ପୂର୍ବତନ ଚିଫ୍ ସେକ୍ରଟାରୀଙ୍କ ଗୁରୁମନ୍ତ୍ର,ରାଜନୀତି କରୁଥିବା ଅଫିସରଙ୍କ ମୁଖା ଖୋଲି ଦିଅ

ପୂର୍ବତନ ଚିଫ୍ ସେକ୍ରଟାରୀଙ୍କ ଟାର୍ଗେଟରେ, ସଚିବ ଏବଂ ଜିଲ୍ଲାପାଳ। ବିଜୁ ଜନତା ଦଳ ପାଇଁ କାମ କରୁଥିବା ଅଫିସରଙ୍କ ମୁଖା ଖୋଲି ଦେବାକୁ ବିରୋଧି ଦଳକୁ ଆହ୍ୱାନ ଦେଇଛନ୍ତି, ପୂର୍ବତନ ଚିଫ୍ ସେକ୍ରଟାରୀ ଯୁଗଳ କିଶୋର ମହାପାତ୍ର। ଅଫିସରମାନଙ୍କ ଶାସକ ଦଳ ପ୍ରୀତିର ପର୍ଦ୍ଦାଫାସ କରିବାକୁ, ସିଭିଲ୍ ସୋସାଇଟ୍, ଆଗେଇ ଆସିବା ଉଚିତ ବୋଲି ଯୁଗଳ ବାବୁ କହିଛନ୍ତି।

ଚାକିରିରେ ଥାଇ ଅଫିସରମାନେ, ବିଜୁ ଜନତା ଦଳ ପାଇଁ କାମ କରିବା, ଆମ ଶାସନ ବ୍ୟବସ୍ଥାର ପରିପନ୍ଥୀ। ସରକାରୀ ଚାକିରିଆ, ଶାସକ ଦଳକୁ ସହଯୋଗ କରିବା ଚିନ୍ତାଜନକ। ଏହା ଗଣତନ୍ତ୍ର ପ୍ରତି ଅଶୁଭ ସଂକେତ କହି, ଓଡ଼ିଶାର ନୀତିଭ୍ରଷ୍ଟ ଅଫିସର ମାନଙ୍କୁ ଟାର୍ଗେଟ କରିଛନ୍ତି ଯୁଗଳ ବାବୁ। ଚାକିରିରେ ଥିବା ସମୟରେ କୌଣସି ସରକାରୀ କର୍ମଚାରୀ ପରୋକ୍ଷ ବା ପ୍ରତ୍ୟକ୍ଷ ରାଜନୀତି ସହ ଯୋଡି ହୋଇପାରିବେ ନାହିଁ। ଚାକିରିରୁ ଅବସର ନେବା ପରେ ପଲିଟିକ୍ସ କରିବାରେ ପ୍ରତିବନ୍ଧକ ନାହିଁ। ପୂର୍ବତନ ଡିଜି ପୋଲିସ ପ୍ରକାଶ ମିଶ୍ର, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଏବଂ VRS ନେଇ ଭୁବନେଶ୍ୱର ସାଂସଦ ହୋଇଥିବା ଅପରାଜିତା ଷଡ଼ଙ୍ଗୀ ଚାକିରି ଛାଡି ରାଜନୀତି କରୁଥିବାରୁ, ସେମାନଙ୍କୁ ସମର୍ଥନ କରିଛନ୍ତି ଯୁଗଳ ବାବୁ।

ଏକ ୟୁଟ୍ୟୁବ୍ ଚ୍ୟାନେଲ ସହ ସାକ୍ଷାତକାରରେ ଦେଇ ଯୁଗଳ ମହାପାତ୍ର କହିଛନ୍ତି- ଆମର ଶାସନ ବ୍ୟବସ୍ଥାରେ ସରକାରୀ ଚାକିରିଆ, ଦଳୀୟ କର୍ମକର୍ତ୍ତା ଭଳି କାର୍ଯ୍ୟ କରିପାରିବେ ନାହିଁ। ୨୦୦୦ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଭାବେ କାମ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କର ପ୍ରମୁଖ ଶାସନ ସଚିବ ଭାବେ ୪ବର୍ଷ କାର୍ଯକାଳରେ,କେବେବି ସେ ନବୀନ ପଟ୍ଟନାୟକଙ୍କ ରାଜନୈତିକ ବ୍ୟାପାର ସହ ଜଡିତ ନଥିଲେ ବୋଲି କହିଛନ୍ତି। ରାଜନୀତି କରିବା ତ ଦୂରର କଥା, ଓଡ଼ିଶାରୁ ମୁଖ୍ୟ ଶାସନ ସଚିବ ପଦରୁ ଅବ୍ୟାହତି ନେବା ପରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେବେ ଭେଟିବାକୁ ଚାହିଁ ନାହାଁନ୍ତି ଯୁଗଳ ବାବୁ। କିନ୍ତୁ ଏବେ ପ୍ରଶାସନିକ ଅଧିକାରୀମାନେ, ଓଡ଼ିଶାର ରାଜନୈତିକ ବ୍ୟାପାରରେ ସବୁବେଳେ ମୁଣ୍ଡ ପୁରାଉଥିବାର ଅଭିଯୋଗ ଆସୁଛି।

ତେଣୁ ଦଳୀୟ କାର୍ଯ୍ୟକ୍ରମରେ ଭାଗ ନେଉଥିବା ପ୍ରଶାସନିକ ଅଧିକାରୀ ମାନଙ୍କ ବିରୋଧରେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ସେହିଭଳି ଚାକିରିରେ ଥାଇ ଅଫିସର ମାନଙ୍କର ପଲିଟିକାଲ୍ ଏଜେଣ୍ଡା ଯୋଗୁ କ୍ଷତିଗ୍ରସ୍ତ ହେଉଥିବା ବିରୋଧି ଦଳମାନେ, ଏହାର ଜବାବ ଦେବା ଉଚିତ। ଶାସକ ଦଳକୁ ବ୍ୟୁରୋକ୍ରାଟସଙ୍କ ସହଯୋଗ ଦ୍ୱାରା ପ୍ରଭାବିତ ହେଉଥିବା ସିଭିଲ୍ ସୋସାଇଟ୍, ଅଫିସରଙ୍କ ମନ୍ଦ ଉଦ୍ଦେଶ୍ୟକୁ ଲୋକଲୋଚନକୁ ଆଣିବା ଉଚିତ। ଅଫିସର ମାନଙ୍କ ପଲିଟିକାଲ୍ ଏଜେଣ୍ଡାକୁ ଯଦି ବିରୋଧି ଦଳ ଏବଂ ସିଭିଲ୍ ସୋସାଇଟ୍, ପ୍ରତିବାଦ ନକରି ଚୁପ୍ ବସିଯିବେ, ତାହେଲେ ଏଭଳି ଅନୈତିକ କାମ ଜାରି ରହିବ ବୋଲି ପୂର୍ବତନ ଚିଫ୍ ସେକ୍ରଟାରୀ ଯୁଗଳ ମହାପାତ୍ର ଓଡ଼ିଶାବାସୀଙ୍କୁ ସତର୍କ କରାଇ ଦେଇଛନ୍ତି।
Connect With Us