ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାର ପାଞ୍ଚ ବର୍ଷରେ ପାଦ ଥାପିଛି। ୨୦୦୦ ମସିହାରୁ ନିରବଚ୍ଛିନ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ନବୀନ ପଟ୍ଟନାୟକ। ୨୦୦୦ ମସିହା ମାର୍ଚ୍ଚ ୫ ରେ ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନଙ୍କୁ ପରାଜୟର ସ୍ୱାଦ ଚଖେଇ ପାରିନାହାନ୍ତି ବିରୋଧି।ପଞ୍ଚମ ପାଳି ସରକାରର ଚାରି ବର୍ଷ ପୂର୍ତ୍ତି ଉପଲକ୍ଷେ କ୍ୟାବିନେଟରେ ୧୮ଟି ପ୍ରସ୍ତାବରେ ମୋହର ଲାଗିଛି ।
କେମିତି ରାଜନୀତିରେ ପାଦ ଥାପିଲେ ନବୀନ
ଯଦିଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ରାଜନୀତିରେ ଭିକ୍ଟ୍ରିମ୍ୟାନ୍ ଭାବେ ବେଶ୍ ଜଣାଶୁଣା ମାତ୍ର ତାଙ୍କ ପଲିଟିକାଲ ଏଣ୍ଟ୍ରିକୁ ନେଇ ସେ ସମୟରେ କୌଣଷି ପ୍ରକାରର ଅନୁମାନ କରାଯାଇ ନଥିଲା। ବିଜୁ ପଟ୍ଟନାୟକଙ୍କ ପରିବାର ଯେ ରାଜନୀତିରେ ପାଦ ଥାପିବେ ତାହା ଥିଲା ଚର୍ଚ୍ଚା ବାହାରେ। ୧୭ ଏପ୍ରିଲ ୧୯୯୭ରେ ଜନପ୍ରିୟ ନେତା ବିଜୁବାବୁଙ୍କ ବିୟୋଗ ପରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୁଏ ବିରାଟ ଶୂନ୍ୟସ୍ଥାନ। ବିଜୁଙ୍କ ବିରୋଧି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଚେକ୍ ଦେବାକୁ ଅନୁକମ୍ପାକୁ ଆଶ୍ରା କରି ଲୋଡ଼ା ପଡ଼ନ୍ତି ବିଜୁଙ୍କ ପରିବାର ସଦସ୍ୟ। ମାତ୍ର ତାଙ୍କ ବଡ ପୁଅ ପ୍ରେମ୍ ,ଝିଅ ଗୀତା ମେହେତା ଏବଂ ପତ୍ନୀ ପ୍ରସ୍ତାବକୁ ଗ୍ରହଣ ନ କରିବାରୁ ନବୀନ ପଟ୍ଟନାୟକ ସାଜନ୍ତି ଶେଷ ସାହାରା।ବିଜୁ ପଟ୍ଟନାୟକଙ୍କ ଅନୁଗାମୀ ଓ ସମର୍ଥକଙ୍କ କଥା ଭାଙ୍ଗି ନପାରି ନବୀନ ରାଜନୀତିକୁ ଏଣ୍ଟ୍ରି କରନ୍ତି।୧୯୯୭ ଜୁନରେ ବିଧିବଦ୍ଧ ଭାବେ ଜନତା ଦଳରେ ସାମିଲ୍ ହୁଅନ୍ତି। NDA ସହ ହାତ ନ ମିଳାଇ ଦଳର ସ୍ୱତନ୍ତ୍ରତା ବଜାୟ ରଖିବା ସହିତ ନବାଗତ ନବୀନ ଜନତା ଦଳ ପୂର୍ବରୁ ବାପାଙ୍କ ନାଁ ଯୋଡି ପ୍ରତିଷ୍ଠା କରନ୍ତି ବିଜୁ ଜନତା ଦଳ। ୨୬ ଡିସେମ୍ବର ୧୯୯୭ରେ ଦଳରେ ଲାଗିଯାଏ ବିଜୁ ବ୍ରାଣ୍ଡ୍। ବିଜୁ ବାବୁଙ୍କ ମର ଶରୀରକୁ କାନ୍ଧ ଦେଇଥିବା ନବାଗତ ନବୀନଙ୍କ କାନ୍ଧରେ ଲଦାଯାଏ ରାଜ୍ୟର ଭାର।
କେମିତି ଥିଲା ନବୀନଙ୍କ ପଲିଟିକାଲ କ୍ୟାରୀୟର
୧୯୯୭ରୁ ଆସ୍କା ଲୋକସଭା ଆସନରୁ ସାଂସଦ ଏବଂ ୧୯୯୮ ଏନଡିଏ ସରକାରରେ ଖଣିମନ୍ତ୍ରୀ ଭାବେ ଆରମ୍ଭ କରନ୍ତି ରାଜନୈତିକ କ୍ୟାରିୟର। ୧୯୯୯ ରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ହଟି ସାରିଥିଲା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଚଉକି। ଜେବିଙ୍କୁ ରିପ୍ଲେସ କରି ମୁଖ୍ୟମନ୍ତ୍ରୀ ହୁଅନ୍ତି ଗିରିଧର ଗମାଙ୍ଗ। ମାତ୍ର ଅଞ୍ଜନା ମିଶ୍ର କେସ ରାଜନୀତିରେ କଂଗ୍ରେକୁ ଢେର୍ ପଛକୁ ଠେଲିଦିଏ। ଅଞ୍ଜନାକୁ ମୁଦ୍ଧା କରି ରାଜନୀତିକୁ ଓହ୍ଲାଏ ବିଜୁ ଜନତା ଦଳ।୨୦୦୦ ମସିହାରେ ହିଞ୍ଜିଳି ଆସନରୁ ବିଧାନସଭାକୁ ଏଣ୍ଟ୍ରି କରନ୍ତି ନବୀନ। BJD ଓ BJPର ଗଠବନ୍ଧନରେ ଚିତପଟାଙ୍ଗ ମାରେ କଂଗ୍ରେସ। ୨୦୦୦ ନିର୍ବାଚନରେ BJD ଏକାକି ୬୮ ସିଟ ହାତେଇବା ସହ BJP ୩୮ଟି ଆସନ ହାସଲ କରେ। କଂଗ୍ରେସ ମାତ୍ର ୨୬ଟି ଆସନରେ ସୀମିତ ରୁହେ।ସେଇଠୁ ହିଁ ଆରମ୍ଭ ହୁଏ ନବୀନଙ୍କ ମଙ୍ଗୁଆଳର ଯାତ୍ରା।BJD ସୁପ୍ରିମୋ ସାଜନ୍ତି ମୁଖ୍ୟ ମନ୍ତ୍ରୀ।ସେବେଠୁ ତାଙ୍କ ମୁଣ୍ଡରେ ଶୋଭାପାଏ ରାଜମୁକୁଟ।
ମାତ୍ର ୨୦୦୯ରେ ନବୀନଙ୍କ ପାଇଁ ଆସିଥିଲା ଅଗ୍ନୀ ପରୀକ୍ଷା।ବିଜେପିଠାରୁ ଅଲଗା ହୋଇ ଇଲେକ୍ସନ୍ ଲଢିବାକୁ ନିଷ୍ପତ୍ତି ନିଅନ୍ତି ବିଜେଡ଼ି ସୁପ୍ରିମୋ।ସେଥିରେମଧ୍ୟ ସଫଳ ହୋଇ ବିରୋଧିଙ୍କୁ ପ୍ରଭାବହୀନ କରି cm ସିଟ ତାଙ୍କୁ ଗ୍ରୀନ ସିଗନାଲ୍ ଦିଏ ।ବିଜେଡ଼ିକୁ ଏକାକୀ ୧୨୩ ଆସନ ମିଳିଲା ବେଳେ ମାତ୍ର ୬ଟି ସିଟରେ ମାଟି କାମୁଡିଥିଲା ବିଜେପି।ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଗୋଟିଏ ପରେ ଗୋଟିଏ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦଳ ବାହାରର ରାସ୍ତା ଦେଖାଇ ସାଜିଛନ୍ତି ରିୟଲ୍ ହିରୋ।