ତିଆରି ହୋଇଛି ବିଜେଡିର ନୂଆ ରାଜ୍ୟ  କାର୍ଯ୍ୟାଳୟ। BJDର ପାର୍ଟି ଅଫିସ ଥିବା ସତ୍ତ୍ୱେ ଶଙ୍ଖ ଭବନ ନାଁରେ ଏକ କାର୍ଯ୍ୟାଳୟ ଉଦ୍ଘାଟନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି। ଦଳୀୟ ନେତା ଏବଂ କର୍ମୀଙ୍କ ଉପସ୍ଥିତିରେ ଶଙ୍ଖ ଭବନର ଉଦଘାଟନ ହୋଇଛି। ପ୍ରତ୍ୟେକ ଜିଲ୍ଲାରୁ ଦଳର ଛାମୁଆ ନେତାଙ୍କ ସହି ଦଳର ବରିଷ୍ଠ,ବିଷିଷ୍ଟ କର୍ମୀ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି।

୨୦ ମାସରେ ଶଙ୍ଖ ଭବନ
୨୦୨୧ ରଥଯାତ୍ରା ବେଳେ ଶଙ୍ଖ ଭବନ ପାଇଁ ଶୁଭ ଦିଆଯାଇଥିଲା। ଶଙ୍ଖ ଭବନର ନିର୍ମାଣ କାର୍ଯ୍ୟ ୨୦ ମାସ ମଧ୍ୟରେ ସମାପ୍ତ ହୋଇଛି। ଶ୍ରମଦାନ କାର୍ଯ୍ୟକ୍ରମ ମାଧ୍ୟମରେ ଏଥିରେ ଅନେକ ବ୍ୟକ୍ତି ଶ୍ରମଗତ ସହଯୋଗ କରିଛନ୍ତି। ଅକ୍ଷୟ ତୃତୀୟାର ପବିତ୍ର ଅବସରରେ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରି ବହୁତ ଖୁସି ଥିବା ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି।

ଲୋକସେବାର ନୂଆ ଠିକଣା ହେବ ଶଙ୍ଖଭବନ
ଏହି ଭବନ ନିର୍ମାଣରେ ଯୁବ, ଛାତ୍ର, ମହିଳା କର୍ମୀ ମାନଙ୍କ ଅବଦାନ ରହିଛି। ୧୯୯୭ ମସିହାରେ ଓଡ଼ିଶା ରାଜନୀତିରେ ନୂଆ ଆରମ୍ଭ ହୋଇଥିଲା। ବିଜୁ ଆଦର୍ଶ ଓ ସ୍ୱାଭିମାନର ମନ୍ତ୍ର ନେଇ ବିଜେଡି ଜନ୍ମ ନେଇଥିଲା। ଆଞ୍ଚଳିକ ଦଳ ଭାବେ ଓଡ଼ିଶାବାସୀଙ୍କ ସେବାରେ ରହିଛି ବିଜେଡି। ଏବେ ବିଜେଡି ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ବିଜୟର ଶଙ୍ଖ ବାଜି ଚାଲିଛି। ଏହି ଶଙ୍ଖ ଭବନ ହେବ ଓଡ଼ିଶାବାସୀଙ୍କ ପ୍ରିୟ ଭବନ। ଓଡ଼ିଶାର ଅତୀତ ଓ ଭବିଷ୍ୟତକୁ ଯୋଡିବ ଏହି ଶଙ୍ଖ ଭବନ। ଓଡ଼ିଶା ପାଇଁ କାମ କରିବାକୁ ଚାହୁଁଥିବା ସମସ୍ତ ବ୍ୟକ୍ତିଙ୍କୁ ଏକାଠି କରିବ ଶଙ୍ଖ ଭବନ। ବିଶ୍ୱଦରବାରରେ ଓଡ଼ିଶାର ଇଷ୍ଟ ଦେବତା ଶ୍ରୀଜଗନ୍ନାଥଙ୍କ ମହାନ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ  ମଧ୍ୟ ଏହା କାମ କରିବ। ଓଡ଼ିଶାର ସ୍ୱାଭିମାନର ସୁରକ୍ଷା ସହ କଳା, ସାହିତ୍ୟ,ସଂସ୍କୃତିର ବିକାଶ ପାଇଁ ଶଙ୍ଖ ଭବନ ସମର୍ପିତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।