ରାଜନୀତିକୁ ଅନେକ ଲୋକ ସୁବିଧାବାଦର ନୀତି ବୋଲି କୁହନ୍ତି। କ୍ଷମତାର ମୁକୁଟ ମୁଣ୍ଡରେ ରହିଲା ପରେ ଅନେକ ବ୍ୟକ୍ତି ନିଜର ଦାୟିତ୍ୱ କର୍ତ୍ତବ୍ୟ ଭୁଲିବା ରାଜନୀତିରେ କିଛି ନୁଆ ନୁହେଁ। ଦେଶ ସ୍ୱାଧିନ ହେବା ପରେ ଗଣତାନ୍ତ୍ରୀକ ଶାସନରେ ଜନ ପ୍ରତିନିଧିଙ୍କୁ ବ୍ୟବସ୍ଥା ନିୟନ୍ତ୍ରଣର କ୍ଷମତା ମିଳିଛି। ଆସନରେ ରହି ଶାସନ କଲାବେଳେ ରାଜନେତା ମନ୍ତ୍ରୀ ନିଜ ପାଣ୍ଠି ସଜାଡ଼ିବା ରାଜନୀତିରେ ଏକ ପରମ୍ପରା ପାଲଟି ଗଲାଣି। ତେବେ ୟାରି ଭିତରେ ସାରାଦେଶରେ ଏବେ ଜଣେ ନିଆରା ମୁଖ୍ୟମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ହେଉଛି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସରଳ ଜୀବନର ଭିଡ଼ିଓ ଦେଶବ୍ୟାପୀ ପ୍ରଶଂସା ସାଉଁଟିଲା ପରେ ଏବେ ଜଣେ ନିଆରା ନେତା ଟ୍ରେଣ୍ଡ ପାଲଟିଛନ୍ତି। ଓଡ଼ିଶାରେ ହେଉଥିବା ହକି ମହାକୁମ୍ଭରେ ଯୋଗଦେବା ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ନିମନ୍ତ୍ରଣ କରାଯାଉଥିଲା ବେଳେ ପୁଦୁଚେରୀ ମୁଖ୍ୟମନ୍ତ୍ରୀ ଏମ୍ ରଙ୍ଗାସ୍ୱାମୀଙ୍କ ଏକ ଫଟୋକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଯେଉଁ ସମୟରେ ତାଙ୍କୁ ନିମନ୍ତ୍ରଣପତ୍ର ଦିଆଗଲା, ସେତେବେଳେ ସେ କେବଳ ଲୁଙ୍ଗି ପିନ୍ଧିଥିଲେ।ମନ୍ତ୍ରୀ ଅତନୁ ସବ୍ୟସାଚୀ ତାଙ୍କୁ ନିମନ୍ତ୍ରୀତ କରିବା ସମୟରେ ତାଙ୍କ ବିଷୟରେ ଅନେକ କଥା ସାମ୍ନାକୁ ଆସିଛି।– ନିଜର ସରଳ ଜୀବନଶୈଳୀ ପାଇଁ ସର୍ବଦା ଚର୍ଚ୍ଚାରେ ରୁହନ୍ତି।
ସରଳ ଜୀବନଯାପନ ପାଇଁ ତାଙ୍କୁ ‘ଜୁନିୟର କାମରାଜ’ ଆଖ୍ୟା ଦିଆଯାଇଛି। ୪ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ସୁଦ୍ଧା ତାଙ୍କର ସରଳ ଜୀବନ ଜାପନ ପଦ୍ଧତି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ୧୯୯୬ରେ ବିଧାୟକ,୨୦୦୦ରେ ଶିକ୍ଷା ମନ୍ତ୍ରୀ,୨୦୦୧ରୁ ୨୦୦୬,୨୦୦୬ରୁ ୨୦୦୮ ଯାଏଁ କଂଗ୍ରେସରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏମ୍ ରଙ୍ଗାସ୍ୱାମୀ। ୨୦୧୧ରେ କଂଗ୍ରେସଠୁ ଅଲଗା ହୋଇ All India NR Congress ପ୍ରତିଷ୍ଠା କରି ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ। ୨୦୧୬ରେ ବିରୋଧି ଦଳର ଭୁମିକା ଲିଭାଇଲା ପରେ ପୁଣି ଥରେ ସେ ୨୦୨୧ରେ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଏତେ ବର୍ଷ ଧରି ଶାସନଗାଦିରେ ରହିଥିଲେ ବି ତାଙ୍କର ଜୀବନଶୈଳୀରେ ସରଳତା ଲୋପ ପାଇନି। ପ୍ରତିଦିନ ଚା ଖଟି ଯିବା,ଲୋକଙ୍କ ସହ ମିଶିବା,ବିନା ସୁରକ୍ଷାକର୍ମୀଙ୍କ ବିନା ସହଯୋଗରେ ବିଭିନ୍ନ ସ୍ଥାନକୁ ଯିବା ସହ ଘରେ କୌଣସି ବିଳାସପୁର୍ଣ୍ଣ ଆସବାବ ନ ରଖିବା ସମସ୍ତଙ୍କୁ ଚକିତ କରିଛି। ସାଧାରଣ ଲୋକଙ୍କ ପାଇଁ ଉଗ ଅଫିସର ଠିକଣା ଅପହଞ୍ଚ ହୋଇଥିଲା ବେଳେ ଏମ୍ ରଙ୍ଗାସ୍ୱାମୀ ପ୍ରତିଦିନ ସାଧାରଣ ଲୋକଙ୍କୁ ସାକ୍ଷାତ କରି ଲୋକଙ୍କ ସହ ସୁସମ୍ପର୍କ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ତାଙ୍କର ଏ ପ୍ରକାର ଜୀବନ ଶୈଳୀ ଖୁବ୍ କମ୍ ନେତାଙ୍କ ପାଖରେ ଥିଲାବେଳେ ହକି ମହାକୁମ୍ଭ ସମୟରେ ଏ ସବୁ ସାମ୍ନାକୁ ଆସିଲା ପରେ ଦେଶବ୍ୟାପୀ ପ୍ରଶଂସାର ସୁଅ ଛୁଟୁଛି।