ଝାରସୁଗୁଡା ବିଧାୟକ ନବ କିଶୋର ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ଉପନିର୍ବାଚନ ହେବ। ଝାରସୁଗୁଡା ଉପନିର୍ବାଚନ ପାଇଁ ସର୍ବପ୍ରଥମେ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ହେବେ ଦିବଂଗତ ବିଧାୟକଙ୍କ ଝିଅ ଦୀପାଳି ଦାସ। ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିପାରିବେ। ଏପ୍ରିଲ ୨୧ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ନିର୍ବାଚନ କମିଶନ ସମୟ ଦେଇଛନ୍ତି। ବିଜୁ ଜନତା ଦଳ ତରଫରୁ ସୁପ୍ରିମୋ ଦୀପାଳିଙ୍କୁ ପ୍ରାର୍ଥି ଘୋଷଣା କରିଛନ୍ତି।
ନବଙ୍କ ରାଜନୈତିକ ଉତ୍ତରାଧିକାରୀ ଦୀପାଳି
ଗତ ଜାନୁଆରୀ ୨୯ ତାରିଖରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ବ୍ରଜରାଜନଗରରେ ଗୁଳି କରି ହତ୍ୟା କରାଯାଇଥିଲା। ଏହା ପରେ ଝାରସୁଗୁଡ଼ା ବିଧାନସଭା ଆସନଟି ଖାଲି ପଡ଼ିଥିଲା। ମାର୍ଚ୍ଚ ୨୯ ତାରିଖରେ ନିର୍ବାଚନ କମିଶନ ଏହି ଆସନରେ ଉପନିର୍ବାଚନ କରିବା ପାଇଁ ତାରିଖ ଘୋଷଣା କରିଥିଲେ। ଦୀପାଳିଙ୍କର ପୂର୍ବରୁ ରାଜନୈତିକ ଅଭିଜ୍ଞତା ରହିଛି।ବାପାଙ୍କ ଦେହାନ୍ତ ପରେ ରାଜନୈତିକ ଉତ୍ତରାଧିକାରୀ ସାଜିଛନ୍ତି ଦୀପାଳି।
ମେ ୧୦ରେ ଭୋଟ
ଏହି ଉପନିର୍ବାଚନ ପାଇଁ ମେ ୧୦ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ଏଥିପାଇଁ ଏପ୍ରିଲ ୧୩ ତାରିଖରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ତା ସହିତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକ୍ରିୟା ଏପ୍ରିଲ ୨୦ତାରିଖ ପର୍ଯ୍ୟନ୍ତ ଚାଲିବ। ମେ ୧୦ ତାରିଖରେ ଭୋଟ୍ ଗ୍ରହଣ ଓ ମେ ୧୩ ରେ ଗଣତି ହେବ। ମେ ୧୫ ତାରିଖରେ ଏହି ଉପନିର୍ବାଚନର ଫଳ ପ୍ରକାଶ ହେବ। ବିଜୟ ପାଇଁ ବିଜେଡ଼ି ସିମ୍ପାଥି କାର୍ଡ ଖେଳିଥିଲା ବେଳେ ବିଜେପି ଓ କଂଗ୍ରେସ କାହାକୁ ପ୍ରାର୍ଥି କରିବେ ସେ ନେଇ ଚର୍ଚ୍ଚା। ଅନ୍ୟ ପାର୍ଶ୍ୱରେ ନୂଆକରି ଦାୟିତ୍ୱ ନେଇଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଧାମନଗରରେ ସଫଳ ଗୋଟି ଚାଳନା ପରେ ଝାରସୁଗୁଡାରେ କି ରଣନୀତି ଆପଣେଇବେ ତା ଉପରେ ସମସ୍ତଙ୍କ ନଜର।