ପଦ୍ମପୁରରୁ ପ୍ରଦୀପ ବିଜେପି ପ୍ରାର୍ଥି:ଚେକ୍ ଦବାକୁ ଅନୁକମ୍ପା କାର୍ଡ ଖେଳିବ କି ବିଜେଡି
ପଦ୍ମପୁର ଉପ-ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ବିଜେପି ମଇଦାନକୁ ପଠେଇଛି। ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ ପରେ ବିଜେଡିର ମୁଣ୍ଡବିନ୍ଧା ଆରମ୍ଭ ହୋଇ ଯାଇଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏ ଉପନିର୍ବାଚନ ବେଶ୍ ଗୁରୁତ୍ତ୍ୱପୂର୍ଣ୍ଣ। ବାଜି ଜିତିବାକୁ ବିଜେପି ପରି କଂଗ୍ରେସ ମଧ୍ୟ ପୁରୁଣା ନେତାଙ୍କୁ ପ୍ରାର୍ଥି କରିପାରେ ବୋଲି ଅନୁମାନ କରାଯାଉଛି। କଂଗ୍ରେସରୁ ହୁଏତ ସତ୍ୟଭୂଷଣ ସାହୁ ପ୍ରାର୍ଥି ହୋଇପାରନ୍ତି। ଧାମନଗରରେ ରାଜୁ ଦାସଙ୍କୁ ଟିକେଟ ନ ଦେଇ ଅବନ୍ତୀଙ୍କୁ ପ୍ରାର୍ଥି କରି ମହିଳା କାର୍ଡ ଖେଳି ଥିଲା ବିଜେଡି। ମାତ୍ର ସେଥିରେ ବିଫଳ ହେଲା ପରେ ପଦ୍ମପୁରରେ ପଲିଟିକାଲ୍ ପ୍ଲାନିଂ କଣ ହେବ ତାକୁ ନେଇ ଚର୍ଚ୍ଚା ଚାଲିଛି।
ଅନୁକମ୍ପା କାର୍ଡ ଖେଳିବ କି ବିଜେଡି
ଉପନିର୍ବାଚନରେ ଅନୁକମ୍ପା କାର୍ଡ ଖେଳିବା ପଲିଟିକ୍ସରେ ନୂଆ ନୁହେଁ। ଏହା ଏବେ ଏକ ଟ୍ରେଣ୍ଡ ପାଲଟି ଗଲାଣି। ବିଜେପୁରରେ ସୁବଳ ସାହୁଙ୍କ ମୃତ୍ୟୁ ପରେ ପତ୍ନୀ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥି କରିଥିଲା। କଂଗ୍ରେସର ଗଡ଼ ଭାଙ୍ଗି ବିଜେଡି ଆସନ ହାତେଇଥିଲା। ସେହିଭଳି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ରୁଦ୍ର ମହାରଥୀ,କିଶୋର ମହାନ୍ତୀଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଅଳକା ମହାନ୍ତୀ ଆଦିଙ୍କୁ ପ୍ରାର୍ଥି କରି ଅନୁକମ୍ପା କାର୍ଡ ଖେଳି ବିଜେଡି ଆସନ ଜିତିଛି। ଧାମନଗରରେ ମଧ୍ୟ ସମାନ ଢ଼ଙ୍ଗରେ ଅନୁକମ୍ପା କାର୍ଡ ଖେଳି ସଫଳ ହୋଇଛି ବିଜେପି। ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥି କରି ବିଜେପି ବାଜି ଜିତିଛି। ଯେହେତୁ ବିଜେଡି ଏହି ଆସନରେ ଗତ ନିର୍ବାଚନରେ ବିଜୟୀ ହୋଇଥିଲା ତେଣୁ ପୁଣିଥରେ ଏହାକୁ ବଜାୟ ରଖିବାକୁ କସରତ୍ କରିବ। ତେବେ ବିଜେଡି ଏ ଆସନ ବଜାୟ ରଖିବାକୁ ଅନୁକମ୍ପା କାର୍ଡ ଖେଳୁଛି କି ଅନ୍ୟ କାହାକୁ ପ୍ରାର୍ଥି କରୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର।
Connect With Us