ଓଡ଼ିଶାରେ ମିଳିଛି ସୁନାଖଣିର ସନ୍ଧାନ। ବିଧାନସଭାରେ ଏ ନେଇ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି। ରାଜ୍ୟରେ ତିନୋଟି ଜିଲ୍ଲାରେ ସୁନାଖଣି ଚିହ୍ନଟ ହୋଇଛି। ଦେବଗଡର ଅଡ଼ାଶ,କେନ୍ଦୁଝରର ତେଲକୋଇ ଏବଂ ମୟୁରଭଞ୍ଜର ବାଦାମପାହାଡ଼ରେ ସୁନାପଥରର ସନ୍ଧାନ ମିଳିଥିବା ତଥ୍ୟ ସାମ୍ନାକୁ ଆସିଛି।
ସରକାରୀ ଓ ବେସରକାରୀ ଜମିରେ ଖନନ କରି ନମୂନା ସଂଗ୍ରହ ସହ ପରୀକ୍ଷା କରିବା ପରେ ମାଟି ତଳେ ସୁନା ଥିବା ତଥ୍ୟ ସାମ୍ନାକୁ ଆସିଛି। ଆଗକୁ ସୁନା ଖଣି ଖୋଳାହେଲେ ଅଞ୍ଚଳର ଭାଗ୍ୟ ବଦଳିବା ସହ ରାଜ୍ୟର ଅର୍ଥନୀତିକୁ ମଧ୍ୟ ଏହା ସୁଦୃଢ କରିବ। କେନ୍ଦୁଝର ଜିଲ୍ଲା ଗୋପପୁର,ଗାଜିପୁର, କୁଶକଳା, ଅଡ଼ାଶ ଏବଂ ତେଲକୋଇର ସଳେଇକନା, ଡିମିରିମୁଣ୍ଡା ଓ କରଡଙ୍ଗା ଅଞ୍ଚଳରେ ମିଳିଛି ସୁନାର ସନ୍ଧାନ। ନିର୍ଦ୍ଦେଶାଳୟ ପକ୍ଷରୁ ୧୯୭୭-୮୩ ଓ ୧୯୮୯-୯୬ ମଧ୍ୟରେ କେନ୍ଦୁଝର ଜିଲ୍ଲା ତେଲକୋଇ ତହସିଲ ଅଞ୍ଚଳରେ ଅନୁସନ୍ଧାନ କରାଯାଇ ଦୁଇଟି ସୁନାବାହୀ ବାଲୁକାପ୍ରସ୍ତର ସିରା ଅବସ୍ଥିତି ଜଣାପଡ଼ିଥିଲା। ଯେଉଁଥିରେ ଗୋଟିଏ ଟନ୍ ପଥରରେ ୧ ଗ୍ରାମ ସୁନା ଥିବା ବିଶ୍ଲେଷଣରୁ ଜଣାପଡ଼ିଛି।
ସେହିପରି ମୟୂରଭଞ୍ଜ ଜିଲ୍ଲା ଯଶିପୁର, ସୁରିଆଗୁଡ଼ା, ଭୁଆଁସି, ଇଡେଳକୁଚା, ମାରେଡିହି ଓ ସୁଲେଇପାଟ ଓ ବାଦାମ ପାହାଡ଼ ଅଞ୍ଚଳରେ ମଧ୍ୟ ସୁନା ରହିଛି। ନିର୍ଦ୍ଦେଶାଳୟ ଓ ଜିଏସ୍ଆଇ ଦ୍ୱାରା ଅନୁସନ୍ଧାନ କରାଯାଇଛି।