ସିଞ୍ଜୋ ଆବେଙ୍କୁ ହତ୍ୟା:ଭାରତରେ ବୁଲେଟ ଟ୍ରେନ୍ ଚଳାଚଳରେ ରହିଛି ପ୍ରମୁଖ ଭୁମିକା

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କର ଦେହାନ୍ତ ହୋଇଛି। ଜାପାନର ନାରାରେ ଏକ ସଂସଦୀୟ ନିର୍ବାଚନ ପାଇଁ ସେ ପ୍ରଚାର କରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ନାରା ମେଡିକାଲ ୟୁନିଭରସିଟି ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।ତାଙ୍କ ମୃତ୍ୟୁରେ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି।

ଷ୍ଟିଲ ପ୍ଲାଣ୍ଟ ଏମ୍ପ୍ଲୋୟିରୁ ପ୍ରଧାନମନ୍ତ୍ରୀ
ସିଞ୍ଜୋ ଆବେ ୨୧ ସେପ୍ଟେମ୍ବର୧୯୫୪ ରେ ଜନ୍ମଗ୍ରହଣ କରିଥିଲେ। ରାଜନୀତିକୁ ଆସିବା ପୂର୍ବରୁ ସେ ଷ୍ଟିଲ ପ୍ଲାଣ୍ଟରେ ଚାକିରୀ କରିଥିଲେ। ସେ ୨୦୦୬ରୁ ୨୦୦୭ ଏବଂ ୨୦୧୨ରୁ ୨୦୨୦ ପର୍ଯ୍ୟନ୍ତ ଜାପାନର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଲିଭାଇଛନ୍ତି। ଅସୁସ୍ଥତା ହେତୁ ୨୦୨୦ରେ ସେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଥିଲେ। ଦକ୍ଷିଣବାଦ ଚିନ୍ତାଧାରାରେ ବିଶ୍ୱାସ କରୁଥିବା ଏହି ନେତା ବେଶ ଲୋକପ୍ରିୟତା ଅର୍ଜନ କରିଛନ୍ତି।
ଭାରତକୁ ଖୁବ୍ ଭଲପାଉଥିଲେ ସିଞ୍ଜୋ:ଶ୍ରଦ୍ଧାଞ୍ଜଳି ଉଦ୍ଧେଶ୍ୟରେ ରାଷ୍ଟ୍ରୀୟ ଶୋକ
ସିଞ୍ଜୋଙ୍କର ଭାରତ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ରହିଥିଲା। ସେ ଅନେକଥର ଭାରତ ଆସି ତାଙ୍କ ଭଲପାଇବାର ପ୍ରମାଣ ଦେଇଛନ୍ତି। ଭାରତରେ ବୁଲେଟ ଟ୍ରେନ୍ ଗଡିବାଠାରୁ ଆରମ୍ଭ କରି ନ୍ୟୁକ୍ଲିୟର ଶକ୍ତି କ୍ଷେତ୍ରରେ ସିଞ୍ଜୋଙ୍କ ସାହାଯ୍ୟ ସମର୍ଥନ ରହିଛି। ଭାରତର ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ତାଙ୍କର ପ୍ରତକ୍ଷ ସମ୍ପୃକ୍ତି ରହିଛି। ତାଙ୍କ ଅକାଳ ବିୟୋଗ ଭାରତ ପାଇଁ ମଧ୍ୟ ଏକ ଦୁଃସମ୍ବାଦ ସାଜିଛି। ସିଞ୍ଜୋ ଆବେଙ୍କ ମୃତ୍ୟୁରେ ଭାରତର ପ୍ରଧାନମନ୍ତ୍ରୀ ଶୋକପ୍ରକାଶ କରିବା ସହିତ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।
Connect With Us