ଗିରଫ କରିବା ସହିତ ସମ୍ପୃକ୍ତ ହତ୍ୟାକାରୀ ନଳିନୀ,ଧନୁ ଓ ଜଗଜିତ୍ ଆଦିଙ୍କୁ ଗିରଫ କରିଥିଲା। ୧୯୯୮ ରେ ଟାଡା କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇ ଥିଲେ,ପରେ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଦିଆଯାଇଥିଲା। ୧୯୯୯ ରେ ସୁପ୍ରିମକୋର୍ଟ ସଜା ବଳବତ୍ତର ରଖିବାର ନିର୍ଦ୍ଦେଶ ଦେଇଥିଲେ। ୨୦୧୪ ରେ ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଥିଲା

କ୍ଷମା ଦେଉଛନ୍ତି ଗାନ୍ଧି ପରିବାର,କ୍ଷୁବ୍ଧ ହେଉଛି କଂଗ୍ରେସ
ପେରାରିଭାଲାନଙ୍କୁ ଜାମିନ୍ ମିଳିବା ନେଇ କଂଗ୍ରେସ ମୁଖପାତ୍ର ରଣଦୀପ୍ ସିଂ ସୂର୍ଯ୍ୟେବାଲା ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ସୁପ୍ରିମ୍ କୋର୍ଟର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସୁଚନା ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚରେ ସୁପ୍ରିମକୋର୍ଟ ପେରାରିଭାଲାନଙ୍କୁ ଜାମିନ୍ ଦେଇଥିଲେ, କିନ୍ତୁ କେନ୍ଦ୍ର ସରକାର ତାଙ୍କ ଆବେଦନକୁ ବିରୋଧ କରିଥିଲେ। ତାମିଲନାଡୁର ରାଜ୍ୟପାଳ ଏହି ମାମଲାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଇଥିଲେ। ରାଜକ୍ଷମା ଆବେଦନ କରାଯାଇଥିଲେ ମଧ୍ୟ ରାଷ୍ଟ୍ରପତି ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ପୂର୍ବରୁ ରାଜୀବ ଗାନ୍ଧୀଙ୍କ ହତ୍ୟା ସହ ସମ୍ପୃକ୍ତ ସାତଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା। କିନ୍ତୁ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶ୍ରୀ ଜୟଲଲିତାଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକରେ ରାଜକ୍ଷମା ପାଇଁ ଆବେଦନ ହୋଇଥିଲା ।୧୯୯୯ ଡିସେମ୍ବର ୧୮ରେ ସୋନିଆଗାନ୍ଧୀ ତତ୍କାଳୀନ ରାଷ୍ଟ୍ରପତି ଆର୍.କେ ନାରାୟଣଙ୍କ ପାଖରେ ରାଜୀବଙ୍କ ହତ୍ୟାକାରୀ ନଳିନୀକୁ କ୍ଷମା ଦେବାପାଇଁ ଅପିଲ୍ କଲାପରେ ତାକୁ ଫାଶୀ ଦଣ୍ଡରୁ ମୁକ୍ତି ମିଳିଥିଲା। ପେରାରିଭାଲାନଙ୍କ ରାୟ ପରେ ସଜା କାଟୁଥିବା ଅନ୍ୟ ଦୋଷୀଙ୍କ ପାଇଁ ଗାନ୍ଧୀ ପରିବାରର କଣ ଆଭିମୁଖ୍ୟ ରହିବ ତାହା ଚର୍ଚ୍ଚାର ବିଷୟ।
Connect With Us