ସତ୍ୟପାଠ ଦାଖଲ କଲାନି ଶ୍ରୀମନ୍ଦିର ପ୍ରଶାସନ: ସୁରକ୍ଷିତ ଅଛି ତ ରତ୍ନ ଭଣ୍ଡାର

ଶ୍ରୀମନ୍ଦିର, ଶ୍ରୀ ଜଗନ୍ନାଥ ଏବଂ ରତ୍ନଭଣ୍ଡାରକୁ ନେଇ ଭକ୍ତ ମହଲରେ ଏବେ ଗଦା ଗଦା ଅଭିଯୋଗ। ଅଭିଯୋଗ ମହାପ୍ରଭୂ କି ମନ୍ଦିରକୁ ନେଇ ନୁହେଁ ବରଂ ଶ୍ରୀମନ୍ଦିର ପ୍ରଶାସନର ଅବହେଳାକୁ ନେଇ ତେଜୁଛି ଅସନ୍ତୋଷ। ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ନେଇ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି। ୨୦୧୮ରେ ଏନେଇ ହୋଇଥିବା ବିବାଦରେ ହାଇକୋର୍ଟ ନିର୍ଦ୍ଦେଶକୁ ଫୁ କଲା ଭଳି ଆଜି ମଧ୍ୟ ସମାନ ପରିସ୍ଥିତି। ପୂର୍ବରୁ ରତ୍ନଭଣ୍ଡାର ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ସତ୍ୟପାଠ ଦାଖଲ ନକରି ଶ୍ରୀମନ୍ଦିର ପ୍ରଶାସନ ସମୟ ନେଇଥିଲା।ଆଜି ଏହାର ଶୁଣାଣୀ ଥିଲାବେଳେ ସତ୍ୟପାଠ ଦାଖଲ କରିନି ଶ୍ରୀମନ୍ଦିର ପ୍ରଶାସନ।

ବିତିଗଲାଣି ଚାରି ବର୍ଷ,ଗାଢ ନିଦ୍ରାରେ ଶ୍ରୀମନ୍ଦିର ପ୍ରଶାସନ
୨୦୧୮ ମସିହାରୁ ଭିତର ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ରହିଥିବା ଜାଣି ମଧ୍ୟ ମରାମତି କରିବା ଦିଗରେ ଶ୍ରୀମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବା ବେଳେ ଏଏସଆଇ ତରଫରୁ ଗତ ଅଗଷ୍ଟ ୨୦୨୨ରେ ରତ୍ନଭଣ୍ଡାର ମରାମତି କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ଅନେକ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କୌଣସି ବୈଠକରେ ରତ୍ନଭଣ୍ଡାର ମରାମତି କିମ୍ବା ଖୋଲିବା ଦିଗରେ ଆଲୋଚନା ହୋଇନାହିଁ।
ତେବେ ପୂର୍ବରୁ ରତ୍ନଭଣ୍ଡାର ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ହାଇକୋର୍ଟକୁ ବାରମ୍ବାର ଭୂଆଁ ବୁଲାଇଥିବା ବେଳେ ଆଜି ମଧ୍ୟ ସତ୍ୟପାଠ ଦାଖଲ କରିନାହିଁ। ହାଇକୋର୍ଟ ପୁଣି ଥରେ ସତ୍ୟପାଠ ଦାଖଲର ତାରିଖ ଜୁନ୍ ୨୬ କୁ ଘୁଞ୍ଚାଇଥିଲା ବେଳେ ଜୁଲାଇ ୭ ରେ ଶୁଣାଣୀ ତାରିଖ ସ୍ତିର କରାଯାଇଛି। ତେବେ ଆଗାମୀ ଦିନରେ ଶ୍ରୀମନ୍ଦିର ପ୍ରଶାସନର ଆଭିମୁଖ୍ୟ କ’ଣ ରହୁଛି ତାହା ଉପରେ ନଜର।
Connect With Us