ନିଜ ମା ମଟିର ସୁରକ୍ଷା ପାଇଁ ପ୍ରାଣବଳୀ ଦେଇଥିବା ସୁଯୋଗ୍ୟ ସନ୍ତାନଙ୍କ ଚିଠା ଓଡ଼ିଶାରେ କିଛି କମ୍ ନୁହେଁ। ଦେଶରେ ଇଂରେଜ ବିରୁଦ୍ଧରେ ସ୍ୱର ଉତ୍ତୋଳନ ହେବାର ବହୁ ପୁର୍ବରୁ ଓଡ଼ିଶାରେ ଜଳିଥିଲା ଆନ୍ଦୋଳନର ବହ୍ନି। ସୀପାହି ବିଦ୍ରୋହକୁ ଦେଶର ସର୍ବପ୍ରଥମ ବିଦ୍ରୋହ କୁହାଯାଉଥିଲା ବେଳେ ତା ପୂର୍ବରୁ ମୁଣ୍ଡ ଟେକିଥିଲା ଓଡ଼ିଶାର ପାଇକ ବିଦ୍ରୋହ। ଏ ମାଟିରେ ହିଁ ରହିଛି ଦେଶର ସର୍ବକନିଷ୍ଠ ସଂଗ୍ରାମୀ ବାଜି ରାଉତଙ୍କ ଚିତା,ଗୋପବନ୍ଧୁ ଦାସଙ୍କ ନିଆରା ସେବା ସହିତ ସୁବାଷ ବୋଷଙ୍କ ଭଳି ସ୍ୱାଧୀନଚେତା ସଂଗ୍ରାମୀଙ୍କ ପରିଚୟ। ୧୮୫୭ରେ ସୀପାହି ବିଦ୍ରୋହରେ ଅନେକ ସଂଗ୍ରାମୀ ନିହତ ହବା ପୂର୍ବରୁ ହିଁ ୧୮୦୬ରେ ମାଟି ପାଇଁ ଲଢ଼େଇ କରି ଇଂରେଜଙ୍କ ଦ୍ୱାରା ନିହତ ହୋଇଥିଲେ ଏ ମାଟିର ଜୟୀ ରାଜଗୁରୁ।ଏ ମାଟି ଲୁହଲହୁ,ମୁକ୍ତିବିମୁକ୍ତି,ଯୁକ୍ତିସୁକ୍ତିର ନିଆାରା ସ୍ତୁତି। ରାଜ୍ୟକୁ ସ୍ୱାଧିନତାର ମାଟିରେ ଭିଜାଇଥିବା ସେହି ସଂଗ୍ରାମୀ ଆଜି ଅତୀତ ଓ ଇତିହାସ। ଦେଶର ସ୍ୱାଧୀନତା ପାଇଁ ଅନେକ ବୀର ବଳିଦାନ ଦେଇଛନ୍ତି। ଯାହାଙ୍କ ପାଇଁ ଏ ମାଟି ଗର୍ବିତ। ମାତ୍ର ସେମାନଙ୍କ ମଧ୍ୟରୁ ଏମିତି କିଛି ସଂଗ୍ରାମୀ ବି ଅଛନ୍ତି ଯିଏ ଆଜି ବି ସ୍ୱାଧିନତା ସଂଗ୍ରାମର  ଇତିହାସ କି ଓଡ଼ିଶା ଇତିହାସ ପୃଷ୍ଠାରେ ସ୍ଥାନ ପାଇନାହାନ୍ତି।

୪୭ ବର୍ଷ ଧରି ରାଜନୈତିକ ବନ୍ଦୀ,ତଥାପି ଅଲୋଡ଼ା
ହୀରାଖଣ୍ଡ ଅର୍ଥାତ୍ ସମ୍ବଲପୁରର ସୁରେନ୍ଦ୍ର ସାଏଙ୍କୁ ତ ସମସ୍ତେ ଜାଣନ୍ତି। ମାତ୍ର ତାଙ୍କଠୁ ବି ଅଧିକ ୧୦ ବର୍ଷ କାରାବରଣ କରିଥିବା ସଂଗ୍ରାମୀ ଭାଇ ଉଦନ୍ତ ସାଏ ଯେମିତି ଇତିହାସ ପାଇଁ ଅଲୋଡ଼ା। ଖିଣ୍ଡାରୁ ଖଣ୍ଡା ଉଠାଇଥିବା ଉଦନ୍ତ ଇଂରେଜ ବିରୋଧି ସଂଗ୍ରାମ ପାଇଁ  ସହିଛନ୍ତି ଅନେକ କଷ୍ଟ। ୮୨ ବର୍ଷର ଜୀବନ କାଳ ଭିତରେ  ଭୋଗିଛନ୍ତି ୪୭ ବର୍ଷର ଜେଲ ଦଣ୍ଡ। ଦେଶରେ ଏତେ ସମୟ କାହାକୁ ବି ଜେଲ୍ ଦଣ୍ଡ ଦିଆଯାଇ ନାହିଁ। ସମ୍ବଲପୁର ରାଜା ମହାରାଜା ସାଏଙ୍କ ମୃତ୍ୟୁପରେ ଶାସନଭାର ସମ୍ଭାଳି ଥିଲେ ତାଙ୍କ ବିଧବା ପତ୍ନୀ। ମାତ୍ର ଇଂରେଜ ସରକାରଙ୍କ ହାତର କଣ୍ଢେଇ ସାଜି ତାଙ୍କ ନିର୍ଦ୍ଦେଶ ଅନୁସାରେ କାମ କରିଥିଲେ ଯାହାକୁ ବିରୋଧ କରୁଥିଲେ ସୁରେନ୍ଦ୍ର ସାଏ ଏବଂ ଉଦନ୍ତ ସାଏ। ସେ ଆସନ ହାତେଇବାକୁ ଗୋବିନ୍ଦ ସିଂନାରାୟଣ ସିଂ ଚେଷ୍ଠା ଆରମ୍ଭ କରିଦେଇଥିଲେ। ଏଣେ ରାମପୁରର ଜମିଦାର ଦୁର୍ଜୟ ସିଂ ଖିଣ୍ଡା ଆକ୍ରମଣ କଲାପରେ ସୁରେନ୍ଦ୍ର ଓ ଉଦନ୍ତ ଆନ୍ଦୋଳନକୁ ତୀବ୍ର କରିଥିଲେ।

୧୮୧୭ରୁ ୧୮୪୦ ଯାଏଁ ଇଂରେଜ ବିରୁଦ୍ଧରେ ଲଢିଲା ପରେ ହଜାରୀବାଗ ଜେଲରେ ସଜା କାଟିଥିଲେ ସୁରେନ୍ଦ୍ର ସାଏ ଓ ଉଦନ୍ତ ସାଏ। ୧୮୫୭ରେ ମୁକ୍ତି ପାଇବା ପରେ ବି ସଂଗ୍ରାମରେ ବିରାମ ଦେଇ ନଥିଲେ। ସଂଗ୍ରାମରେ ବିଫଳ ହୋଇ ସନ୍ଧି କରି ୧୮୬୪ ଜାନୁୟାରୀ ୨୨ରେ ଷଡଯନ୍ତ୍ରରେ ସାଏ ପରିବାରକୁ ଗିରଫ କରି ରାୟପୁରରେ ବନ୍ଦୀ କରାଯାଇଥିଲା। ସୁରେନ୍ଦ୍ର ସାଏଙ୍କ ସମେତ ତାଙ୍କ ଭାଇ ଉଦନ୍ତ,ଧ୍ରୁବ,ମେଦିନି,ପୁଅ ମିତ୍ରଭାନୁଙ୍କ ହାତରେ ହାତକଡି ପଡିଥିଲା। ଅସୀରଗଡ ଦୁର୍ଗରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ସୁରେନ୍ଦ୍ରସାଏ ଓ ମେଦିନି। ଅସୀରଗଡରେ ୨୮ ବର୍ଷ ୧୯୩ ଦିନ ବନ୍ଦୀ ଜୀବନ କଟାଇବା ପରେ ୧୮୯୪ ରେ  ଉଦନ୍ତସାଏଙ୍କର ର ମୃତ୍ୟୁ ହୋଇଥିଲା। ଏହା ସମେତ ହଜାରୀବାଗରେ ୧୭ ବର୍ଷ, ରାୟପୁର,ସମ୍ବଲପୁର ନାଗପୁରରେ ବର୍ଷେ ୧୩୬ ଦିନକୁ ମିଶାଇ  ସେ ସମୁଦାୟ ୪୭ ବର୍ଷ ବନ୍ଦୀ ଜୀବନ କାଟି ବିଶ୍ୱର ସବୁଠୁ ଅଧିକ ସମୟ ରାଜନୈତିକ ବନ୍ଦୀ ଜୀବନ କଟାଇଥିଲେ ବି ତାଙ୍କୁ ଉପଯୁକ୍ତ ମାନ୍ୟତା ବା ଐତିହାସିକ ସ୍ୱୀକୃତି ମିଳିନି। ଯାହାକୁ ନେଇ ବିଭିନ୍ନ ମହଲରେ ଦାବୀ ଉଠୁଛି।ଦେଶ ଆଜାଦୀର ଅମୃତ ମହୋତ୍ସବ ପାଳୁଥିଲା ବେଳେ ଆଶ୍ୱାସନାର ଗାଥା ଗାଉଛି ଉଦନ୍ତଙ୍କ କଥା। ତାଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା  କ‘ଣ ଆମ ସମସ୍ତଙ୍କ ସାମୁହିକ କର୍ତ୍ତବ୍ୟ ନୁହେଁ?
ଏ ଷ୍ଟୋରୀ ଲେଖିଛନ୍ତି:ରଶ୍ମିତା ବେହେରା