ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ। ଏହାପୂର୍ବରୁ ବିଜେପି ଓ ବିରୋଧୀଙ୍କ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। NDAଯାହାକୁ ପ୍ରାର୍ଥୀ କରିବ ଆପାତତଃ ସିଏ ହିଁ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବେ। ବିଜେପି କାହାକୁ ପ୍ରାର୍ଥି କରିବ ସେ ନେଇ କୌଣଷି ସ୍ପଷ୍ଟୀକରଣ ଆସିନାହିଁ। ଜାତୀୟ ଗଣମାଧ୍ୟମରେ ଓଡିଶାର ଦୁଇ ରାଜନେତା ଦ୍ରୌପଦୀ ମୁର୍ମୁଜୁଏଲ ଓରାମଙ୍କୁ ରାଷ୍ଟ୍ରପତି ପ୍ରାର୍ଥି କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଯଦି ଏହା ସତ ହୁଏ ତେବେ ଓଡ଼ିଶାରୁ ଆଉ ଜଣେ ନେତା ରାଷ୍ଟ୍ରପତି ସାଜି ରେକର୍ଡ କରିବେ ବୋଲି ଚର୍ଚ୍ଚା ହେଉଛି। ଦେଶର ଚତୁର୍ଥ ରାଷ୍ଟ୍ରପତି ବରାହଗିରି ଭେଙ୍କଟ ଗିରି ଅର୍ଥାତ୍ ଭି.ଭି.ଗିରି ପ୍ରଥମ ଓଡିଆା ଭାବେ ରାଷ୍ଟ୍ରପତି ସାଜି ରେକର୍ଡ କରିଥିଲେ। ତାଙ୍କର ଜନ୍ମ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବହ୍ମପୁର ସହରରେ। ଉପରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ହେବା ଆଗରୁ ୩ଟି ରାଜ୍ୟର ଗଭର୍ଣ୍ଣର ଭାବେ କ୍ୟାରିୟର୍  କରିଥିଲେ।ପ୍ରଥମେ ୧୯୫୬ ଜୁନରୁ ଉତ୍ତପ୍ରଦେଶରେ ୪ବର୍ଷ ରାଜ୍ୟପାଳ।ପରେ ୧୯୬୦ରୁ ୫ବର୍ଷ କେରଳ ରାଜ୍ୟପାଳ ହୋଇଥିଲେ।

ରେସରେ ଦ୍ରୌପଦୀ,ଜୁଏଲ
ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ  ଆଲୋଚନା ଜାରୀ ରହିଛି। NDA ଚଳିତ ଥର ଆଦିବାସୀ,ସଂଖ୍ୟାଲଘୁ ବା ମହିଳା କାର୍ଡ ଖେଳିପାରେ ବୋଲି ଅନୁମାନ କରାଯାଉଛି। ଜାତୀୟ ଗଣମାଧ୍ୟମରେ ପୂର୍ବତନ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ନାଁକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଜୁଏଲ ଓରାମ NDA ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ବୋଲି ବିଭିନ୍ନ ଗଣମାଧ୍ୟରେ ଆଲୋଚନା ହେଉଛି। ଜାତୀୟ ଗଣମାଧ୍ୟମରେ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ସେ ପ୍ରଥମ ଓଡ଼ିଆ ମହିଳା ଭାବେ ରାଜ୍ୟପାଳ ଦାୟିତ୍ୱ ନିର୍ବାହ କରିଥିଲେ। ମୟୂରଭଞ୍ଜର ଆଦିବାସୀ ନେତ୍ରୀ ଦ୍ରୋପଦୀ ମୁର୍ମୁଙ୍କୁ ଜୁନ ୨୦୧୫ରେ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ଏମାନଙ୍କ ବ୍ୟତୀତ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା,କେରଳର ବର୍ତ୍ତମାନର ରାଜ୍ୟପାଳ ଆରିଫ୍ ଅହମ୍ମଦ୍ ଖାଁ,ଛତିଶଗଡ଼ର ରାଜ୍ୟପାଳ ଅନସୂୟା ଉଇକେ,କର୍ଣ୍ଣାଟକର ରାଜ୍ୟପାଳ ଥାୱର୍ ଚନ୍ଦ୍ର ଗେହଲଟ୍ ଓ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ୍ ପଟେଲ୍ ଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି।
ରାଷ୍ଟ୍ରପତି ନିର୍ବାଚନରେ ଏନସିପି ମୁଖ୍ୟ ଶରଦ ପାୱାର କିମ୍ବା  ପୂର୍ବତନ ବାଚସ୍ପତି ମୀରା କୁମାରଙ୍କୁ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।