ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ରୋଗୀ କଟକ ଭୁବନେଶ୍ୱର ମୁହାଁ ହେବା ଘଟଣା ନୁଆ ନୁହେଁ। ଚିକିତ୍ସା ପାଇଁ ଅନେକ ସରକାରୀ ଡ଼ାକ୍ତରଖାନା ଥିଲେ ସୁଦ୍ଧା ରୋଗୀଙ୍କ ପ୍ରଥମ ପସନ୍ଦ AIIMS ହସ୍ପିଟାଲ। କମ୍ ଖର୍ଚ୍ଚରେ ଉନ୍ନତ ଚିକିତ୍ସା ପାଇଁ ରେକର୍ଡ କରିଛି AIIMS। କେବଳ ଓଡ଼ିଶା ନୁହେଁ ବରଂ ପଡ଼ୋଶି ରାଜ୍ୟ ଛତିଶଗଡ଼,ଆନ୍ଧ୍ରପ୍ରଦେଶ,ଆସାମ ଏବଂ ପଶ୍ଚିମବଙ୍ଗରୁ ଅନେକ ରୋଗୀ ଭୁବନେଶ୍ୱର AIIMS ହସ୍ପିଟାଲ ଉପରେ ନିର୍ଭରଶୀଳ। ମାତ୍ର ସମସ୍ୟା ହେଉଛି ରୋଗୀଙ୍କ ସଂଖ୍ୟା ବଢୁଥିଲା ବେଳେ AIIMSରେ ରହିଛି ଡ଼ାକ୍ତର ଓ କର୍ମଚାରୀଙ୍କ ଅଭାବ। ରୋଗୀଙ୍କୁ ଉତ୍ତମ ସେବା ଯୋଗାଇବାରେ AIIMS ବିଫଳ। ଅନେକ ବିଭାଗରେ ପ୍ରଫେସର ଏବଂ ଡ଼ାକ୍ତରପଦବୀ ଖାଲି।ସରକାର କଟକ SCBକୁ ଏମ୍ସ ପ୍ଲସ କରିବାକୁ ଯୋଜନା କରୁଥିଲା ବେଳେ ଏମ୍ସରେ ଡ଼ାକ୍ତର ଅଭାବ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପ୍ରଶ୍ନବାଚୀରେ ପକାଉଛି।
ଗଭର୍ଣ୍ଣମେଣ୍ଟ ଡ଼ାଟା ଅନୁଯାୟୀ ଏବେ ସୁଦ୍ଧା AIIMSରେ ୭୪ ଟି ଗୁରୁତ୍ତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ହୋଇ ପାରି ନାହିଁ। ଅନେକ ବିଭାଗରେ ପ୍ରଫେସର ନାହାନ୍ତି। ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପ୍ରମୋସନରେ ସରକାର ଅବହେଳା କରିବାରୁ ଚାକିରୀ ଛାଡ଼ୁଛନ୍ତି ଅନେକ ଡ଼ାକ୍ତର। କେବଳ ଡ଼ାକ୍ତର ନୁହନ୍ତି ନର୍ସ, ଫାର୍ମାସିଷ୍ଟଙ୍କ ସମେତ ବିଭିନ୍ନ ବିଭାଗରେ ଖାଲି ପଡ଼ିଛି ୧୯୦୦ ପଦବୀ। ଠିକା କର୍ମଚାରୀଙ୍କ ଭରସାରେ ଚାଲିଛି ସ୍ୱାସ୍ଥ୍ୟ ସେବା। ଅଳ୍ପ ଖର୍ଚ୍ଚରେ ଉନ୍ନତମାନର ସେବା ଯୋଗାଉଥିବାରୁ ଏଠି ରୋଗୀଙ୍କ ଭିଡ଼ ଲାଗୁଥିଲା ବେଳେ ସମସ୍ୟା ସାଜିଛି କର୍ମଚାରୀ ମରୁଡ଼ି। opd ରେ ଡ଼ାକ୍ତର ସୀମିତ ସଂଖ୍ୟକ ରୋଗୀ ଦେଖୁଥିବାରୁ ଅନେକ ରୋଗୀ ନିରାଶ ହେଉଛନ୍ତି। AIIMS ରେ ବାହାର ରାଜ୍ୟ ରୋଗୀଙ୍କ ଭିଡ଼ ପାଇଁ ହନ୍ତସନ୍ତ ହେଉଚନ୍ତି ରାଜ୍ୟବାସୀ। ରୋଗୀ ଅନୁପାତରେ icu ଓ cabin ନ ଥିବାରୁ ସୃଷ୍ଟି ହେଉଛି ଅନେକ ସମସ୍ୟା।
ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶାକୁ ସ୍ଲୋଗାନ କରିଥିବା ଓଡ଼ିଶା ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଫେଲ୍
୧,୦୮୦ ଲୋକଙ୍କ ପାଇଁ ଜଣେ ଡାକ୍ତରଙ୍କ ଆବଶ୍ୟକ ଥିଲାବେଳେ, ଓଡିଶାରେ ୨,୦୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ନିଯୁକ୍ତ ହୋଇଛନ୍ତି ଜଣେ ଡାକ୍ତର। ଓଡ଼ିଶା ପାଇଁ ୪୬,୦୦୦ ଡାକ୍ତର ଆବଶ୍ୟକ ଥିଲାବେଳେ, ସରକାରୀ ଏବଂ ଘରୋଇ ସ୍ତରରେ ନିଯୁକ୍ତ ହୋଇଛନ୍ତି ମାତ୍ର ୧୭,୦୦୦ ଡାକ୍ତର। ଡ଼ାକ୍ତରୀ ଶିକ୍ଷକଙ୍କ ପଦବୀ ବି ଖାଲି ପଡିଛି।ଫଳରେ ଅଧ୍ୟାପନା,ଗବେଷଣା ପରୀକ୍ଷା ପରିଚାଳନା ସହ ରୋଗୀସେବା ମଧ୍ୟ ବାଧାପ୍ରାପ୍ତ ହେଉଛି। ଭୁବନେଶ୍ୱର ପରି ବାଲେଶ୍ୱରରେ ଖୋଲିଥିବା AIIMSର ଶାଖା କେନ୍ଦ୍ରରେ ବି ସମାନ ଅବସ୍ଥା। ରାଜ୍ୟରେ ସରକାର ଶାଖା ଖୋଲୁଥିଲେ ମଧ୍ୟ ଡ଼ାକ୍ତର ଓ କର୍ମଚାରୀ ନିଯୁକ୍ତି ଉପରେ ଏତେଟା ଗୁରୁତ୍ୱ ଦେଉ ନାହାନ୍ତି। ୨୦୧୨ ରେ ପ୍ରତିଷ୍ଠା ହୋଇ ସ୍ୱାସ୍ଥ୍ୟ ସେବାରେ ପ୍ରଥମ ପସନ୍ଦ ପାଲଟିଥିବା AIIMS ଉପରୁ ଲୋକଙ୍କର ଭରସା ତୁଟୁଛି। SCBକୁ କୁ ରାଜ୍ୟ ସରକାର ଏମ୍ସ ପ୍ଲସ କରିବା କଥା କହୁଥିଲା ବେଳେ ଏମ୍ସରେ ଡ଼ାକ୍ତର ସମସ୍ୟା ରାଜ୍ୟ ସରକାରଙ୍କ ଅପାରଗତା ଦର୍ଶାଉଛି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା