ରାଜ୍ୟ ରାଜନୀତି ଧିରେଧିରେ ଉଷ୍ମ ହେବାରେ ଲାଗିଛି। ରାଜ୍ୟରେ ହେବାକୁ ଯାଉଛି ଦୁଇଟି ଉପନିର୍ବାଚନ। ଧାମନଗର ବିଧାୟକ ବିଷ୍ଣୁ ସେଠୀ ଓ ପଦ୍ମପୁର ବିଧାୟକ ବିଜୟରଞ୍ଜନ ସିଂହ ବରିହାଙ୍କ ଦେହାନ୍ତ ପରେ ଦୁଇଟି ଆସନ ପାଇଁ ଉପନିର୍ବାଚନ ହେବ। ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକରେ ଶୂନ୍ୟ ହୋଇଥିବା ଧାମନଗର ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ତାରିଖ ଘୋଷଣା ହୋଇଛି। ଦଶହରା ପରେ ଚଳିତ ମାସ ୭ରୁ ନିର୍ବାଚନପ୍ରକ୍ରିୟା ଆରମ୍ଭ ହେବ ଓ ନଭେମ୍ବର ୩ରେ ଭୋଟ। ସେହିପରି ଭାବେ ପଦ୍ମପୁର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ବିଜୟରଞ୍ଜନ ସିଂହ ବରିହାଙ୍କ ବିୟୋଗ ମଧ୍ୟ ଉପନିର୍ବାଚନ ପାଇଁ ପଥ ପ୍ରସ୍ତୁତ କରିଛି। ସୁଚନା ଅନୁଯାୟୀ ଡ଼ିସେମ୍ବର ଶେଷ ସୁଦ୍ଧା ପଦ୍ମପୁର ଉପନିର୍ବାଚନ ହେବ। ଅକ୍ଟୋବର ୨ ଗାନ୍ଧୀଜୟନ୍ତୀ ଠାରୁ ରାଜ୍ୟର ୩ ରାଜନୈତିକ ଦଳ ତାଙ୍କର ସାଙ୍ଗଠନିକ କାର୍ଯ୍ୟକ୍ରମ ଆରମ୍ଭ କରିଥିବାବେଳେ ଉପନିର୍ବାଚନ ଘୋଷଣା ଏହାକୁ ଅଧିକ ତୀବ୍ର କରିବା ସମ୍ଭାବନା ସୃଷ୍ଟି କରିଛି।
ସବୁ ଉପନିର୍ବାଚନରେ ବାଜି ଜିତିଛି ବିଜେଡ଼ି:ଭଦ୍ରକରେ ହେବକି ବ୍ୟତିକ୍ରମ
୨୦୧୯ ପରଠୁ ରାଜ୍ୟରେ ଅନୁଷ୍ଠିତ ପ୍ରାୟ ସମସ୍ତ ଉପନିର୍ବାଚନରେ ବିଜେଡି ଅପରାଜୟ ରହିଛି। ୨୦୧୯ ସାଧାରଣ ଓ ବିଧାନସଭା ନିର୍ବାଚନ ପରେ ହୋଇଥିବା ପାଟକୁରା ଉପନିର୍ବାଚନ ଓ ବିଜେପୁର, ବାଲେଶ୍ୱର, ତିର୍ତ୍ତୋଲ, ପିପିଲି ଉପନିର୍ବାଚନରେ ବିଜେଡି ଏକତରଫା ବିଜୟୀ ହୋଇଛି। ଏପରିକି ୨୦୧୯ରେ ବାଲେଶ୍ୱର ବିଧାନସଭା କ୍ଷେତ୍ରରେ ବିଜୟୀ ହୋଇଥିବା ବିଜେପି ଉପନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିଲା। ତିର୍ତ୍ତୋଲ, ପିପିଲି ଓ ବିଜେପୁରରେ ଉପନିର୍ବାଚନ ଭୋଟ ସଂଖ୍ୟା ପୂର୍ବଠାରୁ ଢେ଼ର ଅଧିକ ବୃଦ୍ଧି ପାଇଥିଲା। ଯଦିଓ ପିପିଲି,ପାଟକୁରା,ଆଦିରେ ଦିବଂଗତ ବିଧାୟକ ବିଜେଡ଼ିର ଥିଲେ ବିଜେପରରେ କିନ୍ତୁ ସ୍ଥିତି ଥିଲା ଅଲଗା। କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରା ତାଙ୍କ ପତ୍ନୀ ରୀତା ସାହୁଙ୍କୁ ନେଇ ବିଜେଡ଼ି ବାଜି ଜିତିଥିଲା । ଅବଶ୍ୟ ସ୍ୱାମୀଙ୍କ ଲୋକପ୍ରିୟତା ଭୋଟ ତାଙ୍କୁ ସହାୟକ ହୋଇଥିଲା। ମାତ୍ର ଭଦ୍ରକ କଥା ଯଦି ବିଚାରକୁ ନିଆଯାଏ ତେବେ ତାହା ହେଉଛି ବିଷ୍ଣୁଙ୍କ ଗଡ଼। ତାଙ୍କ ଦେହାନ୍ତପରେ ତାଙ୍କର ପକେଟ ଭୋଟ ସମେତ ସାନ୍ତ୍ୱନା ଭୋଟ ମଧ୍ୟ ଅଧିକ ମାତ୍ରାରେ ରହିପାରେ। ବିଜେପି ବିଷ୍ଣୁଙ୍କ ପୁଅକୁ ପ୍ରାର୍ଥି କରିବାର ସମ୍ଭାବନା ଅଧିକ ରହିଥିଲା ବେଳେ ବିଜେଡ଼ି କ’ଣ ଗେମ୍ ପ୍ଲାନ୍ କରୁଛି ଓ ଭଦ୍ରକରେ ବିଜେଡ଼ି ବିଜୟର ବ୍ୟତିକ୍ରମ ହେଉଛି କି ନାହିଁ ତାହା ଉପରେ ନଜର।
ବିଷ୍ଣୁ ସେଠୀ
ପଦଯାତ୍ରା ପଲିଟିକ୍ସ
ଆଗାମୀ ସାଧାରଣ ନିର୍ବାଚନ ଓ ଉପନିର୍ବାଚନକୁ ଆଖିରେ ରଖି ପୂର୍ବାପେକ୍ଷା ଅଧିକ ଆସନରେ ବିଜୟ ଲାଭ କରିବା ଲକ୍ଷ୍ୟରେ ତିନି ପ୍ରମୁଖ ଦଳ ବିଭିନ୍ନ ପନ୍ଥା ଆପଣେଇଛନ୍ତି। ଯୁବ, ଛାତ୍ର ଓ ମହିଳା ସଂଗଠନର ପୁର୍ନଗଠନ କରାଯିବା ପରେ ନିର୍ବାଚନ ରଣନୀତିକୁ ଜୋରଦାର୍ କରିଛନ୍ତି ଦଳୀୟ ନେତା। ଗତ ବିଧାନସଭା, ଲୋକସଭା ଭୋଟ ହାର ଓ ସଂଖ୍ୟା ସହ ପଞ୍ଚାୟତ ଓ ପୌର ଭୋଟ ସଂଖ୍ୟାକୁ ନେଇ ଅତି ସତର୍କତାର ସହ ରଣନୀତି ପ୍ରସ୍ତୁତ କରାଯାଉଛି। ନିକଟରେ ବିଭିନ୍ନ ଛାମୁଆ ସଙ୍ଗଠନରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ପଦଯାତ୍ରା ମାଧ୍ୟମରେ ଲୋକଙ୍କ ସହ ଯୋଡ଼ି ହେବାର ପ୍ରୟାସ ଜାରୀ ରଖିଛନ୍ତି ତିନି ପ୍ରମୁଖ ଦଳ । ତେବେ ଏହା କେଉଁ ଦଳକୁ କେତେ ସୁଫଳ ଆଣି ଦେଉଛି ତାହା ଦେଖିବା ବାକି।
ଏ ଷ୍ଟୋରୀ ଲେଖିଛନ୍ତି-ରଶ୍ମିତା ବେହେରା