ଜାନୁୟାରୀ ୨୯ ରେ  ପୁଲିସ ଗୁଳିମାଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ହୋଇଛି। ତାଙ୍କର ଦେହାନ୍ତ ପରେ ଝାରସୁଗୁଡ଼ା ବିଧାନସଭା ଆସନ ଖାଲି ପଡ଼ିଛି। ତେବେ ଯଦିଓ ସେ ଆସନରେ ଉପନିର୍ବାଚନର ସମ୍ଭାବନା ଅଛି କିନ୍ତୁ ଶୋକର ଛାୟା ହଟି ନଥିବା ହେତୁ ସେ ସମ୍ପର୍କରେ ଆଲୋଚନା ଏତେଟା ଗତିଶିଳ କରିବାକୁ ଉଚିତ ବୋଧ ହେଉନି। ହୁଏତ ନବ ଦାସଙ୍କ ଶୁଦ୍ଧିକ୍ରିୟା ପରେ ଏ ନେଇ ଆଲୋଚନା ସାର୍ବଜନୀନ ହେବ। କିନ୍ତୁ ସମବେଦନା ଜଣାଇବାକୁ ଯାଇ ଉପନିର୍ବାଚନରେ ବିଜେଡ଼ିର ବିପୁଳ ବିଜୟ ହେବ ବୋଲି କହିଛନ୍ତି ରାଉରକେଲା ବିଧାୟକ ସାରଦା ପ୍ରସନ୍ନ ନାୟକ। ୟାକୁ ନେଇ ଏବେ ବିଭିନ୍ନ ମହଳରେ ଅସନ୍ତୋଷ ତେଜିଛି।

ଶୋକସଭାରେ ଉପ ନିର୍ବାଚନ ଚିନ୍ତା
ନବ ଦାସଙ୍କ ଦେହାନ୍ତ ପରେ ଆୟୋଜିତ ଶୋକସଭାରୁ ଉପନିର୍ବାଚନରେ ବିଜୟ କଥା କହି ସମାଲୋଚନା ପରିସରକୁ ଆସିଛନ୍ତି ରାଉରକେଲା ବିଧାୟକ। ଶୋକସଭାରେ ବିଜେଡି ବିଧାୟକଙ୍କ ଉପ ନିର୍ବାଚନ ଚିନ୍ତା ସ୍ପଷ୍ଟ ବାରି ହେଉଛି। ଶୋକସଭାରେ ରାଉରକେଲା ବିଧାୟକ ସାରଦା ପ୍ରସନ୍ନ ନାୟକ ଉପ ନିର୍ବାଚନରେ ଦଳ ବିଜୟ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ବଡ଼ ବ୍ୟବଧାନରେ ଜିତିବା ପାଇଁ ଉପସ୍ଥିତ ଲୋକଙ୍କୁ ଆହ୍ୱାନ ବି ଦେଇଛନ୍ତି। ଯାହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।