୧୯୯୦ ଦଶକରେ ରାଷ୍ଟ୍ର ରାଜନୀତିରେ ଏକ ଘଟଣା ଚହଳ ପକାଇଥିଲା। ନିର୍ବାଚନ ରାଲିରେ ଆଖି ବୁଜିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ। ୧୯୯୧ ମେ’୨୧ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ତାମିଲନାଡ଼ୁର ଶ୍ରୀପେରୁମବୁଦୁରରେ ହତ୍ୟା କରାଯାଇଥିଲା। ଧନୁ ରାଜୀବ ଗାନ୍ଧିଙ୍କୁ ଏକ ଫୁଲହାର ପିନ୍ଧାଇବା ସମୟରେ ବଡ଼ ଧରଣର ବିଷ୍ଫୋରଣ ହୋଇଥିଲା। ଧନୁ ପାଖରେ ଥିବା ଆତ୍ମଘାତି ବୋମା ହିଁ ରାଜୀବଙ୍କ ଜୀବନ ନେଇଥିଲା। ରାଜୀବଙ୍କ ହତ୍ୟା ମାମଲାରେ ଖୋଳତାଡ଼ ପରେ ପୁଲିସ୍ ହତ୍ୟାକାରୀଙ୍କୁ ଗିରଫ କରିଥିଲା। ଧନୁଙ୍କ ସମେତ ଏହି ହତ୍ୟା ମାମଲାରେ ନଳୀନି ଶ୍ରୀହରଣ,ଜୟକୁମାର,ଆର୍ ପି ରବିଚନ୍ଦ୍ରନ୍,ପେରାରିବାଲାନଙ୍କ ସମେତ 6 ଜଣଙ୍କୁ ଗିରଫ କରିଥିଲା।ସୁପ୍ରିମକୋର୍ଟ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ କୋର୍ଟର ଏହି ନିଷ୍ପତ୍ତିକୁ କଂଗ୍ରେସ ତରଫରୁ ବିରୋଧ କରାଯାଉଛି।
ରାଜୀବଙ୍କ ହତ୍ୟା ମାମଲାର ଘଟଣାକ୍ରମ
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବଙ୍କ ହତ୍ୟାର ତଦନ୍ତଭାର SITକୁ ହସ୍ତାନ୍ତର କରାଯାଇଥିଲା। ମେ ୨୪ ରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତଦନ୍ତର ଦୁଇ ମାସ ପରେ ଜୁନ୍ ୧୧ରେ ଏଜି ପେରାରିବାଲାନକୁ CBI TADA (TERRORIST AND DISRUPTIVE ACTIVITIES (PREVENTION) ACT, ଅଧୀନରେ ଗିରଫ କରାଯାଇଥିଲା। ଜାନୁଆରୀ ୨୮ରେ TADA କୋର୍ଟ ପେରାରିବାଲାନ ସମେତ ୬ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କଲେ। ୧୯୯୯, ମେ’ ୧୧ ରେ ସୁପ୍ରିମକୋର୍ଟ ପେରାରିବାଲାନର ଦଣ୍ଡାଦେଶକୁ କାଏମ ରଖିଲେ।, ୧୯୯୯, ଅକ୍ଟୋବର ୮ ରେ ପେରାରିବାଲାନର ରିଭ୍ୟୁ ପିଟିସନ ସୁପ୍ରିମକୋର୍ଟରେ ଖାରଜ ହୋଇଥିଲା।
୨୦୦୦ ଏପ୍ରିଲରେ ରାଜୀବ ଗାନ୍ଧିଙ୍କ ପତ୍ନୀ ସୋନିଆ ଗାନ୍ଧିଙ୍କ ଅନୁରୋଧ କ୍ରମେ ତାମିଲନାଡ଼ୁ ରାଜ୍ୟପାଳ ନଳିନୀ ଶ୍ରୀହରନର ମୃତ୍ୟୁ ଦଣ୍ଡାଦେଶ କୋହଳ କରି ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ନିଜ ସ୍ୱାମୀଙ୍କ ହତ୍ୟାକାରୀକୁ କ୍ଷମା ଦେଇଥିଲେ ସୋନିଆ।
୨୦୧୧ ଅଗଷ୍ଟ ୧୨ରେ ପେରାରିବାଲାନ ସମ୍ବିଧାନର ଧାରା ୭୨ ଅଧୀନରେ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଥିଲେ ମଧ୍ୟ ଏହା ଖାରଜ ହୋଇଥିଲା। ପରେ ପେରାରିବାଲାନ ମାଡ୍ରାସ ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲା।
୨୦୧୨, ମେ’ ୧ରେ ସୁପ୍ରିମକୋର୍ଟକୁ ଏ ମାମଲା ହସ୍ତାନ୍ତର ହୋଇଥିଲା। ୨୦୨୨, ନଭେମ୍ବର ୧୧ରେ ସୁପ୍ରିମକୋର୍ଟ ହତ୍ୟାକାଣ୍ଡରେ ସମ୍ପୃକ୍ତ ୬ ଦୋଷୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ରାଜୀବ ଗାନ୍ଧିଙ୍କ ଭଳି ଜଣେ ବିଶିଷ୍ଠ ନେତାଙ୍କ ହତ୍ୟାକାରୀଙ୍କୁ ଏଭଳି ମୁକ୍ତ କରିବା ପ୍ରକ୍ରିୟାକୁ ସହଜରେ ସ୍ୱୀକାର କରିପାରୁନି କଂଗ୍ରେସ। କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଙ୍ଗଭି ଏହାକୁ ବିରୋଧ କରିଛନ୍ତି। ଏଭଳି କି ସୋନିଆଙ୍କ ସହ ସେମାନେ ସହମତ ନଥିବା ପ୍ରକାଶ କରିଛନ୍ତି। ସୋନିଆ ଓ ଗାନ୍ଧି ପରିବାର ରାଜୀବଙ୍କ ହତ୍ୟାକାରୀଙ୍କୁ କ୍ଷମା ଦେଇଥିଲା ବେଳେ କଂଗ୍ରେସ କିନ୍ତୁ ଏହାର ବିରୋଧାଚରଣ କରୁଛି।