ଓଡ଼ିଶାର ଚର୍ଚ୍ଚିତ ଅଭିନେତା ତଥା ଲୋକପ୍ରିୟ ଖଳନାୟକ ରାଇମୋହନ ପରିଡାଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ପ୍ରାଚୀ ବିହାର ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଛି। ସେ ଆତ୍ମହତ୍ୟା କରୁଥିବା କୁହାଯାଉଛି। ତେବେ ସେ ହଠାତ୍‌ କାହିଁକି ଏପରି ଚରମ ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ।

ସିନେ ଜଗତର ଅପୁରଣୀୟ କ୍ଷତି:ଯାତ୍ରା ଜଗତ ସ୍ତବ୍ଧ
ରାଇମୋହନ ଉଭୟ ଯାତ୍ରା ଓ ସିନେ ଜଗତରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ।ସେ  ଅନେକ ଓଡ଼ିଆ ଚଳଚ୍ଚିତ୍ରରେ କାମ କରିବା ସହିତ ୧୫ଟି ବଙ୍ଗଳା ଫିଲ୍ମରେ କାମ କରିଛନ୍ତି।ସେ ୪୦ରୁ ଅଧିକ ନାଟକରେ ଅଭିନୟ କରିଥିବା ବେଳେ ଯାତ୍ରାରେ ମଧ୍ୟ କାମ କରିଛନ୍ତି।ଚର୍ଚ୍ଚିତ ଖଳନାୟକ ଭାବେ ତାଙ୍କ ଅଭିନୟ ସମସ୍ତଙ୍କୁ ବେଶ୍ ଛୁଉଁଥିଲା।

ଗାଁ ନାଟକରୁ ଖଳନାୟକ
୧୯୬୩ ମସିହାରେ ରାଇମୋହନ ପରିଡ଼ାଙ୍କ ଜନ୍ମ। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଉଦଳାରେ। କରଞ୍ଜିଆ କଲେଜରେ ପାଠପଢ଼ା ଶେଷ କରିବା ପରେ ସେ ଭୁବନେଶ୍ୱର ସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ।ଅଷ୍ଟମ ପଢୁଥିବା ସମୟରେ ସେ ପ୍ରଥମଥର ପାଇଁ ଗାଁ ନାଟକରେ ଅଭିନୟ କରିଥିଲେ।୧୯୮୫ରେ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ ହୋଇଥିଲା। ୧୯୮୭ରେ ସେ ‘ସାଗର’ ଫିଲ୍ମରେ ପ୍ରଥମେ ନେଗେଟିଭ୍ କ୍ୟାରେକ୍ଟରେ ଅଭିନୟ କରିଥିଲେ। ‘ସିଂହବାହିନୀ’, ‘କୁଳନନ୍ଦନ’, ‘କଣ୍ଢେଇ ଆଖିରେ ଲୁହ’, ‘ତୁ ଥିଲେ ମୋ ଡର କାହାକୁ’, ‘କୋଟିଏ ମଣିଷ ଗୋଟିଏ ଜଗା’ ‘ସତମିଛ’, ‘ରାମଲକ୍ଷ୍ମଣ’, ‘ଆସିବୁ କେବେ ସାଜି ମୋ ରାଣୀ’, ‘ନାଗପଞ୍ଚମୀ’, ’ଉଦଣ୍ଡୀସୀତା’, ‘ଦେ ମା’ ଶକ୍ତି ଦେ’, ‘ଜୟ ଶ୍ରୀରାମ’, ‘ତୁ ଥିଲେ ମୋ ଡର କାହାକୁ’, ‘ରଣଭୂମି’, ଓ ’ମେଣ୍ଟାଲ ଟୋକା’, ଭଳି ଅନେକ ଫିଲ୍ମରେ ସେ ଅଭିନୟ କରିଛନ୍ତି। ଅଭିନୟ ପାଇଁ ସେ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି।ଏହାଛଡ଼ା ସେ ଟିଭି ସିରିଏଲ୍ ଜଗତରେ ମଧ୍ୟ ବେଶ୍ ପରିଚିତ ଥିଲେ। ଓଡିଆ ଯାତ୍ରା ଜଗତରେ ସେ ବେଶ ସୁନାମ ଅର୍ଜନ କରିଛନ୍ତି।ତାଙ୍କ ବିୟୋଗ ଓଡ଼ିାା ପାଇଁ ଏକ ଅପୂରଣୀୟ କ୍ଷତି।