ବାର ମାସରେ ତେର ପର୍ବ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ। ବିଭିନ୍ନ ତିଥିରେ ବିଭିନ୍ନ ପର୍ବ ପାଳନ କରୁଥିବା ଓଡ଼ିଶା ରାଜ୍ୟରେ ପ୍ରତେକ ପର୍ବର ସ୍ୱତନ୍ତ୍ରତା ରହିଛି। ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ ହୋଇଥିବାରୁ ଅଧିକାଂଶ ପର୍ବ ତିଥି ସହ ଜଡ଼ିତ। ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ମଧ୍ୟ ଅନେକ ପର୍ବ ପର୍ବାଣି ସ୍ୱତନ୍ତ୍ରତା ଲାଭ କରିଛି। ଅକ୍ଷୟ ତୃତୀୟା ପର୍ବ ଓଡ଼ିଶା ପାଇଁ ବେଶ୍ ସ୍ୱତନ୍ତ୍ର। ଏହି ତିଥିରେ ଅଖିମୁଠି କରି ଚାଷୀ ଚାଷ କାମ ଆରମ୍ଭ କଲେ ଫସଲ ଭଲ ହୁଏ ବୋଲି ବିଶ୍ୱାସ ରହିଛି। ପ୍ରତିଟି କୃଷକଙ୍କୁ ଏ ତିଥି ଯେମିତି ହାତ ଠାରି ଡ଼ାକୁଥାଏ। ବଡ଼ି ଭୋରୁ ଉଠି ଚିତା ଝୋଟି ଆଙ୍କି ବେତ ଟୋକେଇରେ ବିହନ ଭର୍ତ୍ତି ଗଉଣୀ ରଖି ମା ଲକ୍ଷ୍ମୀଙ୍କୁ ସ୍ମରଣ କରି ଧାନ ବୁଣାଯାଏ।ପୁରାଣ ମତରେ ବର୍ଷର ପ୍ରଥମ ମାସ,ପୂଣ୍ୟ ମାସ ବୈଶାଖ ଶୁକ୍ଳ ତୃତୀୟା ତିଥିରେ କରାଯାଉଥିବା କାର୍ଯ୍ୟର ଅକ୍ଷୟ ଫଳ ମିଳେ। ତେଣୁ ଚାଷରେ ଭଲ ଫଳ ମିଳିବା ପାଇଁ କୃଷକ ଏହି ଥିଥିରେ ଚାଷର ଅନୁକୂଳ କରିଥାଏ।

ରଥ ନିର୍ମାଣ ପାଇଁ ପଡ଼ିଲା ଅନୁକୂଳ
ଶ୍ରୀଜଗନ୍ନାଥଙ୍କ ଏକ ପ୍ରମୁଖ ପର୍ବ ରଥଯାତ୍ରା। ଏହି ଯାତ୍ରାରେ କାହିଁ କେତେ ଦୂରରୁ ଛୁଟି ଆସନ୍ତି ଜଗନ୍ନାଥ ପ୍ରେମୀ। ରଥଯାତ୍ରାରେ ବିଗ୍ରହଙ୍କୁ ବସାଯାଉଥିବା ରଥର କାର୍ଯ୍ୟ ଆରମ୍ଭ ଅକ୍ଷୟ ତୃତୀୟା ତିଥିରେ ହିଁ ହୋଇଥାଏ। ଏହି ତିଥିରେ ପୂଜାର୍ଚ୍ଚନା କରିବା ପରେ ରଥ କାମ ଆରମ୍ଭ ହୁଏ। ଏହା ବ୍ୟତୀତ ଗ୍ରୀଷ୍ମର ପ୍ରବାହରୁ ଅସହ୍ୟ ତାପରୁ ମୁକ୍ତ ପାଇଁ ମହାପ୍ରଭୁଙ୍କ ଚଳନ୍ତି ବିଗ୍ରହ ମନମୋହନ,ଭୁଦେବୀ,ଶ୍ରୀଦେବୀ,ଭବ୍ୟ, ଦିବ୍ୟ ପଞ୍ଚ ମହାଦେବ ପ୍ରଭୂ ଶ୍ରୀ ଲୋକନାଥ,ଶ୍ରୀ ମାର୍କଣ୍ଡେଶ୍ୱର,ଶ୍ରୀ ନୀଳକଣ୍ଠେଶ୍ୱର,ଶ୍ରୀ ଯମେଶ୍ୱର ଏବଂ ଶ୍ରୀକପାଳମୋଚନଙ୍କ ସହ  ଚନ୍ଦନ ଯାତ୍ରା କରିଥାଆନ୍ତି। ଏହି ତିଥିରେ ଗୀତଗୋବିନ୍ଦର ରଚୟିତା ଜୟଦେବଙ୍କ ଜନ୍ମତିଥି ହୋଇଥିବାରୁ ଏହାର ସ୍ୱତନ୍ତ୍ରତା ରହିଛି।

ଆରମ୍ଭ ହୋଇଥିଲା ସତ୍ୟ ଯୁଗ
 ଓଡ଼ିଶା କଥା ବିଚାର କଲେ ଯେଭଳି ଅକ୍ଷୟ ତୃତୀୟା ତିଥିର ଅନେକ ସ୍ୱତନ୍ତ୍ରତା ରହିଛି। ଓଡ଼ିଶା ବାହାରେ ମଧ୍ୟ ଏ ପର୍ବକୁ ନେଇ ଆନନ୍ଦ ଉତ୍ସାହ ଅଛି। ଏହି ତିଥିରେ ସତ୍ୟଯୁଗ ଆରମ୍ଭ ହୋଇଥିଲା ବୋଲି ବିଶ୍ୱାସ ରହିଛି। ଏହା ସହିତ ଏହି ତିଥିରେ ବ୍ରହ୍ମାଙ୍କ ପୁତ୍ର ଅକ୍ଷୟ ଜନ୍ମ ହୋଇଥିବାରୁ ଦିବସଟିର ମହାତ୍ମ୍ୟ ପ୍ରତିପାଦନ ହୁଏ।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା