ଦେଶରେ ପରାଧିନତାର ବହଳ ଅନ୍ଧାର ଆଚ୍ଛନ୍ନ ହୋଇ ରହିଥିଲା ବେଳେ ମୁଣ୍ଡ ଟେକିଥିଲା ବିରୋଧର ସ୍ୱର। ସେ ସମୟରେ ଆନ୍ଦୋଳନରେ ଅନେକ ନାରୀ ଝାସ ଦେଇ ରଚିଥିଲେ ସ୍ୱତନ୍ତ୍ର ଇତିହାସ। ସେହି ଆଗଧାଡିର ମହିଳାଙ୍କ ମଧ୍ୟରେ ଅଗ୍ରଣୀ ସ୍ଥାନରେ ରହିଥିଲେ ନନ୍ଦିନୀ ଶତପଥୀ।ଓଡିଶା ରାଜନୀତିରେ ନନ୍ଦିନୀ ଶତପଥୀ ଏକ ଚର୍ଚ୍ଚିତ ଚେହେରା।୧୯୩୫ ମସିହା ଜୁନ ୯ ରେ କଟକରେ ଜନ୍ମଗ୍ରହଣ କରିଥିଲେ ଏହି ଧୂରୀଣ ରରାଜନେତା।ପଦ୍ମଶ୍ରୀ କାଳିନ୍ଦୀ ଚରଣ ପାଣୀଗ୍ରାହୀଙ୍କ ସୁକନ୍ୟା ଭାବେ ତାଙ୍କର ପରିଚୟ ସମୃଦ୍ଧ ହେବା ସହିତ ସେ ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ରଚିଥିଲେ।
ରାଜାଙ୍କ ବନ୍ଦନାକୁ ପ୍ରାର୍ଥନା ଭାବେ ଅସ୍ୱୀକାର କରିଥିଲେ ନନ୍ଦିନୀ
ନନ୍ଦିନୀ ଶତପଥି ପିଲାଟି ଦିନୁ ନିଜ ସାହସୀକତାର ପରିଚୟ ଦେଇଥିଲେ। ତାଙ୍କ ବାପାଙ୍କ ବଦଳି ବାରିପଦାକୁ ହେଲାପରେ ବାରିପଦାର ଏକ ସ୍କୁଲରେ ତାଙ୍କ ନାଁ ଲେଖା ଯାଇଥିଲା। ସେ ବିଦ୍ୟାଳୟରେ ଏକ ରାଜାଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ବୋଲା ଯାଉଥିଲା।ଏହାକୁ ବିରୋଧ କରି ନନ୍ଦିନୀ ସେ ବିଦ୍ୟାଳୟରେ ପାଠ ପଢ଼ିବାକୁ ଅନିଚ୍ଛା ପ୍ରକାଶ କରିଥିଲେ।ପିଲାଟି ଦିନୁ ତାଙ୍କ ପ୍ରଚଣ୍ଡ ସ୍ୱାଭିମାନ ସମସ୍ତଙ୍କୁ ଅଭିଭୂତ କରିଥିଲା।
ବଡଓଷାରେ ବଡ ଉପହାର,ମୁଖ୍ୟମନ୍ତ୍ରୀ ହୋଇଥିଲେ ନନ୍ଦିନୀ
ବିଶ୍ବନାଥ ଦାସଙ୍କ ମିଳିତ ସାମ୍ମୁଖ୍ୟ ମନ୍ତ୍ରୀମଣ୍ଡଳ କାଳରେ ୧୯୭୨ ମସିହା ନଭେମ୍ବର ମାସରେ (ବଡଓଷା ଦିନ) ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଭୟାବହ ବାତ୍ୟା ହୋଇଥିଲା । ଏହା ଫଳରେ ବହୁ ଧନ, ଜୀବନ ନଷ୍ଟ ହେବା ସଙ୍ଗେ ସଙ୍ଗେ ଓଡ଼ିଶାର ଆର୍ଥିକ ମାନଦଣ୍ଡ ଭାଙ୍ଗି ପଡ଼ିଥିଲାଓଡ଼ିଶାରେ ଏଭଳି ପ୍ରାକୃତିକ ବିପଦ ଓ ଆର୍ଥିକ ବିପର୍ଯ୍ୟୟ ସହିତ ରାଜନୈତିକ ଓ ଶାସନଗତ ବିପଦ ମଧ୍ୟ ଦେଖାଦେଇଥିଲା ।
୧୯୭୨ ମସିହା ଜୁନ୍ ମାସ ୯ ତାରିଖ ଦିନ ଉତ୍କଳ କଂଗ୍ରେସ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସ୍ଥିର ହୋଇଥିଲା ଯେ ଦଳ ଇନ୍ଦିରା ଗାନ୍ଧୀଙ୍କ ସମାଜବାଦୀ କାର୍ଯ୍ୟକ୍ରମରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରି ପୂରାପୂରି ଭାରତୀୟ ଜାତୀୟ କଂଗ୍ରେସରେ ମିଶିଯିବା ସହିତ ଓଡ଼ିଶାର ମଳିତ ସାମ୍ମୁଖ୍ୟ ସରକାରଠାରୁ ସମର୍ଥନ ପ୍ରତ୍ୟାହାର କରି ନେବ। ସେହିଦିନ ସେହି ମୁହୂର୍ତ୍ତରେ ଉତ୍କଳ କଂଗ୍ରେସ ଦଳ ଭାଙ୍ଗିଯାଇଥିଲା। ମୁଖ୍ୟମନ୍ତ୍ରୀ ବିଶ୍ବନାଥ ଦାସ ଏହି ପ୍ରସ୍ତାବ ପାଇବା ପରେ ସାଙ୍ଗେ ସାଙ୍ଗେ ରାଜଭବନକୁ ଯାଇ ରାଜ୍ୟପାଳ ସର୍ଦ୍ଦାର ଯୋଗୀନ୍ଦ୍ର ସିଂହଙ୍କୁ ମନ୍ତ୍ରୀମଣ୍ଡଳର ଇସ୍ତଫା ପ୍ରଦାନ କରିଥିଲେ । ଉତ୍କଳ କଂଗ୍ରେସ ପୂରାପୂରି ଭାରତୀୟ ଜାତୀୟ କଂଗ୍ରେସରେ ମିଶିଯାଇଥିଲା । ସ୍ବତନ୍ତ୍ର ଦଳର ବିଶିଷ୍ଟ ଆଦିବାସୀ ନେତା ତଥା ମିଳିତ ସାମ୍ମୁଖ୍ୟ ସରକାରର ଅନ୍ୟତମ ବରିଷ୍ଠ ଓ ଦକ୍ଷ ମନ୍ତ୍ରୀ ଗଙ୍ଗାଧର ପ୍ରଧାନ କଂଗ୍ରେସ ଦଳର ସମାଜବାଦ ନୀତି ଉପରେ ଦୃଢ଼ ଆସ୍ଥା ଜ୍ଞାପନ କରି ମନ୍ତ୍ରୀତ୍ବକୁ ଜଳାଞ୍ଜଳି ଦେଇ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କରିଥିଲେ । ସେହିପରି ସ୍ବତନ୍ତ୍ର ଦଳର ଅନ୍ୟତମ ବରିଷ୍ଠ ହରିଜନ ନେତା ତଥା ଅଗ୍ରଣୀ ସଦସ୍ୟ ତଥା ସ୍ବତନ୍ତ୍ର ଦଳର କାରିପଟଦାର (Chief Wheep) ଅଚ୍ୟୁତାନନ୍ଦ ମହାନନ୍ଦ ମଧ୍ୟ ସ୍ବତନ୍ତ୍ର ଦଳ ସହ ଆଦର୍ଶଗତ ମତଭେଦଯୋଗୁଁ ସମାଜବାଦ ନୀତିରେ ଦୃଢ଼ ବିଶ୍ଵାସ ଜ୍ଞାପନ କରି ୧୯୭୨ ମେ ମାସରେ ଭାରତୀୟ ଜାତୀୟ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଫଳରେ ଓଡ଼ିଶା ବିଧାନସଭାରେ ଭାରତୀୟ ଜାତୀୟ କଂଗ୍ରେସ ଦଳ ସଂଖ୍ୟାଗରିଷ୍ଠ ଦଳର ମାନ୍ୟତା ପାଇଲା। ଓଡ଼ିଶାରେ ମିଳିତ ସାମ୍ମୁଖ୍ୟ ସରକାରର ଅବସାନ ଘଟିଲା।ହାଇକମାଣ୍ଡଙ୍କ ନିର୍ଦେଶ ବଳରେ ୧୯୭୨ ଜୁନ୍ ମାସ ୧୩ ତାରିଖ ଦିନ ନନ୍ଦିନୀ ଶତପଥୀ ଓଡ଼ିଶା ବିଧାନସଭାର କଂଗ୍ରେସ ବିଧାୟକ ଦଳର ନେତ୍ରୀ ନିର୍ବାଚିତ ହୋଇଥିଲେ । ସେହି ସମୟରେ ସେ ଥିଲେ କେନ୍ଦ୍ର କ୍ୟାବିନେଟ୍ରେ ରାଷ୍ଟ୍ରମନ୍ତ୍ରୀ। ଜୁନ ୧୪ତାରିଖରେ ବିଶ୍ଵନାଥ ଦାସଙ୍କ ମନ୍ତ୍ରୀମଣ୍ଡଳର ଇସ୍ତଫା ଗୃହୀତ ହୋଇଥିଲା ଓ ନନ୍ଦିନୀ ଶତପଥୀଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୭ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ।