ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆସିଛି ଏବିପି ନ୍ୟୁଜ୍-ସି ଭୋଟର ଜନମତ ସର୍ଭେ। ‘ଦେଶ କା ମୁଡ’ ସର୍ଭେ ରିପୋର୍ଟ କହୁଛି ପୁଣି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠନ ହେବ ଏନଡିଏର ସରକାର। ଏନଡିଏକୁ ୩୦୦ଲୋକସଭା ଆସନ, କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୧୧୬ ଏବଂ ଅନ୍ୟାନ୍ୟ ଦଳକୁ ମିଳିବ ୧୨୭ସିଟ୍। ଯଦିଓ ମୋଦିଙ୍କ ଲୋକପ୍ରିୟତା କମି ୫୩.୬ପ୍ରତିଶତରେ ପହଞ୍ଚିଛି,କିନ୍ତୁ ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା ୨୨.୭ପ୍ରତିଶତରେ ରହିଛି। ଯାହାକି ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାର ଅଧା ବି ନୁହେଁ। ତେବେ ମୋଦିଙ୍କ କରିସ୍ମାକୁ ଉତ୍ତରପ୍ରଦେଶରେ ଏସପି-ବିଏସପି ମେଣ୍ଟ ଧୂଳିସାତ୍ କରିପାପନ୍ତି। ମାତ୍ର ଓଡ଼ିଶାରେ ବିଜେପି ଭଲ କରିବ ବୋଲି କହୁଛି ସର୍ଭେ ରିପୋର୍ଟ। ଗତ ସେପ୍ଟେମ୍ବର ଶେଷ ସପ୍ତାହରୁ ଅକ୍ଟୋବର ଶେଷ ସପ୍ତାହ ମଧ୍ୟରେ ହୋଇଥିବା ଏହି ଓପିନିଅନ ପୋଲ୍ ଇଙ୍ଗିତ କରୁଛି କି ଧିରେ ଧିରେ ଓଡ଼ିଶା ଭୋଟର ଜାତୀୟ ଦଳ ବିଜେପି-କଂଗ୍ରେସ ପ୍ରତି ଆକୃଷ୍ଟ ହେଉଛନ୍ତି। ୧୮ବର୍ଷ ଧରି ଓଡ଼ିଶାରେ ଶାସନ କରୁଥିବା ବିଜେଡି ପ୍ରତି ଲୋକଙ୍କ ମୋହଭଙ୍ଗ ହେଉଛି ବୋଲି ସର୍ଭେ ସ୍ପଷ୍ଟ କରିଛି।୨୮ ଦିନରେ ବିଜେପିର ୧ଆସନ କମିଗଲା
ସି-ଭୋଟର ସର୍ଭେ ରପୋର୍ଟ କହୁଛି ଓଡ଼ିଶାରେ ବିଜେପିକୁ ୧୨ଟି ଆସନ, ବିଜେଡି ୬ଟି ଓ କଂଗ୍ରେସ ୩ଟି ଲୋକସଭା ଆସନରେ ବିଜୟୀ ହେବ। ଯାହାକି ବିଜେଡି ପାଇଁ ଚିନ୍ତାର କାରଣ ପାଲଟି ଥିବାବେଳେ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିଶ୍ୱାସ ବଢ଼ାଇବାରେ ସହାୟକ ହୋଇପାରେ। କିନ୍ତୁ ପ୍ରଶ୍ନ ଉଠୁଛି ଯେ ଏବିପି ନ୍ୟୁଜ-ସି ଭୋଟର କରିଥିବା ଏହି ଓପିନିଅନ ପୋଲର ବାସ୍ତବତା କେତେ? ଗତ ଅକ୍ଟୋବର ୪ରେ ଏହି ଏବିପି ନ୍ୟୁଜ-ସି ଭୋଟର ଆଉ ଏକ ସର୍ଭେ କହୁଥିଲା ଯେ ଓଡ଼ିଶାରେ ବିଜେପିକୁ ୧୩, ବିଜେଡିକୁ ୬ ଓ କଂଗ୍ରେସକୁ ମିଳିବ ମାତ୍ର ୨ଟି ଲୋକସଭା ସିଟ୍। ମାତ୍ର ୨୮ ଦିନ ବ୍ୟବଧାନରେ ପୁଣି ଆସିଲା ଆଉ ଏକ ଜନମତ ସର୍ଭେ ରିପୋର୍ଟ। ନଭେମ୍ବର ୧ରେ ଆସିଥିବା ‘ଦେଶ କା ମୁଡ୍’ ସର୍ଭେ ରପୋର୍ଟ କହୁଛି ଓଡ଼ିଶାରେ ବିଜେପିର ଗୋଟିଏ ଆସନ କମିଯିବ, କଂଗ୍ରେସର ଗୋଟିଏ ଆସନ ବଢ଼ିଯିବ! ଅପରପକ୍ଷରେ ବିଜେଡିକୁ ନେଇ ଓଡ଼ିଶାବାସୀ ନିଜ ମତାମତରେ କିଛି ପରିବର୍ତ୍ତନ ଆଣୁନାହାଁନ୍ତି।୧ ଲୋକସଭା ସିଟ୍ ପାଇଁ ୨୮ ଜଣଙ୍କ ମତ
ଦେଶର ସମସ୍ତ ୫୪୩ ଲୋକସଭା ଆସନ ପାଇଁ ଏବିପି ନ୍ୟୁଜ-ସି ଭୋଟର ୧୫ହଜାର ୪ଶହ ୬୩ ଜଣଙ୍କର ମତାମତ ସଂଗ୍ରହ କରିଛି। ଅର୍ଥାତ ପ୍ରତି ଲୋକସଭା ଆସନରୁ ପ୍ରାୟ ୨୮ଜଣଙ୍କ ମତାମତ ସଂଗ୍ରହ ହୋଇଛି। ଏହାକୁ ବିଚାରକୁ ନେଲେ ଜଣାପଡୁଛି ଯେ ଓଡ଼ିଶାର ୨୧ଟି ସିଟ୍ ପାଇଁ ୫୯୮ ଜଣଙ୍କ ମତାମତ ସଂଗ୍ରହ କରିଛି ଏବିପି ନ୍ୟୁଜ୍-ସି ଭୋଟର ସଂସ୍ଥା। ତେଣୁ ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିମାନେ ଏହି ରିପୋର୍ଟକୁ ନେଇ ଆଶଙ୍କା ପ୍ରକାଶ କରିବା ସ୍ୱାଭାବିକ। କାରଣ ନିର୍ବାଚନ କମିଶନଙ୍କ ଆକଳନ କହୁଛି ୨୦୧୯ନିର୍ବାଚନ ବେଳକୁ ଓଡ଼ିଶାରେ ପୁରୁଷ ଭୋଟର ହେବେ ୧କୋଟି ୬୧ଲକ୍ଷ ୧୪ହଜାର୨୦୦, ମହିଳା ଭୋଟର ହେବେ ୧କୋଟି ୫୧ଲକ୍ଷ ୩୬ହଜାର ୩୬ ଏବଂ ଅନ୍ୟାନ୍ୟଙ୍କ ସଂଖ୍ୟା ୨ହଜାର୯୭ ହେବ। ଅର୍ଥାତ ଆଗାମୀ ସାଧାରଣ ନିର୍ବାଚନରେ ୩କୋଟି ୧୨ଲକ୍ଷ ୫୨ହଜାର ୩୩୫ ଜଣ ମତଦାନ କରିବାକୁ ଅଧିକାର ପାଇବେ। ତାହେଲେ ମାତ୍ର ୫୯୮ଜଣଙ୍କ ମତାମତ ଆଧାରରେ ଓଡ଼ିଶାର ପ୍ରାୟ ସାଢେ ୩କୋଟିରୁ ଉର୍ଦ୍ଧ ଭୋଟରଙ୍କ ମତାମତ ଜାଣିବା ସମ୍ଭବ କି ? ଯେଉଁ କୌଣସି ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରାଗଲେ ମଧ୍ୟ ମାତ୍ର ୨୮ଜଣଙ୍କ ମତାମତ ବଳରେ ଗୋଟିଏ ଲୋକସଭା ଆସନ ଅଧିନରେ ଥିବା ପ୍ରାୟ ୧୫ଲକ୍ଷ ଭୋଟରଙ୍କ ମନକଥା ଜାଣିବା କିପରି ସମ୍ଭବ?କେଉଁ ସିଟରେ କଂଗ୍ରେସ ଆଗୁଆ?
ଅନ୍ୟପକ୍ଷରେ ଗତ ୨୦ବର୍ଷ ଧରି ନିର୍ବାଚନ ସଂକ୍ରାନ୍ତୀୟ ହୋଇଥିବା ସମସ୍ତ ଆକଳନ ଓଡ଼ିଶାରେ ଭୁଲ ସାବ୍ୟସ୍ତ ହୋଇଛି। ମିଡିଆ ଏବଂ ଓପିନିଅନ ପୋଲର ପୂର୍ବାନୁମାନ ବାରମ୍ବାର ଫେଲ୍ ହୋଇଛି।ରେକର୍ଡକୁ ଭୁଲ ପ୍ରମାଣିତ କରି କଂଗ୍ରେସର ଗଡ଼ ନବରଙ୍ଗପୁରରେ ବିଜେପି ଜିତିଛି, କୋରାପୁଟରୁ ବିଜେଡି ପ୍ରାର୍ଥୀ ବିଜୟୀ ହେଉଛନ୍ତି। ସୋସିଆଲ ମିଡିଆ ଜମାନାରେ ଓପିନିଅନ୍ ପୋଲର ଏଭଳି ପ୍ରହେଳିକାକୁ ଗ୍ରହଣ କରିବାକୁ ସାଧାରଣ ଜନତା ଅମଙ୍ଗ ହେଲେଣି। ମାସକ ଭିତରେ କଂଗ୍ରେସକୁ ଅଧିକ ଗୋଟିଏ ସିଟରେ ଜିତାଇ ଦେବା ଆଉ ବିଜେପିର ଗୋଟିଏ ସିଟ୍ କମାଇ ଦେବା ପରେ ଏବିପି ନ୍ୟୁଜ-ସି ଭୋଟର ସଂସ୍ଥାର ଜନମତ ସର୍ଭେ ପ୍ରତି ଅଙ୍ଗୁଳି ଉଠିଲାଣି। କାରଣ ରାଜ୍ୟ କଂଗ୍ରେସର ନିଜସ୍ୱ ଆକଳନରେ ନବରଙ୍ଗପୁର ଏବଂ କୋରାପୁଟରେ କଂଗ୍ରେସ ଦବଦବା ଜାହିର କରିବ। ତାହା ପୁଣି କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱ ଯୋଗୁଁ ସମ୍ଭବ ହୋଇପାରିଛି। କିନ୍ତୁ ନିର୍ବାଚନ ବେଳେ ବିଜେପି-ବିଜେଡିର ସୁଦୃଢ଼ ମେସିନାରୀ ଆଗରେ ପ୍ରଦୀପ ମାଝୀ ମଧ୍ୟ ଫିକା ପଡ଼ିପାରନ୍ତି। ଏ ସମୟରେ କଂଗ୍ରେସର ତୃତୀୟ ଆସନ କେଉଁଟି ବୋଲି ପ୍ରଶ୍ନ ହେବା ସ୍ୱାଭାବିକ।ବାସ୍ତବତା ହାଇକମାଣ୍ଡଙ୍କୁ ଜଣା
ଅପରପକ୍ଷରେ ୨୦୧୭ ଫେବୃଆରୀରେ ହୋଇଥିବା ପଞ୍ଚାୟତ ନିର୍ବାଚନ ଫଳାଫଳ କହୁଛି ଓଡ଼ିଶାରେ ବିଜେପିର ଭୋଟ୍ ପ୍ରତିଶତ ବଢୁଛି। ମାତ୍ର ଏବେବି ନମ୍ବର୧ରେ ରହିଛି ବିଜୁ ଜନତା ଦଳ। ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲା ପରିଷଦ ଗଠନ କରିଥିବା ବିଜେପି, ସାଧାରଣ ନିର୍ବାଚନରେ ବଲାଙ୍ଗିର ଓ କଳାହାଣ୍ଡିରେ ସଂପୂର୍ଣ୍ଣ ଜିତିବା ସ୍ଥିତିରେ ନାହିଁ। ଅନ୍ୟପଟେ ମୟୁରଭଞ୍ଜରେ କ୍ଲିନ୍ ସ୍ୱିପ୍ କରିଥିବା ବିଜେପି ଉତ୍ତର ଓଡ଼ିଶାର ବାଲେଶ୍ୱରରେ ମଧ୍ୟ ୨୦୧୯ନିର୍ବାଚନରେ ଭଲ କରିପାରେ। କଂଗ୍ରେସର ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ପରି ନେତାଙ୍କୁ ଦଳରେ ମିଶାଇ ବାଲେଶ୍ୱର ଲୋକସଭା ଆସନକୁ ବିଜେପି କବଜା କରିପାରେ। ମାତ୍ର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବିଜେଡିର ସ୍ଥିତି ଏବେବି ସୁଦୃଢ ରହିଛି। ଅର୍ନ୍ତଦ୍ୱନ୍ଦ୍ୱ ଯେ ଶାସକ ଦଳକୁ ଅଡୁଆରେ ପକାଉଛି; କିନ୍ତୁ ଶିକ୍ଷକ, ଚାଷୀ ଏବଂ ଓକିଲଙ୍କ ଆନ୍ଦଳୋନ ନିର୍ବାଚନ ସମୟରେ ପ୍ରାୟତଃ ପ୍ରସଙ୍ଗ ହୋଇ ରହିନଥିବ। ଏପରି ସ୍ଥିତିରେ ଏବିପି ନ୍ୟୁଜ୍-ସି ଭୋଟର ସଂସ୍ଥା ତରଫରୁ କରାଯାଇଥିବା ଜନମତ ସର୍ଭେର ବାସ୍ତବତା କେତେ ତାହା ବିଜେଡି-ବିଜେପି-କଂଗ୍ରେସ ନେତୃତ୍ୱକୁ ଭଲ ଭାବେ ଜଣା।
ଏକଜିଟ୍ ପୋଲ୍ ସତ ହୋଇପାରେ
ବିଜେପି ଅଧ୍ୟକ୍ଷ ଅମିତ ଶାହ, କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜାଣନ୍ତି ଯେ ଏଭଳି ଜନମତ ରିପୋର୍ଟର ବାସ୍ତବିକତା କେତେ? ଏବିପି ନ୍ୟୁଜ-ସି ଭୋଟର ସଂସ୍ଥାର ମାସିକିଆ ଓପିନିଅନ ପୋଲକୁ ସେମାନେ ଯେ ଗ୍ରହଣ କରୁଥିବେ ଏକଥା ବିଶ୍ୱାସ ହେଉନାହିଁ। କିନ୍ତୁ ଲୋକଙ୍କ ମୁଡ୍ ଜାଣିବାକୁ ସବୁ ଦଳର ମୁଖ୍ୟମାନେ ନିଜସ୍ୱ ଏଜେନ୍ସି ମାଧ୍ୟମରେ ରିପୋର୍ଟ ଗ୍ରହଣ କରୁଛନ୍ତି।ତେବେ ଓପିନିଅନ ପୋଲରେ ପ୍ରତି ମାସରେ ନିଜ ମତକୁ ନିଜେ ହିଁ ବଦଳାଉଥିବା ଏବିପି ନ୍ୟୁଜ-ସି ଭୋଟର ସଂସ୍ଥା, ଏକଜିଟ୍ ପୋଲ୍ ବେଳକୁ ଓଡ଼ିଶାର ବାସ୍ତବ ଚିତ୍ର ଦେଇପାରେ ବୋଲି ଅନେକଙ୍କ ଆଶା ରହିଛି।
ଏଥିସହ ପଢ଼ନ୍ତୁ-ସ୍ଥିତି ସମ୍ଭାଳିବାରେ ଶର୍ମା ଫେଲ୍ ! କମିସନର ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ମାଡ଼, ଡିଜିପି ବେଳେ ହାଇକୋର୍ଟ ଅଚଳ