ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେବ। ଜୁଲାଇ ୨୪ ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ସମାପ୍ତ ହୋଇ ଜୁଲାଇ ୨୫ ରେ ନୂଆ ରାଷ୍ଟ୍ରପତି ଶପଥ ନେବେ। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେଡିର ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରାଷ୍ଟ୍ରପତି ନିର୍ବାଚନୀ ଗଣିତରେ ବିଜେଡିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି। ମ୍ୟାଜିକ ନମ୍ବର ଠାରୁ NDA ୧୩ ହଜାର ଅର୍ଥାତ୍ ୧.୨% ଭୋଟ୍ ପଛରେ ରହିଛି। BJD ବିଧାୟକ ଓ ସାଂସଦଙ୍କ ଭୋଟର ମୂଲ୍ୟ ୩୧ ହଜାର ୭୦୫ ଅର୍ଥାତ୍ ୨.୮୮% । ତେଣୁ ରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଭୋଟ ଏକ ପ୍ରମୁଖ ଭୂମିକା ନେବ ବୋଲି ଚର୍ଚ୍ଚା ହେଉଛି।

କାଏମ୍ ରହିପାରେ କେନ୍ଦ୍ର ବିରୋଧି ଆଭିମୁଖ୍ୟ
୨୦୧୭ ପରଠୁ ନବୀନ ରାଷ୍ଟ୍ରପତି ନିର୍ବାଚନ କ୍ଷେତ୍ରରେ କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ଦେଖାଇ ନାହାନ୍ତି। ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ବିଜେଡି ସମର୍ଥନ କରିଥିଲା।୨୦୧୯ ରାଜ୍ୟସଭା ନିର୍ବାଚନ ବେଳେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସର୍ଥନ କରିଥିଲା। ନବୀନ ଓ ମୋଦିଙ୍କ ସାକ୍ଷାତ ପରେ ରାଷ୍ଟ୍ରପତି ନିର୍ବାଚନରେ ନବୀନଙ୍କ ନିଷ୍ପତ୍ତି ଉପରେ ସାରାଦେଶର ନଜର ରହିଛି। ରାଷ୍ଟ୍ରପତି ନିର୍ବାଚନୀରେ ବିଜେଡିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି।
କଣ କହୁଛି ଇଲକ୍ଟୋରାଲ କଲେଜ ଗଣିତ
ଇଲକ୍ଟୋରାଲ କଲେଜ ଦ୍ୱାରା ଦେଶର ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି। ଇଲକ୍ଟୋରାଲ କଲେଜର ମୋଟ ୪,୮୦୯  ସଦସ୍ୟ ଅଛନ୍ତି। ୭୭୬ ସାଂସଦ ଓ ୪,୦୩୩ ବିଧାୟକ ଭୋଟ ଦେବେ। ଲୋକସଭା ଓ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କ ଭୋଟ୍ ମୂଲ୍ୟ- ୭୦୮। ରାଜ୍ୟର ଜନସଂଖ୍ୟା ଓ ବିଧାନସଭା ଆସନକୁ ନେଇ ବିଧାୟକଙ୍କ ଭୋଟ୍ ମୂଲ୍ୟ ସ୍ଥିର ହୁଏ। ବର୍ତ୍ତମାନ ମୋଟ୍ ଭୋଟ ମୂଲ୍ୟ ହେଉଛି ୧୦ ଲକ୍ଷ ୯୮ ହଜାର ୯୦୩ ।ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାକୁ ମ୍ୟାଜିକ ନମ୍ବର ୫ ଲକ୍ଷ ୪୬ ହଜାର ୩୨୦ ହାସଲ କରିବାକୁ ପଡିବ। ବର୍ତ୍ତମାନ ସ୍ଥିତିରେ ଏନଡିଏ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ୧.୨% ଭୋଟ୍ ନିଅଣ୍ଟ ରହିଛି। ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶ ମୂଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ଉଭୟ ରାଜ୍ୟର ସମର୍ଥନ NDA ପ୍ରାର୍ଥୀଙ୍କ ପାଇଁ ଏକ ଗୂରୂତ୍ତ୍ୱପୂର୍ଣ୍ଣ ଭୂମିକା ନେବ।

ଗେମ୍ ଚେଞ୍ଜର ହୋଇପାରେ ବିଜେଡି!
ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ପ୍ରମୁଖ ଭୂମିକା ଗ୍ରହଣ କରିବ। ମ୍ୟାଜିକ ନମ୍ବରରୁ NDA୧୩ ହଜାର ଭୋଟ୍ ପଛରେ  ରହିଥିଲା ବେଳେ ବିଜେଡି ବିଧାୟକ ଓ ସାଂସଦଙ୍କ ଭୋଟ ମୁଲ୍ୟ ୩୧ ହଜାର ୭୦୫। ବିଜେଡିରେ ୧୧୩ ବିଧାୟକ ଓ ୨୧ ସାଂସଦ ଭୋଟ ଦେବେ। ଓଡିଶାର ଜଣେ ସାଂସଦଙ୍କ ଭୋଟ୍ ମୂଲ୍ୟ- ୭୦୮। ବିଜେଡିର ୨୧ ସାଂସଦଙ୍କ ମୂଲ୍ୟ- ୧୪ ହଜାର ୮୬୮।ସେହିଭଳି ଓଡିଶାର ଜଣେ ବିଧାୟକଙ୍କ ଭୋଟ୍ ମୂଲ୍ୟ- ୧୪୯ । ୧୧୩ ବିଧାୟକଙ୍କ ମୋଟ୍ ଭୋଟ୍- ୧୬ ହଜାର ୮୩୭।  ଉଭୟ ଭୋଟ୍ ମିଶି ୩୧ ହଜାର ୭୦୫ ଭୋଟ୍ ବିଜେଡି ହାତରେ ଅଛି।ରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ସହଯୋଗ ମିଳିଲେ NDA ରାଷ୍ଟ୍ରପତି ପ୍ରାର୍ଥି ଜିତିବା ସହଜ ହେବ।